ବୋମା ଫୁଟି ଛପର ଉଡ଼ିଗଲା

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ସହରର ଗଣେଶ ବଜାରଠାରେ ଥିବା ଫରେଷ୍ଟ କଲୋନୀରେ ବୁଧବାର ମଧ୍ୟାହ୍ନରେ ଘଟିଛି ଭୟାବହ ବିସ୍ଫୋରଣ । ହାତୀ ଘଉଡ଼ାଇବା ପାଇଁ ଥିବା ବୋମା ବିସ୍ଫୋରଣ ହେବାରୁ କଲୋନୀର ଆଜବେଷ୍ଟସ୍ ଛପର ଉଡି ଯାଇଛି । ଏଥିରେ ହାତୀ ସ୍କ୍ୱାଡ୍ର ଜଣେ କର୍ମଚାରୀ ସୁଜିତ୍ ସାମଲ (୩୫) ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଢେଙ୍କାନାଳ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣରେ ଏକ ମୋଟର ସାଇକେଲ୍ ଓ ଘରର ଆସବାବପତ୍ର ମଧ୍ୟ ପୋଡ଼ି ଯାଇଛି ।
ଢେଙ୍କାନାଳ ସହରର ଅତି ଜନଗହଳିପୂର୍ଣ୍ଣ ସ୍ଥାନ ଗଣେଶ ବଜାରଠାରେ ରହିଛି ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ମୁଖ୍ୟ କାର୍ଯ୍ୟାଳୟ । କାର୍ଯ୍ୟାଳୟକୁ ଲାଗି ରହିଛି କଲୋନୀ । ଜନବସତି ଅଞ୍ଚଳରେ ଉପଦ୍ରବ କରୁଥିବା ହାତୀ ଘଉଡ଼ାଇବା ଉଦେ୍ଧଶ୍ୟରେ ବୋମା ବ୍ୟବହୃତ ହୋଇଥାଏ । କଲୋନୀର ଏକ ଆଜବେଷ୍ଟସ୍ ଘର ମଧ୍ୟରେ ଶତାଧିକ ବୋମା ଗଚ୍ଛିତ ରଖାଯାଇଥିଲା । ଏହି ବୋମା ବୁଧବାର ଅନ୍ୟ ଏକ କୋଠରୀକୁ ସ୍ଥାନାନ୍ତର କରାଯିବା ବେଳେ କୌଣସି କାରଣରୁ ତାହା ଫୁଟି ଯାଇଥିଲା । ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ, ସହରର ୩-୪ କିଲୋମିଟର ଦୂରକୁ ଶବ୍ଦ ଶୁଭାଯାଇଥିଲା । ବିସ୍ଫୋରଣରେ ଘରର ଆଜବେଷ୍ଟସ୍ ଛପର ଉଡ଼ି ୧୦୦ ମିଟର ଦୂର ଗୋପବନ୍ଧୁ ଟାଉନ ହଲ୍ ନିକଟରେ ପଡ଼ିଥିଲା । ବୋମା ସ୍ଥାନାନ୍ତରରେ କାର୍ଯ୍ୟରତ ହାତୀସ୍କ୍ୱାଡ୍ର କର୍ମଚାରୀ ସୁଜିତ୍ ବିସ୍ଫୋରଣରେ ଛିଟିକି ହୋଇ ପଡ଼ିଥିଲେ । ତାଙ୍କ ମୁହଁ, ହାତ, ଗୋଡ଼, ପେଟ ଓ ଆଖିରେ ଗଭୀର କ୍ଷତ ହୋଇଛି ।
ଖବରପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ଗୁରୁତର ସୁଜିତ୍ଙ୍କୁ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତାଙ୍କ ଶରୀରର ୬୦ ଭାଗରୁ ଅଧିକ ପୋଡ଼ିଯାଇଥିବା ଜଣାପଡ଼ିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି । ସୁଜିତ୍ଙ୍କ ଘର ଢେଙ୍କାନାଳ ସହର ଦେଉଳସାହିରେ । ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟ, ସଦର ତହସିଲ୍ଦାର ଲକ୍ଷ୍ମୀଧର ରାଉତ, ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର, ଟାଉନ୍ ଥାନା ଅଧିକାରୀ ଜ୍ଞାନରଂଜନ ସାମଲ ସାଇଣ୍ଟିଫିକ୍ ଟିମ୍ ଓ ବମ୍ ସ୍କ୍ୱାଡ୍ ସହ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛନ୍ତି । କେଉଁ କାରଣରୁ ଏତେବଡ଼ ବିସ୍ଫୋରଣ ଘଟିଲା ସେ ସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ ପରେ ଜଣାପଡ଼ିବ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି । ତେବେ ସହର ମଧ୍ୟସ୍ଥ ଜନଗହଳିପୂର୍ଣ୍ଣ ଫରେଷ୍ଟ କଲୋନୀରେ କିଭଳି ଭାବରେ ଏତେ ପରିମାଣର ବୋମା ଗଚ୍ଛିତ ରଖାଯାଇଥିଲା ତାହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି । ଏହାକୁ ନେଇ ଅଞ୍ଚଳବାସୀ ଏକପ୍ରକାର ଭୟଭୀତ ହେବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons