
ମୈଦଲପୁର,(ବି.ବି.ନୁ୍ୟଜ): ପାପଡାହାଣ୍ଡି ବ୍ଲକ୍ ମୈଦଲପୁର ଫାଣ୍ଡି ଅନ୍ତର୍ଗତ ହାଟପଦା ନିକଟରେ ଏକ ବୋଲେରୋ ଧକ୍କାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ମୈଦଲପୁରର କେଦାରନାଥ ନାୟକ(୫୫) ଓ ପଣ୍ଡିକୋଟ ଗାଁର ଲକ୍ଷ୍ମଣ ଜାନୀ(୪୦) । ସେମାନଙ୍କୁ ମୈଦଲପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ଗାଡିକୁ ମୈଦଲପୁର ଫାଣ୍ଡି ପୁଲିସ୍ ଜବତ କରିବା ସହ ଗାଡିର ଡ୍ରାଇଭରକୁ ଥାନାରେ ଅଟକ ରଖିଛି ।
ପୁଲିସ୍ ସୂଚନା ଅନୁଯାୟୀ, ମୈଦଲପୁରରେ ଆଜି ବୁଧବାର ସାପ୍ତାହିକ ହାଟ ଚାଲିଥିଲା । ଏହି ସମୟରେ ନବରଙ୍ଗପୁରରୁ ଏକ ବୋଲେରୋ(ଓଆର୍-୨୪ଏ-୭୯୩୭) କଳାହାଣ୍ଡି ଅଭିମୁଖେ ଯାଉଥିଲା । ହାଟ ଅତିକ୍ରମ କରିବା ସମୟରେ ଗାଡ଼ିଟି ପ୍ରଥମେ ଲକ୍ଷ୍ମଣଙ୍କୁ ଏବଂ ପରେ କେଦାରଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଉଭୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଲକ୍ଷ୍ମଣଙ୍କ ହାତରେ ମାଡ଼ ବାଜିଥିବାରୁ ଚିକିତ୍ସା ପରେ ସେ ଘରକୁ ଚାଲିଯାଇଥିଲେ । କେଦାରଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । ମୈଦଲପୁର ଫାଣ୍ଡି ପୁଲିସ୍ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିଛି । ଡ୍ରାଇଭରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଫାଣ୍ଡି ଅଧିକାରୀ ଅନାମ ଦିଆନ କହିଛନ୍ତି ।
Comments are closed, but trackbacks and pingbacks are open.