ଜୟପୁର,(ବି.ବି.ନୁ୍ୟଜ୍): ବେଆଇନ ଧାନ ଗୋଦାମରେ ଯୋଗାଣ ବିଭାଗର ଚଢଉ । କୁନ୍ଦୁରା ବ୍ଲକ ଦିଗାପୁରର ସୁଭାଷ ପାଢିଙ୍କ ଗୋଦାମରେ ଯାଞ୍ଚପରେ ବେଆଇନ ଭାବେ ଗଚ୍ଛିତ ଥିବା ୧ ହଜାର ୩୪୩ କୁଇଣ୍ଟାଲ ୧୦କେଜି ଧାନ ଜବତ କରାଯାଇଛି । ଗଚ୍ଛିତ ଥିବା ଧାନ କେଉଁଠୁ ଆସିଥିଲା ଏବଂ କାହାର ଧାନ-ସେ ସମ୍ପର୍କିତ କାଗଜପତ୍ର ଦେଖାଇପାରିନଥିଲେ ଗୋଦାମ ମାଲିକ ଶ୍ରୀ ପାଢି । ତେଣୁ ତାଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମାମାଲା ରୁଜୁ ହୋଇଛି ବୋଲି କୁନ୍ଦୁରା ବଜାର ନିରୀକ୍ଷକ ନୃସିଂହ ପ୍ରସାଦ ପଣ୍ଡା କହିଛନ୍ତି । ଏହି ଧାନ ମାଲକାନଗିରି ଜିଲ୍ଲାରୁ ଅଣାଯାଇଥିବା ଚର୍ଚ୍ଚା ହେଉଛି । ମଣ୍ଡି କାର୍ଯ୍ୟକାରୀ ହୋଇଥିଲେ ଏହାକୁ ବିକ୍ରି କରାଯାଇଥାନ୍ତା ।
ଏମ୍ଆଇ ଶ୍ରୀ ପଣ୍ଡା କହିଛନ୍ତି, ଦିଗାପୁରରେ ବେଆଇନ ଭାବେ ଧାନ କିଣାଯାଇ ଗଚ୍ଛିତ ଥିବା ଅଭିଯୋଗ ମିଳିଥିଲା । ଏହାକୁ ଆଧାର କରି ମଙ୍ଗଳବାର ସେଠାକୁ ଯାଇଥିଲେ ଯୋଗାଣ ବିଭାଗ ଅଧିକାରୀମାନେ । ଯାଞ୍ଚ ବେଳେ ଗୋଦାମ ମାଲିକଙ୍କ ଦେଖାମିଳିନଥିଲା । ବାରମ୍ବାର ଖବର ଦିଆଯିବା ପରେ ବି କେହି ଆସିନଥିଲେ । ବାଧ୍ୟ ହୋଇ ଗୋଦାମକୁ ସିଲ୍ କରାଯାଇଥିଲା । ଆଜି ପୁଣିଥରେ ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ରବିନାରାୟଣ ନନ୍ଦଙ୍କ ନେତୃତ୍ୱରେ ଏକ ଟିମ୍ ସେଠାକୁ ଯାଇଥିଲେ । ମାଜିଷ୍ଟେ୍ରଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୋଦାମ ଖୋଲାଯାଇଥିଲା । ଧାନ ଓଜନ କରାଯାଇଥିଲା । ଏହି ଧାନ ପରିବାର ଏବଂ ଗ୍ରାମବାସୀଙ୍କର ବୋଲି ସଫେଇ ଦେଇଥିଲେ ମାଲିକ ଶ୍ରୀ ପାଢି । କିନ୍ତୁ ଗଚ୍ଛିତ ଧାନ ସମ୍ପର୍କରେ କୌଣସି କାଗଜପତ୍ର ଦେଖାଇ ପାରିନଥିଲେ । ଯାଞ୍ଚ ବେଳେ ଶ୍ରୀ ପାଢିଙ୍କ ୧୦ ଏକର ଜମି ଥିବା ଜଣାପଡିଛି । ଏଥିରେ ଅଧିକ ହେଲେ ୩୦୦ କୁଇଣ୍ଟାଲ ଧାନ ଅମଳ ହୋଇଥିବ ବୋଲି ବଜାର ନିରୀକ୍ଷକ ଶ୍ରୀ ପଣ୍ଡା କହିଛନ୍ତି ।
ଗୋଦାମରେ ଚଢଉ ପରେ ଚାଷୀଙ୍କ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ପୂର୍ବରୁ ଚାଷୀ ଅଭିଯୋଗ କରିଥିଲେ, ମଣ୍ଡି ଆରମ୍ଭ ହେଉନଥିବାରୁ ବିଭିନ୍ନ ଗ୍ରାମରେ ଦଲାଲ ସକ୍ରିୟ ହୋଇଛନ୍ତି । ଚାଷୀଙ୍କଠାରୁ କମ ଦରରେ ଧାନ କିଣୁଛନ୍ତି । ତୁରନ୍ତ ମଣ୍ଡି ଆରମ୍ଭ ଦିଗରେ ପଦକ୍ଷେପ ନିଆଯାଉ । ଛୋଟଚାଷୀ ଧାର ଶୁଝିବାକୁ ବାଧ୍ୟ ହୋଇ କମ୍ ଦରରେ ଧାନ ବିକ୍ରି କରୁଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନିକଟରେ ସେମାନେ ଅଭିଯୋଗ କରିଥିଲେ ।
Comments are closed, but trackbacks and pingbacks are open.