ବେତାଳ ଦେବାକୁ କହି ଠକିନେଲେ ୧.୨ ଲକ୍ଷ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ପ୍ରଥମେ ଫେସବୁକରେ ବନ୍ଧୁତା । ତନ୍ତ୍ର ସାଧକ ବୋଲି ପରିଚୟ ଦେଇ ନିକଟତର । ପରେ ଦୁଃଖହରଣ କରିବାକୁ ୪ ଜିନ୍(ବେତାଳ) ଦେବାକୁ କହି ୧ ଲକ୍ଷ ୨୦ ହଜାର ଟଙ୍କା ଠକେଇ । ଠକେଇର ଶିକାର ହୋଇଛନ୍ତି ଗୁଜରାଟ ବରୋଦାର ଜିତେନ୍ଦ୍ର କୁମାର ଧୀରଜ ଭାଇ ମାଲି । ଲୁଟ୍ କରିଛନ୍ତି ଜୟପୁର ଅଞ୍ଚଳର ଜଣେ ବାବା । ଯିଏ ନିଜକୁ ଗଣେଶ ନାଥ ଅଘୋରୀ ବୋଲି ପରିଚୟ ଦେଇଛନ୍ତି । ଟାଉନ ପୁଲିସ ଏ ସମ୍ପର୍କରେ ଖବର ପାଇ ଲୁଟ୍ ଟଙ୍କା ଉଦ୍ଧାର କରିଛି । ଜିତେନ୍ଦ୍ରଙ୍କ ବ୍ୟାଙ୍କ ପାସବୁକ୍ରେ ଟଙ୍କା ଜମା କରିବାରେ ସହଯୋଗ କରିଛି ।
ଏ ସମ୍ପର୍କରେ ଆଇଆଇସି ବାଲେଶ୍ୱର ଗିଦ୍ଧି କହିଛନ୍ତି, ବରୋଦା ଅଞ୍ଚଳର ଜିତେନ୍ଦ୍ର ତାଙ୍କୁ କିଛି ଦିନ ତଳେ ଫୋନ କରିଥିଲେ । ଲୁଟ୍ର ଶିକାର ହୋଇଥିବା ସମ୍ପର୍କରେ ଜଣାଇଥିଲେ । କହିଥିଲେ, ଫେସବୁକ୍ରେ ‘ସମ୍ସାନ ଅଘୋରୀ’ ନାମରେ ଏକ ଆଇଡି ରହିଛି । ଯାହାକୁ ଗଣେଶନାଥ ଅଘୋରୀ ନାମକ ଜଣେ ବ୍ୟକ୍ତି ପରିଚାଳନା କରୁଛନ୍ତି । ତାଙ୍କୁ ବନ୍ଧୁତା ଅଫର ଆସିଥିଲା । ବନ୍ଧୁତା ସ୍ଥାପନ ପରେ ଗଣେଶନାଥ ନିଜକୁ ତନ୍ତ୍ରସାଧକ ବୋଲି ପରିଚୟ ଦେଇଥିଲେ । କହିଥିଲେ ଗୁରୁଙ୍କ ନାଁ ଶ୍ରୀ ପଶୁପତିନାଥ ଅଘୋରୀ, ତାରାପୀଠ, ମହାସମସାନ୍, ପଶ୍ଚିମବଙ୍ଗ ବୋଲି । ତନ୍ତ୍ରମନ୍ତ୍ର ଦ୍ୱାରା ଅସାଧ୍ୟ ସାଧନ କରୁଥିବା କହିଥିଲେ । ଫୋନ ନମ୍ବର ଆଦାନ ପ୍ରଦାନ ପରେ ନିଜ ଘର ସମସ୍ୟା ସମ୍ପର୍କରେ ବାବାଙ୍କୁ କହିଥିଲେ ଜିତେନ୍ଦ୍ର । ସମସ୍ୟା ଶୁଣି ତାଙ୍କୁ ଗୁଣିଗାରେଡି କରାଯାଇଥିବା ବାବା କହିଥିଲେ । ୪ଟି ଜିନ୍(ବେତାଳ) ଦ୍ୱାରା ସଫଳତା ମିଳିବ, ଘରେ ଶାନ୍ତି ଆସିବ ଏବଂ କରାଯାଇଥିବା ଗୁଣିଗାରେଡି ଛାରଖାର ହୋଇଯିବ ବୋଲି କହିଥିଲେ ବାବା । ଏଥିଲାଗି ୧ ଲକ୍ଷ ୨୦ ହଜାର ଟଙ୍କା ଲାଗିବ ବୋଲି କହିଥିଲେ । ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା ପରେ ଜିନ୍ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଜୟପୁରର ଲକ୍ଷ୍ମୀ ନାରାୟଣ ନାୟକ ନାମକ ବ୍ୟକ୍ତିଙ୍କ ଆଇସିଆଇସି ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ ।
ଗତ ଅକ୍ଟୋବର ୧୬ରେ ଜିତେନ୍ଦ୍ର ୧ ଲକ୍ଷ ୨୦ ହଜାର ଟଙ୍କା ଆରଟିଜିଏସ କରିଥିଲେ । ୧୭ ତାରିଖରେ ଟଙ୍କା ମିଳିଗଲା ବୋଲି ବାବା ହ୍ୱାଟ୍ସଆପ୍ରେ ମେସେଜ କରିଥିଲେ । କୋଲକାତାରୁ ବରୋଦା ଅଭିମୁଖେ ବାହାରିଲେ ବୋଲି ଫୋନ୍ରେ କହିଥିଲେ । ଆଜିକାଲି ପହଞ୍ଚୁଥିବା କହି ୨୦ ତାରିଖ ହୋଇଯାଇଥିଲା । ଗୁଜରାଟର ଦାହୋଡରେ ପହଞ୍ଚିଲେ ବୋଲି ଅପରାହ୍ନ ୪ଟା ୧୫ରେ କହିଥିଲେ ଏହି ଭଣ୍ଡ ବାବା । ପରେ ମୋବାଇଲ ସୁଇଚ ଅଫ୍ ହୋଇଯାଇଥିଲା । ଏହାପରେ ଜିତେନ୍ଦ୍ରଙ୍କ ମୁଣ୍ଡରେ ଚଡ଼କ ପଡିଥିଲା । ଠକାମୀର ଶିକାର ହୋଇଥିବା ଭାବି ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ । ଜୟପୁରର ଲକ୍ଷ୍ମୀ ନାରାୟଣଙ୍କ ଖାତାରେ ଟଙ୍କା ଜମା ହୋଇଥିବା ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରି ଶ୍ରୀ ଗିଦ୍ଧିଙ୍କ ସହ ଯୋଗାଯୋଗ କରିଥିଲେ । ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ପରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ଜିତେନ୍ଦ୍ର ।
ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲେ ଶ୍ରୀ ଗିଦ୍ଧି । ବ୍ୟାଙ୍କ କର୍ମଚାରୀଙ୍କ ପାଖରୁ ତଥ୍ୟ ସଂଗ୍ରହ କରି ଲକ୍ଷ୍ମୀ ନାରାୟଣ ନୂଆସାହି ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲେ । ଥାନାକୁ ଡକାଇ ଏ ସମ୍ପର୍କରେ ପଚାରିବା ପରେ ଲକ୍ଷ୍ମୀ ଟଙ୍କା ଆସିଥିବା କଥା ମାନିଥିଲେ । ତାଙ୍କ ଭିଣୋଇଙ୍କ ପାଇଁ କେହି ଜଣେ ପଠାଇଥିବା କହିଥିଲେ । ସବୁଟଙ୍କା ଉଠାଇ ଭିଣୋଇଙ୍କୁ ଦେଇ ଦେଇଥିବା ପୁଲିସକୁ କହିଥିଲେ । ଏହା ଏକ ଠକେଇ । ତୁରନ୍ତ ଟଙ୍କା ଫେରସ୍ତ କରିବାକୁ ପରାମର୍ଶ ଦେଇଥିଲେ ଶ୍ରୀ ଗିଦ୍ଧି । ଆଜି ଲକ୍ଷ୍ମୀ ସମସ୍ତ ୧ ଲକ୍ଷ ୨୦ ହଜାର ଟଙ୍କା ଜିତେନ୍ଦ୍ରଙ୍କ ବ୍ୟାଙ୍କ ଖାତାରେ ଜମା କରିଥିଲେ । ଏ ସମ୍ପର୍କରେ ଗୁଜରାଟ ବରୋଦା ଥାନାରେ କୌଣସି ଅଭିଯୋଗ ହୋଇନି । ସାମାଜିକ ଗଣମାଧ୍ୟମରେ ବନ୍ଧୁତା ବାନ୍ଧି ଲୋକେ ଏଭଳି ଠକେଇର ଶିକାର ହେଉଛନ୍ତି । ଏଥିପ୍ରତି ସତର୍କ ରହିବା ଦରକାର ବୋଲି କହିଛନ୍ତି ଆଇଆଇସି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons