ବେଙ୍ଗାଲୁର ଆଇଆଇଏସ୍ସିରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ : କ୍ଷତିପୂରଣ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ବେଙ୍ଗାଲୁରରେ ଥିବା ସର୍ବ ବୃହତ ଭାରତୀୟ ବୈଜ୍ଞାନିକ ଅନୁଷ୍ଠାନ(ଆଇଆଇଏସ୍ସି)ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଓଡ଼ିଆ ଯୁବକ ଗୌତମ ବିଶ୍ୱାଳ(୨୩)ଙ୍କ ଜୁନ୍ ୩୦ରେ ମୃତ୍ୟୁ ଘଟିଥିଲା । ମୁଖ୍ୟ ଫାଟକ ନିକଟରେ ଡ୍ୟୁଟି କରୁଥିବା ବେଳେ ଫାଟକ ଭୁଶୁଡ଼ି ପଡ଼ିବାରୁ ଗୌତମ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଗୌତମଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ସହ ତାଙ୍କ ବିଧବା ମା’ଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆନ୍ଦୋଳନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ଗୌତମଙ୍କ ମା’ଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇ ଦିଆ ଯାଇଛି । କିନ୍ତୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିକରି ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି ।
ମିଳିଥିବା ଅଭିଯୋଗ ଅନୁଯାୟୀ, ଯାଜପୁର ଜିଲ୍ଲା ବରି ଅଞ୍ଚଳର ରମ୍ପା ଗ୍ରାମର ଗୌତମ ତାଙ୍କ ବିଧବା ମା’ଙ୍କର ଏକମାତ୍ର ସାହାଭରସା ଥିଲେ । ସେ ବେଙ୍ଗାଲୁର ଆଇଆଇଏସ୍ସିରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ଜୁନ୍ ୩୦ ତାରିଖରେ ୫ କୁଇଣ୍ଟାଲ ଓଜନର ମୁଖ୍ୟ ଫାଟକକୁ ଭିଡ଼ି ବନ୍ଦ କରୁଥିବା ବେଳେ ତାହା ଭୁଶୁଡ଼ି ଗୌତମଙ୍କ ଉପରେ ପଡ଼ିଥିଲା । ଫଳରେ ଚାପି ହୋଇ ଗୌତମଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ସଂପୃକ୍ତ ଅନୁଷ୍ଠାନ ଚପାଇ ଦେବା ପାଇଁ ଉଦ୍ୟମ କରିଥିଲା । କର୍ତ୍ତବ୍ୟରତ ଏକ ନିରୀହ ଲୋକର ମୃତ୍ୟୁ ଘଟଣାକୁ ଚାପିଦେବା ଘଟଣାକୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସହଜରେ ଗ୍ରହଣ କରିପାରି ନଥିଲେ । ତେଣୁ ସେମାନେ ୩ ଦିନ ଧରି ଶ୍ରେଣୀଗୃହ ବର୍ଜନ କରି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକଙ୍କ କକ୍ଷ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ନିର୍ଦ୍ଦେଶକ ଅନୁରାଗ କୁମାର ଛାତ୍ରଛାତ୍ରୀଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଥିଲେ । ମୁଖ୍ୟ ଫାଟକ ପୁନରୁଦ୍ଧାର କାର୍ଯ୍ୟ ଦାୟିତ୍ୱରେ ଥିବା ପ୍ରୋଜେକ୍ଟ ମ୍ୟାନେଜର କୁନଲ ଅରୁନ ଶର୍ମାଙ୍କୁ ଚାକିରିରୁ ପାଇଁ ନିଲମ୍ବିତ କରିଛନ୍ତିି । ଠିକା ସଂସ୍ଥାର ମାଲିକ ନାଗରାଜୁ ମଧ୍ୟ ଗିରଫ ହୋଇଛନ୍ତି । ଏଥିସହ ଗୌତମଙ୍କ ମୃତ୍ୟୁର ଉପଯୁକ୍ତ ତଦନ୍ତ ପାଇଁ ନିର୍ଦ୍ଦେଶକ ଏକ ଯାଞ୍ଚ କମିଟି ଗଠନ କରିଛନ୍ତି । କମିଟିରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ କରାଯାଇଛି । ମୃତ ଗୌତମଙ୍କ ପରିବାର ଲୋକଙ୍କୁ ଅନୁଷ୍ଠାନ ତରଫରୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons