ବେକାବୁ ହେଉଛି ଗଞ୍ଜାମ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ନୁ୍ୟଜ୍): କରୋନା ସଂକ୍ରମଣରେ ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି ଗଞ୍ଜାମ । ଶନିବାର ପୁଣି ୧୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ସକାଳେ ୧୨ଜଣ, ମଧ୍ୟାହ୍ନରେ ଜଣେ ଓ ଅପରାହ୍ନରେ ପୁଣି ୫ଜଣ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଘୋଷଣା କରିଛି । ଶନିବାର ରାଜ୍ୟରେ ୨୪ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରେ କେବଳ ୧୮ଜଣ ରହିଛନ୍ତି । ଏହି ୧୮ଜଣ ରୋଗୀ ଚିହ୍ନଟ ହେବା ପରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୮୯ରେ ପହଞ୍ଚିଛି । ସଂକ୍ରମିତଙ୍କ ଭିତରେ ୧୮ରୁ ୬୦ବର୍ଷ ପର୍ଯ୍ୟନ୍ତ ବୟସର ରହିଛନ୍ତି ।
ଚିହ୍ନଟ ରୋଗୀଙ୍କ ମଧ୍ୟରେ ଗୋÂୀ ସଂକ୍ରମଣ ନଥିଲେ ମଧ୍ୟ ଏବେ ରାଜ୍ୟରେ ସର୍ବାଧିକ ରୋଗୀ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । କେତେକ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ହାତ ମାରିଲେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସବୁଦିନ ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ିଯାଇଛି । ଏବେ ୫ଦିନ ହେଲା ପ୍ରଶାସନିକ ଅଧିକାରୀ, ପୁଲିସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ନିଦ ହଜିଯାଇଛି । ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ହାଇକୋର୍ଟ ରୋକ ଲଗାଇଥିଲେ କିନ୍ତୁ ସୁପ୍ରିମ୍କୋର୍ଟ ପ୍ରବାସୀ ମାନେ ନିଜସ୍ୱ ରାଜ୍ୟକୁ ଫେରିପାରିବେ ବୋଲି ରାୟ ଦେଇଛନ୍ତି । ଏହି ରାୟ ପରେ ପ୍ରବାସୀଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଶନିବାର ଦିନ ତମାମ୍ ଗୋଟିଏ ବି ଟ୍ରେନ୍ ଆସିନଥିବା ବେଳେ ରବିବାର ଗୋଟିଏ ଟ୍ରେନ୍ ଆସିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଆର୍ପିଏଫ୍ ଇନ୍ସପେକ୍ଟର ଦିଲ୍ଲୀପ କୁମାର । ଏଥିରେ ୧୨୭୩ଜଣ ଯାତ୍ରୀ ରହିଥିବା ବେଳେ ଗଞ୍ଜାମରୁ ୧୨୨୪ଜଣ, ନୟାଗଡ଼ରୁ ୧୭, ନବରଙ୍ଗପୁରରୁ ଜଣେ, ରାୟଗଡ଼ାରୁ ୧୧, କଟକରୁ ୧୪, ଖୋର୍ଦ୍ଧାରୁ ୬ଜଣ ରହିଥିବା ଆର୍ପିଏଫ୍ ପୁଲିସ ପକ୍ଷରୁ ସୂଚନା ମିଳିଛି । ରବିବାର ଚାରୋଟି ଟ୍ରେନ୍ ଓଡ଼ିଶା ଆସୁଥିବା ବେଳେ ଗୋଟିଏ ଟ୍ରେନ୍ ଦିନ ୧୨ଟାରେ ଜଗନ୍ନାଥପୁର ଷ୍ଟେସନ୍ରେ ପହଞ୍ଚିବ । ଆଜି ସୁରଟରୁ ବାହାରିଥିବା ଟ୍ରେନ୍ରେ ପ୍ରବାସୀ ମାନେ ଖୁସିରେ ଆସିଛନ୍ତି । ସେମାନେ ସେଠାରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଫୁଲ ପକାଇ ସମ୍ବର୍ଦ୍ଧିତ କରିବା ସହ ଜୟ ଜଗନ୍ନାଥ କହି ବାହାରିଥିଲେ ।
ସବୁଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ସମସ୍ତ ସନ୍ଦିଗ୍ଧଙ୍କୁ ନେଇ ଏବେ ପ୍ରଶାସନର ଚିନ୍ତା ବଢ଼ିଛି । ସଙ୍ଗରୋଧ କେନ୍ଦ୍ର ଉପରେ ୨୪ଘଣ୍ଟା ନଜର ରହୁଛି । ପୁଲିସ ଓ ପ୍ରଶାସନ ସଙ୍ଗେରୋଧ କେନ୍ଦ୍ରକୁ ନେଇ ଚିନ୍ତିତ ରହୁଥିବା ବେଳେ ରହୁଥିବା ସମସ୍ତ ଅନ୍ତେବାସୀ କିପରି ନଜ ଭିତରେ ସାମାଜିକ ଦୂରତା ରଖିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ବାଣତୁମ୍ବା ଗ୍ରାମର ଏକ ପରିବାର ୩ଜଣ ସଦସ୍ୟ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ନରହି ଘରକୁ ଫେରିଯିବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି । ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ହସ୍ତକ୍ଷେପ ପରେ ଉକ୍ତ ପରିବାରକୁ ତନରଡ଼ା ପଞ୍ଚାୟତରେ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ଗଞ୍ଜାମ ଜିଲ୍ଲାରେ ସବୁଦିନ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ସେମାନଙ୍କୁ କେଉଁଠି ରଖାଯିବ ଏବଂ ଚିକିତ୍ସା କରାଯିବ ତାକୁ ନେଇ ମଧ୍ୟ ପ୍ରଶାସନ ବଡ଼ ସମସ୍ୟାରେ ପଡ଼ିଛି । ତେବେ ଲକ୍ଷଣ ନଥିବା ରୋଗୀ ଏବଂ ଲକ୍ଷଣ ରହିଥିବା ଓ ଗୁରୁତର ରୋଗୀଙ୍କୁ ଅଲଗା ରଖି ଚିକିତ୍ସା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି । ଯେଉଁ ରୋଗୀଙ୍କର କୌଣସି ଲକ୍ଷଣ ନାହିଁ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟରରେ ରଖିବାକୁ ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ୍ କଲେଜରେ ଗୋଟିଏ ମାତ୍ର କୋଭିଡ୍ କେୟାର ସେଣ୍ଟର କରାଯାଇଛି । ଏଠାରେ ୫୦ଟି ଶଯ୍ୟା ରହିଛି । ଏଠାରେ ମଧ୍ୟ ରୋଗୀଙ୍କୁ ଚିକିତ୍ସା କରିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଲକ୍ଷଣ ରହୁଥିବା ଏବଂ ଗୁରୁତର ରୋଗୀଙ୍କୁ ଶୀଳଳାପଲ୍ଲୀ ଟାଟା ମେଡିକୋରେ ହୋଇଥିବା କୋଭିଡ୍-୧୯ ହସ୍ପିଟାଲ୍ରେ ରଖି ଚିକିତ୍ସା କରାଯିବ । କୋଭିଡ୍ ହସ୍ପିଟାଲ୍ରେ ଅଧିକ ରୋଗୀ ରହିଲେ ଡାକ୍ତର ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ଲକ୍ଷଣ ନଥିବା ରୋଗୀଙ୍କୁ କୋଭିଡ୍ କେୟାର୍ ସେଣ୍ଟରକୁ ପଠାଯିବାକୁ ବ୍ୟବସ୍ଥା କରାଯାଇଛି । କୋଭିଡ୍ ହସ୍ପିଟାଲ୍ରେ ୨ଶହ ଶଯ୍ୟା ରହିଛି ଏବଂ ଏଥିରେ ୨୦ଟି ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରହିଛି । ଏହାବ୍ୟତୀତ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ୨୦ଟି ଶଯ୍ୟାରେ ଭେଣ୍ଟିଲେଟର ସୁବିଧା ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons