
ବାଲେଶ୍ୱର,(ବି.ବି.ନୁ୍ୟଜ): କିଛି ବର୍ଷ ହେବ ବାଲେଶ୍ୱର ଜିଲ୍ଲାରେ ଥିବା ବିଭିନ୍ନ ଜଙ୍ଗଲରେ ନିଅାଁ ଲାଗୁଛି । ଏଥିରେ ଶହ ଶହ ହେକ୍ଟର ଜଙ୍ଗଲ ପୋଡ଼ି ନଷ୍ଟ ହେଉଛି । ଏହାକୁ ରୋକିବା ପାଇଁ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଏସବୁ ସତ୍ତେ୍ୱ ବିଗତ ୧୦ ବର୍ଷ ଭିତରେ ୩ଶହରୁ ଊଦ୍ଧ୍ୱର୍ ଥର ଜଙ୍ଗଲରେ ନିଅାଁ ଲାଗିଛି । ଏଥିରେ ୧୪ଶହରୁ ଅଧିକ ହେକ୍ଟର ଜଙ୍ଗଲ ନିଅାଁରେ ନଷ୍ଟ ହେଲାଣି । ପରିସ୍ଥିତି ଏମିତି ହୋଇଛି ଯେ ବନାଗ୍ନି ଏବେ ବେକାବୁ, ବନ ବିଭାଗ ନାକେଦମ୍ । ବାଲେଶ୍ୱର ଜିଲ୍ଲାରେ ମୋଟ୍ ୯୩୨,୨୧ ବର୍ଗ କି.ମି ଜଙ୍ଗଲ ରହିଛି । ଏଥିରେ ୯ଟି ସଂରକ୍ଷିତ, ୧୩ଟି ଅଣସଂରକ୍ଷିତ ଜଙ୍ଗଲ ଅଛି । ଏହି ସବୁ ଜଙ୍ଗଲକୁ ରକ୍ଷଣାବେକ୍ଷଣ କରିବା ପାଇଁ ଜିଲ୍ଲା ବନଖଣ୍ଡ ଅଧୀନରେ ନୀଳଗିରି, କୁଲଡ଼ିଆ, ସୋର, ଚାନ୍ଦିପୁର, ଜଳେଶ୍ୱର ବନାଞ୍ଚଳ ରହିଛି । ଚାରାରୋପଣଠାରୁ ଆରମ୍ଭ କରି ଜଙ୍ଗଲ, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି । ଏସବୁ ସତ୍ତେ୍ୱ ପ୍ରତିବର୍ଷ ଜିଲ୍ଲାରେ ଶହଶହ ହେକ୍ଟର ଜଙ୍ଗଲରେ ନିଅାଁ ଲାଗିବା ଜିଲ୍ଲାବାସୀଙ୍କୁ ଚକିତ କରିଛି ।
ତଥ୍ୟ ମୁତାବକ, ୨୦୧୨ରେ ଜିଲ୍ଲାରେ ୧୪ଥର ନିଅାଁ ଲାଗିଥିଲା । ଏଥିରେ ୬୧୭ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା । ୨୦୧୩ରେ ୬ ଥର ନିଅାଁ ଲାଗିଥିବାବେଳେ ୭.୫ ହେକ୍ଟର ଜଙ୍ଗଲ ଧ୍ୱଂସ ହୋଇଥିଲା । ୨୦୧୪ରେ ଜଙ୍ଗଲରେ ସେମିତି ବଡ଼ ଧରଣର ନିଅାଁ ଲାଗି କ୍ଷୟକ୍ଷତି ହୋଇ ନ ଥିଲା । ମାତ୍ର ୨୦୧୫ରେ ପୁନଶ୍ଚ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେହିବର୍ଷ ୨ଥର ନିଅାଁ ଲାଗିବା ସହ ୧୪.୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା । ୨୦୧୬ରେ ୪ ଥର ନିଅାଁ ଲାଗିଥିଲା । ଏଥିରେ ୫୪.୪୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା । ୨୦୧୭ରେ ୫ଥର ନିଅାଁ ଲାଗିଥିବାବେଳେ ସେଥିରେ ୧୨.୭ ହେକ୍ଟର ଜଙ୍ଗଲ ପୋଡ଼ି ଯାଇଥିଲା । ସେହିପରି ୨୦୧୮ରେ ଜିଲ୍ଲାରେ ୨୭ଥର ନିଅାଁ ଲାଗି ମୋଟ୍ ୨୨୬.୨୨ ହେକ୍ଟର ଜଙ୍ଗଲ ପୋଡ଼ିଯାଇଥିଲା । ଏହା ସେତେବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ୨୦୧୯ରେ ୧୦ଥର ନିଅାଁ ଲାଗିଥିଲା । ଏଥିରେ ୧୫.୧୯ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଥିଲା । ୨୦୨୦ରେ ଏହି ଘଟଣା ଆଶାଧିକ କମିଯାଇଥିଲା । ସେହିବର୍ଷ ୧୦ ଥର ନିଅାଁ ଲାଗିବା ସହ ୧୫.୧୯ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା ।
ତେବେ ସବୁବର୍ଷ ଅପେକ୍ଷା ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିଛି । ମିଳିଥିବା ତଥ୍ୟ ମୁତାବକ, ମାର୍ଚ୍ଚ ୮ ତାରିଖ ସୁଦ୍ଧା ଜିଲ୍ଲାରେ ୨୨୭ଥର ନିଅାଁ ଲାଗିଲାଣି । ଏଥିରେ ୧୨୯.୪୧୬ ହେକ୍ଟର ଜଙ୍ଗଲ ଜଳିସାରିଲାଣି । ସେଥିଥିରେ ନୀଳଗିରିରେ ବନାଞ୍ଚଳରେ ୧୩ ଥର ନିଅାଁ ଲାଗିଥିବାବେଳେ ୧.୬୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ଜଳେଶ୍ୱର ବନାଞ୍ଚଳରେ ୯ଥର ନିଅାଁ ଲାଗଛି । ଏଥିରେ ୨.୦୧୬ ହେକ୍ଟର ଜଙ୍ଗଲ ଜମି ନଷ୍ଟ ହୋଇଛି । ଚାନ୍ଦିପୁର ବନାଞ୍ଚଳରେ ୩ଥର ନିଅାଁ ଲାଗିଛି । ସୋର ବନାଞ୍ଚଳରେ ୪୯ଥର ନିଆଁ ଲାଗିସାରିଥିବାବେଳେ ୨୩.୨୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି । ସେହିଭଳି କୁଲଡିହାରେ ସବୁଠୁ ଅଧିକ ୧୫୩ଥର ନିଅାଁ ଲାଗି ୧୦୨.୫ ହେକ୍ଟର ଜଙ୍ଗଲ ନଷ୍ଟ ହୋଇସାରିଲାଣି । ଏବେବି ନିଅାଁ ଅଣାୟତ୍ତ । ଆଗକୁ ଆହୁରି ୪ମାସ ଖରା ହେବ । ଆହୁରି ଅଧିକ ଜଙ୍ଗଲ ମଧ୍ୟ ପୋଡ଼ିବ । ଜଙ୍ଗଲରେ ଯେଉଁ ନିଅାଁ ଲାଗୁଛି ତାହା ମଣିଷକୃତ । ସବୁଠାରୁ ବଡ଼ କଥା ହେଲା ଏହି ଅଭିଯୋଗରେ ବନ ବିଭାଗ ପକ୍ଷରୁ କାହାରିକୁ ବି ଗିରଫ କରାଯାଇନି ।


Comments are closed, but trackbacks and pingbacks are open.