ବେଙ୍ଗାଲୁରୁ: ପରିଶ୍ରମରୁ ଉପାର୍ଜିତ ଟଙ୍କାକୁ ଭବିଷ୍ୟତ ପାଇଁ ସଞ୍ଚୟ କରିଥିଲେ । କିଛି ଅଧିକ ଲାଭ ମିଳିବ ବୋଲି ମନରେ ଆଶା ବାନ୍ଧିଥିଲେ । କିନ୍ତୁ ଏହି ଆଶା ଯେ ପାଣିଫୋଟକା ଭଳି ମିଳେଇଯିବ, ତାହା ସେମାନେ କଳ୍ପନା କରିନଥିଲେ । ଏବେ ମୋଟା ସୁଧ ମିଳିବା ତ ଦୂର କଥା, ସେମାନଙ୍କ ଜମା ଟଙ୍କା ମଧ୍ୟ ମିଳିବା ନେଇ ଆଶଙ୍କା ଦେଖାଦେଇଛି । ଏହା ହେଉଛି ବେଙ୍ଗାଲୁରୁର କିଛି ହତଭାଗା ନିବେଶକଙ୍କ କାହାଣୀ ।
ବେଙ୍ଗାଲୁରୁର ଶିବାଜୀନଗରସ୍ଥିତ ଆର୍ଥିକ ସଂସ୍ଥା ‘ଆଇ ମନିଟାରି ଆଡ୍ଭାଇଜରି (ଆଇଏମଏ)’ରେ ସହସ୍ରାଧିକ ନିବେଶକ ଟଙ୍କା ଜମା କରିିଥିଲେ । ଭଲ ରିଟଣ୍ଣ ର୍ ମିଳିବ ବୋଲି ସେମାନଙ୍କୁ କୁହାଯାଇଥିଲା । ସେହି ଆଶାରେ ସେମାନେ କିଛି ନଭାବି ସବୁ ଟଙ୍କା ଜମା କରିଥିଲେ । ଏହିଭଳି ଭାବେ ଆଇଏମଏରେ ୨,୦୦୦ କୋଟିରୁ ଅଧିକ ଟଙ୍କା ସେମାନେ ଜମା ରଖିଥିଲେ । କିନ୍ତୁ ଟଙ୍କା ପାଇବା ପରେ ବ୍ୟାଙ୍କର ପ୍ରତିଷ୍ଠାତା ତଥା ମାଲିକ ମହମ୍ମଦ ମନ୍ସୁର ଖାନ୍ ଆଉ ଧରାଛୁଆଁ ଦେଉନାହାନ୍ତି । ମଝିରେ ମଝିରେ ଆବଶ୍ୟକ ବେଳେ ଲୋକମାନେ ଯେଉଁ ପରିମାଣର ଟଙ୍କା ଉଠାଉଥିଲେ ତାହା ବି ବନ୍ଦ ହୋଇଯାଇଛି ।
ଠକେଇର ଶିକାର ହୋଇଥିବା ଜାଣିସାରିବା ପରେ ଏବେ ନିବେଶକମାନେ ବ୍ୟାଙ୍କ କାର୍ଯ୍ୟାଳୟ ସାମ୍ନାରେ ହୋହଲ୍ଲା କରୁଛନ୍ତି । କିନ୍ତୁ ଟଙ୍କା ଫେରାଇବା ନେଇ କୌଣସି ସକାରାତ୍ମକ ଜବାବ ନଦେଇ ଓଲଟା ଆତ୍ମହତ୍ୟା କରିବେ ବୋଲି ମନ୍ସୁର ଖାନ୍ ଧମକ ଦେଇଛନ୍ତି । ଖାନ୍ଙ୍କ ଏହି ଧମକ ପରେ ନିବେଶକମାନେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି । କିଛି ବୃଦ୍ଧା ମହିଳା ନିବେଶକ ବ୍ୟାଙ୍କ ସାମ୍ନାରେ କାନ୍ଦି କାନ୍ଦି ନୟାନ୍ତ ହୋଇଛନ୍ତି ।
ଇତିମଧ୍ୟରେ ମନ୍ସୁର ଖାନ୍ଙ୍କର ଏକ ଅଡିଓ କ୍ଲିପ୍ ନିବେଶକଙ୍କ ହସ୍ତଗତ ହୋଇଛି । ଏଥିରେ ସେ କହିଛନ୍ତି, ‘‘ରାଜନେତା ଓ ସରକାରୀ ଅଧିକାରୀଙ୍କୁ ଲାଞ୍ଚ ଦେଇ ଦେଇ ମୁଁ ହତାଶ ହୋଇଗଲିଣି । ତେଣୁ ଆଉ ମୁଁ ପାରିବି ନାହିଁ । ଏବେ ଆତ୍ମହତ୍ୟା ଛଡ଼ା ମୋ ନିକଟରେ ଅନ୍ୟ କିଛି ବିକଳ୍ପ ନାହିଁ ।’’ ସିଟି ପୁଲିସ ନିକଟକୁ ଏହି ଅଡିଓ କ୍ଲିପ୍ ପଠାଯାଇଛି ।
ଖାନ୍ ଅଭିଯୋଗ କରିଛନ୍ତି, ‘‘ବରିଷ୍ଠ କଂଗ୍ରେସ ନେତା ତଥା ଶିବାଜୀନଗର ବିଧାୟକ ଆର ରୋଶନ୍ ବାଗ୍ ୪୦୦ କୋଟି ଟଙ୍କା ନେଇଥିଲେ । କିନ୍ତୁ ସେ ଟଙ୍କା ଫେରାଇବେ ନାହିଁ ବୋଲି କହିଛନ୍ତି । ଟଙ୍କା ମାଗିଲେ ଜୀବନରୁ ମାରିଦେବେ ବୋଲି ଧମକ ଦେଉଛନ୍ତି । ତେଣୁ ମୋ ନିକଟରେ ଆଉ ଅନ୍ୟ ରାସ୍ତା ନାହିଁ ।’’ ତେବେ ଏହି ଅଡିଓ କ୍ଲିପ୍କୁ ଯାଞ୍ଚ ପରେ ପୁଲିସ ଏବେ ତଦନ୍ତ ଚଳାଇଛି । ଖାନ୍ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମଧ୍ୟ ପୁଲିସ ଅନୁମାନ କରି ଚଢ଼ଉ ବ୍ୟାପକ କରିଛି । ଏବେ ସୁଦ୍ଧା ଖାନ୍ ଓ ତାଙ୍କ ପରିବାର ସଦସ୍ୟଙ୍କ ବାବଦରେ କୌଣସି ସୂଚନା ମିଳିନାହିଁ ।
ଖାନ୍ଙ୍କ ଏହି ଅଡିଓ କ୍ଲିପ୍ ଏବେ ହ୍ୱାଟ୍ସଆପ୍ରେ ଘୂରିବୁଲୁଛି । ଏହି କ୍ଲିପ୍ ପାଇବା ପରେ ନିବେଶକମାନେ ବରବାଦ ହୋଇଥିବା ନିଶ୍ଚିତ ହୋଇଛନ୍ତି । ତେଣୁ ସିଧା ଆଇଏମଏ କାର୍ଯ୍ୟାଳୟ ଯାଇ ଭଙ୍ଗାରୁଜା ଆରମ୍ଭ କରିଦେଇଛନ୍ତି । ଇତିମଧ୍ୟରେ ଅତିରିକ୍ତ ପୁଲିସ ଅଧିକାରୀ ପଠାଯାଇ ପରିସ୍ଥିତି ନିୟନ୍ତ୍ରଣ କରାଯାଇଛି ।
୨୦୦୬ରେ ଆରମ୍ଭ ହୋଇଥିବା ଆଇଏମଏ ମାସକୁ ୧୪ରୁ ୧୮ଧ ରିଟଣ୍ଣ ର୍ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଏହା ଏକ ପଞ୍ଜି ସ୍କିମ୍ ଭଳି ଚାଲିଥିଲା । ଏଭଳି ଲୋଭ ଦେଖାଇ କମ୍ପାନି ଲୋକଙ୍କଠାରୁ ୨,୦୦୦ କୋଟି ଟଙ୍କାର ଜମା ସଂଗ୍ରହ କରିନେଇଥିଲା । ନିବେଶକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ସମ୍ପ୍ରଦାୟର । ଆର୍ଥିକ ସଂସ୍ଥା ବ୍ୟତୀତ ଅଳଙ୍କାର, ରିଅଲ ଇଷ୍ଟେଟ, ସୁନା ବ୍ୟବସାୟ, ଫାର୍ମାସି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଆଇଏମଏ କାରବାର କରୁଛି । ଆଇଏମଏ ନିବେଶ ଟଙ୍କା ଏହିସବୁ ଦିଗରେ ବିନିଯୋଗ କରିଥାଇପାରେ ବୋଲି ମ୍ମ ଅନୁମାନ କରାଯାଉଛି । ପୁଲିସ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.