ଅନୁଗୁଳ,(ବି.ବି.ନୁ୍ୟଜ୍): ଇଚ୍ଛା ଥିଲେ ଉପାୟ ବଳେ ଆସେ, ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ପ୍ରତିବନ୍ଧକ ହାର୍ ମାନେ । ଏକଥା ପ୍ରମାଣିତ ହୋଇଛି ଅନୁଗୁଳର ଜଣେ ବ୍ୟାଗ୍ ବିକାଳିଙ୍କ ପୁଅ ଶୁଭ୍ରାଂଶୁ କ୍ଷେତ୍ରରେ । ବାପା ସିନା ବ୍ୟାଗ୍ ବିକି ପରିବାର ଚଳାଉଛନ୍ତି, ହେଲେ ଦୃଢ଼ମନା ପୁଅ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ‘ମାଭିକ୍’ ନାମକ ଏକ ପ୍ରକଳ୍ପ ପ୍ରସ୍ତୁତ କରି ‘ନାସା’ ବୈଜ୍ଞାନିକଙ୍କ ହୃଦୟ ଜିତିଛନ୍ତି । କେବଳ ହୃଦୟ ଜିତିନାହାନ୍ତି ଜଣେ ନାସା ବୈଜ୍ଞାନିକ ହେବାର ସ୍ୱପ୍ନର ମୂଳଦୁଆ ମଧ୍ୟ ପକାଇଛନ୍ତି । ଆସନ୍ତା ଜାନୁଆରୀ ପହିଲାରେ ଆମେରିକାର ୱାସିଂଟନ୍ ଡିସିରେ ହେବାକୁ ଥିବା ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତାରେ ଭାଗ ନେବାକୁ ତାଙ୍କୁ ଡକରା ଆସିଛି ।

ନାସା ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖୁଥିବା ଏହି ବାଳକ ହେଲେ ଶୁଭ୍ରାଂଶୁ ନାୟକ(୧୪) । ଘର ଅନୁଗୁଳ ସହର ଉପକଣ୍ଠ ହୁଲୁରିସିଂହାରେ । ବାପା ଲକ୍ଷ୍ମଣ ନାୟକ ଓ ମା’ ସୁଲୋଚନା ନାୟକଙ୍କ ଏକମାତ୍ର ପୁତ୍ର, ଶୁଭ୍ରାଂଶୁ । ଲକ୍ଷ୍ମଣ ବ୍ୟାଗ୍ ତିଆରି କରି ହୋଲସେଲ୍ରେ ବିକ୍ରି କରନ୍ତି । ଏଥିରୁ ଯାହା ରୋଜଗାର ହୁଏ ସେତିକିରେ ଚଳିଯାଏ ତେଲଲୁଣର ଅଭାବୀ ପରିବାର । ଅଭାବ ଅନଟନ ସତ୍ତେ୍ୱ ଲକ୍ଷ୍ମଣ କେବେ କିନ୍ତୁ ପୁଅର ସ୍ୱପ୍ନକୁ ମାରି ଦେବାକୁ ଉଦ୍ୟମ କରିନାହାନ୍ତି । ରକ୍ତକୁ ପାଣି କରି ପୁଅର ସବୁ ଅଭିଳାଷ ପୂରଣ କରିବାକୁ ଯଥାସାଧ୍ୟ ପ୍ରୟାସ ଚଳାଇଛନ୍ତି ।
ଶୁଭ୍ରାଂଶୁ ଗାନ୍ଧିମାର୍ଗ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ନବମ ଶ୍ରେଣୀରେ ପଢ଼ୁଛନ୍ତି । ସ୍କୁଲରେ ବର୍ଷେ ତଳୁ ଆରମ୍ଭ ହୋଇଥିବା ଅଟଳ ଟିଙ୍କରିଙ୍ଗ୍ ଲ୍ୟାବ୍ (ଏଟିଏଲ୍) ହିଁ ତାଙ୍କୁ ନାସା ପର୍ଯ୍ୟନ୍ତ ବାଟ କଢ଼ାଇ ନେଇଛି । ପ୍ରାୟ ୬୫ ହଜାର ଟଙ୍କା ଖର୍ଚ୍ଚ କରି ପ୍ରସ୍ତୁତ କରିଛନ୍ତି ଏକ ପ୍ରକଳ୍ପ, ‘ମାଭିକ୍’ । ଗୁଗୁଲ୍ ମ୍ୟାପ୍ ଦ୍ୱାରା ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିବା ଭଳି ଏହି ‘ମାଭିକ୍’ ଯନ୍ତ୍ର ଆକାଶ ମାର୍ଗରେ ଯାଇ ଦୁର୍ଗମ ଅଞ୍ଚଳ ଓ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇବ । ସବୁ ସ୍ଥାନକୁ ଡାକ୍ତର ଯିବା ସମ୍ଭବ ନୁହଁ । ଏଭଳି ପରିସ୍ଥିତିରେ ଏହି ‘ମାଭିକ୍’ ଫାଷ୍ଟଏଡ୍ ଧରି ଘଟଣା ସ୍ଥଳରେ ପହଞ୍ଚିବ । ଘଟଣାସ୍ଥଳରେ ଥିବା ଲୋକ କ୍ୟାମେରାରେ ଡାକ୍ତରଙ୍କୁ ଦେଖି ପାରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀର ଚିକିତ୍ସା କରିପାରିବେ । ଏଭଳି ଏକ ଯନ୍ତ୍ର ତିଆରି କରି ସେ ନାସା ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଗତବର୍ଷ ଶୁଭ୍ରାଂଶୁଙ୍କ ହାତ ଭାଙ୍ଗିଥିଲା । ଘରେ ବସି କ’ଣ କରିବେ? ଏଟିଏଲ୍ରେ ଶିକ୍ଷାଦାନକୁ ଆଧାର କରି ‘ମାଭିକ୍’ ନିର୍ମାଣରେ ଲାଗି ପଡ଼ିଥିଲେ । ଏଥିପାଇଁ ବାପା ଲକ୍ଷ୍ମଣ ଏକ ଲାପଟପ୍ ଓ ପ୍ରକଳ୍ପ ପାଇଁ ସମସ୍ତ ଉପକରଣ ଆଣି ଦେଇଥିଲେ । ପ୍ରାୟ ୩ ମାସ ରାତିଦିନ ଏକ କରି ଶୁଭ୍ରାଂଶୁ ତାଙ୍କର ପରିକଳ୍ପିତ ଯନ୍ତ୍ରଟିକୁ ପୂର୍ଣ୍ଣାଙ୍ଗ କରିବାରେ ସଫଳ ହୋଇଥିଲେ । ପ୍ରକଳ୍ପ ନିର୍ମାଣରେ ସ୍କୁଲର ବିଜ୍ଞାନ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ୍ଙ୍କ ମଧ୍ୟ ପ୍ରମୁଖ ଭୂମିକା ରହିଛି ।
ଶୁଭ୍ରାଂଶୁ ୟୁଟୁ୍ୟବ୍ ଅଣ୍ଡାଳୁ ଅଣ୍ଡାଳୁ ହାଇଦ୍ରାବାଦ୍ର ଜଣେ ବାଳକ ନାସା ପ୍ରତିଯୋଗିତାରେ ଭାଗ ନେଇ ପ୍ରସିଦ୍ଧି ହାସଲ କରିଥିବା ଜାଣିବାକୁ ପାଇଥିଲେ । ସେହି ଅନୁସାରେ ସେ ନାସାର ୱେବସାଇଟ୍କୁ ଯାଇ ଗତ ଏପ୍ରିଲ୍ ମାସରେ ନିଜର ପ୍ରକଳ୍ପ ଅପଲୋଡ୍ କରିଥିଲେ । ଶୁଭ୍ରାଂଶୁଙ୍କ ପ୍ରକଳ୍ପ ନାସା ବୈଜ୍ଞାନିକଙ୍କୁ ଆଚମ୍ବିତ କରି ଦେଇଥିଲା । ଏହା ପରେ ଗତ ମେ’ ୧୦ ତାରିଖରେ ସ୍କୁଲକୁ ଶୁଭ୍ରାଂଶୁଙ୍କ ନାମରେ ଏକ ଚିଠି ଆସିଥିଲା । ସାରା ବିଶ୍ୱର ହଜାର ହଜାର ପିଲାଙ୍କୁ ପଛରେ ପକାଇ ଶୁଭ୍ରାଂଶୁ ଦ୍ୱିତୀୟ ସ୍ଥାନ ହାସଲ ନାସା ସ୍ପେସ୍ ସେଟେଲମେଣ୍ଟ ପ୍ରତିଯୋଗିତାକୁ ମନୋନୀତ ହୋଇଥିଲେ । ଏହି ପ୍ରତିଯୋଗିତାରେ ଭାରତରୁ ଶୁଭ୍ରାଂଶୁଙ୍କ ସମେତ ମାତ୍ର ୨ ଜଣ ଏବଂ ସାରା ବିଶ୍ୱରୁ ୧୩୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ।
ନାସାରୁ ଡକରା ଆସିବା ପରେ ପ୍ରକଳ୍ପକୁ ଅଧିକ ବିକଶିତ କରିବା ପାଇଁ ଶୁଭ୍ରାଂଶୁ ଜୋରଦାର ପରିଶ୍ରମ କରୁଛନ୍ତି । ନାସା ଚୟନ ପରେ ଦିଲ୍ଲୀରୁ ପ୍ରଫେସର ଆସି ତାଙ୍କୁ ୧୦ ଦିନର ପ୍ରଶିକ୍ଷଣ ଦେଇଛନ୍ତି । ଆସନ୍ତା ଜାନୁଆରୀ ପହିଲାରେ ଏହି ପ୍ରତିଯୋଗିତା ଆରମ୍ଭ ହେବ । ଶୁଭ୍ରାଂଶୁଙ୍କ ସହିତ ବିଜ୍ଞାନ ଶିକ୍ଷକ ଶ୍ରୀ ଡାଙ୍ଗ୍ ଚଳିତ ମାସ ୨୭ ତାରିଖରେ ଆମେରିକା ଗସ୍ତ କରିବେ । ଏଥିପାଇଁ ପାସପୋର୍ଟ ଓ ଭିସା ତାଙ୍କୁ ମିଳି ସାରିଲାଣି । ଆମେରିକା ଗସ୍ତ ପାଇଁ ସମସ୍ତ ଆର୍ଥିକ ସହାୟତା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗାଇ ଦେବେ । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ ଯଥାସମ୍ଭବ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପୁଅର ବୈଜ୍ଞାନିକ ହେବାର ସ୍ୱପ୍ନ ସାକାର କରିବାକୁ ବାପା ଲକ୍ଷ୍ମଣ ଉତ୍ସାହିତ ଥିବା ବେଳେ ଅର୍ଥାଭାବ ତାଙ୍କୁ ମାଡି ମାଡି ପଡ଼ୁଛି । ପୁଅକୁ ବଡ଼ ମଣିଷ କରିବା ପାଇଁ ସେ ସାହାଯ୍ୟ ଲୋଡିଛନ୍ତି । ଶୁଭ୍ରାଂଶୁ କହିଛନ୍ତି, ବୈଜ୍ଞାନିକ ହେବାକୁ ପିଲାଟି ବେଳୁ ଇଚ୍ଛା । ‘ମାଭିକ୍’ ଭଳି ଆଉ ୩ଟି ପ୍ରକଳ୍ପ ତିଆରି କରିବାକୁ ଯୋଜନା କରିଛି । ହେଲେ ପ୍ରକଳ୍ପ ପାଇଁ ଉପକରଣ ଯୋଗାଡ଼ କରିବାରେ ଅର୍ଥ ପ୍ରତିବନ୍ଧକ ସାଜିଥିବାରୁ ପ୍ରକଳ୍ପ କାମ ଆଗେଇ ପାରୁନି । ନାସା ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିବା ପରେ ମନୋବଳ ବଢ଼ିଛି । ଶତ ପ୍ରତିଶତ ପ୍ରଦର୍ଶନ ଦେଇ ନାସାରେ ପ୍ରଥମ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।
Comments are closed, but trackbacks and pingbacks are open.