ନବରଙ୍ଗପୁର: ଇନ୍ଦ୍ରାବତୀ ନଦୀରୁ ବାଲି ଉଠାଣକୁ ନେଇ ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘ ବୋରିଗୁମ୍ମା ତହସିଲଦାରଙ୍କୁ ୩ ଘଣ୍ଟା ଧରି ନଦୀପଠାରେ ଘେରିଥିଲା । ବୋରିଗୁମ୍ମା ତହସିଲ ଅଞ୍ଚଳରୁ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗରେ ତହସିଲଦାର ଟ୍ରାକ୍ଟରୁ ଫାଇନ୍ ଆଦାୟ ପାଇଁ ପ୍ରସ୍ତୁତ ହୋଇଥିଲେ । କିନ୍ତୁ ଉକ୍ତ ଅଞ୍ଚଳ ନବରଙ୍ଗପୁର ତହସିଲ ଅନ୍ତର୍ଗତ ଥିବା ସଂଘ ପକ୍ଷରୁ କୁହାଯାଇଥିଲା । ଶେଷରେ ନବରଙ୍ଗପୁର ତହସିଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଦୀର ସୀମା ଚିହ୍ନଟ କରିଥିଲେ । ଉକ୍ତ ବାଲିପଠା ନବରଙ୍ଗପୁର ତହସିଲ ଅଞ୍ଚଳର ବୋଲି ସ୍ପଷ୍ଟ ହେବା ପରେ ବୋରିଗୁମ୍ମା ତହସିଲାଦର ସୁବାସ ଚନ୍ଦ୍ର ରଇତଙ୍କୁ ଛାଡିଥିଲା ସଂଘ ।
ସୂଚନାଯୋଗ୍ୟ, ନବରଙ୍ଗପୁର ଜିଲ୍ଲା ଓ କୋରାପୁଟ ଜିଲ୍ଲା ସୀମାରେ ଇନ୍ଦ୍ରବତୀ ନଦୀ ପ୍ରବାହିତ ହେଉଛନ୍ତି । ନଦୀର ଗୋଟିଏ ଭାଗ ନବରଙ୍ଗପୁର ଜିଲ୍ଲା ଓ ଆରପଟ କୋରାପୁଟ ଜିଲ୍ଲାର । ନବରଙ୍ଗପୁର ତହସିଲ ଅଞ୍ଚଳରୁ ବାଲି ଉଠାଣ ପାଇଁ ଆଜି ସକାଳେ ନବରଙ୍ଗପୁର ସହରରୁ ୪/୫ଟି ଟ୍ରାକ୍ଟର ଯାଇଥିଲା । ତେବେ ନଦୀରେ ପାଣି ଥିବା ଯୋଗୁ ଟ୍ରାକ୍ଟରଗୁଡିକ କୋରାପୁଟ ଜିଲ୍ଲା ବୋରିଗୁମ୍ମା ତହସିଲ ଅଞ୍ଚଳ ଦେଇ ନଦୀ ଭିତରୁ ବାଲି ଉଠାଉଥିବା ବେଳେ ବୋରିଗୁମ୍ମା ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ବାଲି ଚୋରି ହୋଉଥିବା ଅଭିଯୋଗ କରିଥିଲେ । ପରେ ଟ୍ରାକ୍ଟରଗୁଡିକୁ ଜବତ କରି ଜରିମାନା ଆଦାୟ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର ସଭାପତି କାହ୍ନୁ ଦାସ, ଉତ୍ତମ ତ୍ରିପାଠୀ, ସାନୁଜ ତ୍ରିପାଠୀ, ମନୋଜ ସଗରିଆ ସମେତ ଟ୍ରାକ୍ଟର ମାଲିକ ସଂଘର ଶତାଧିକ କର୍ମକର୍ତ୍ତା ପହଞ୍ଚି ସୀମାକୁ ନେଇ ବୋରିଗୁମ୍ମା ତହିସଦାରଙ୍କୁ ଘେରିଥିଲେ । ତେବେ ତହସିଲଦାର ଲକ୍ଷାଧିକ ଟଙ୍କାର ଜରିମାନା ଆଦାୟ କରାଯିବ ବୋଲି ଚେତାବନୀ ଦେଇଥିଲେ । ଶେଷରେ ନବରଙ୍ଗପୁର ତହସିଲ କର୍ମଚାରୀ ପହଞ୍ଚି ଇନ୍ଦ୍ରାବତୀ ନଦୀରୁ ଉଠାଣ ହୋଉଥିବା ବାଲି ପଠା ନବରଙ୍ଗପୁର ତହସିଲ ଅଞ୍ଚଳର ବୋଲି ସ୍ପଷ୍ଟ କରିବା ପରେ ବୋରିଗୁମ୍ମା ତହସିଲଦାର ଥଣ୍ଡା ପଡିଥିଲେ । କିନ୍ତୁ ବୋରିଗୁମ୍ମା ତହସିଲ ଅଞ୍ଚଳରେ ପ୍ରବେଶ କରି ବାଲି ଚୋରି କରୁଥିବା ନେଇ ତହସିଲଦାର ଅଭିଯୋଗ କରିଥିଲେ । ତେବେ ଦୀର୍ଘ ୩ ଘଣ୍ଟା ଧରି ଯୁକ୍ତିତର୍କ ପରେ ଟ୍ରାକ୍ଟର ମାଲିକମାନେ ବୋରିଗୁମ୍ମା ତହସିଲ ପକ୍ଷରୁ ରୟାଲଟି କାଟି ବାଲି ଉଠାଣ ପାଇଁ ଅନୁମତି ଦେବାକୁ ତହସିଲଦାରଙ୍କୁ କହିଥିଲେ । ଏନେଇ ତହସିଲଦାର ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର କର୍ମକର୍ତ୍ତାଙ୍କୁ ବୋରିଗୁମ୍ମା ତହସିଲ କାର୍ଯ୍ୟାଳୟରେ ଆଲୋଚନା ପାଇଁ ଡକାଇଥିବା ଟ୍ରାକ୍ଟର ମାଲିକ ସଂଘ ସଭାପତି କହିଛନ୍ତି ।
ରିପୋର୍ଟ: ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.