ବୋହୂ ଜୀବିତ, ହତ୍ୟା ଅଭିଯୋଗରେ ସ୍ୱାମୀ, ଶ୍ୱଶୁର ଜେଲ୍ରେ

Get real time updates directly on you device, subscribe now.

ରାଇରଙ୍ଗପୁର,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଚୁଆପାଣି ପଞ୍ଚାୟତ ପୁରୁଣାପାଣି ଚିରୁଡ଼ି ସାହିର ଜଣେ ନବବଧୂଙ୍କୁ ହତ୍ୟା ମାମଲାରେ ସ୍ୱାମୀ ଓ ଶ୍ୱଶୁର ଜେଲ୍ରେ ରହିଥିବା ବେଳେ ଏବେ ଘଟଣା ଭିନ୍ନମୋଡ଼ ନେଇଛି । ନବବଧୂ ଜଣକ ଜୀବିତ ଥିବା ଜଣାପଡିବା ନେଇ ପୁଲିସ ହରଡ଼ଘଣାରେ ପଡିଛି । କାରଣ ଜଙ୍ଗଲରୁ ମିଳିଥିବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର, ଯାହାକୁ ସେହି ନବବଧୂ ବୋଲି ଚିହ୍ନଟ କରାଯାଇଥିଲା ସେହି ମୃତଶରୀର କାହାର ବୋଲି ଏବେ ପ୍ରଶ୍ନ ଉଠିଛି । ବାପଘର ଲୋକଙ୍କ ଅଭିଯୋଗକୁ ବିଶ୍ୱାସ କରିନେଇଥିବା ପୁଲିସର ନିର୍ଯାତନା ଭୟରେ ମୃତକଙ୍କ ଶ୍ୱଶୁର ଘରଲୋକ ବୋହୂକୁ ପୋଡ଼ି ମାରିଥିବା ସ୍ୱୀକାର କରିଥିବାର ଚର୍ଚ୍ଚା ଜୋର ଧରିଛି ।
ସବିଶେଷ ସୂଚନା ଅନୁସାରେ, ଗତ ମାର୍ଚ୍ଚ ମାସ ଚିରୁଡ଼ି ସାହିର ସୁନାରାମ ନାଏକଙ୍କ ପୁଅ ସଞ୍ଜୟ ନାଏକ ବାଦାମପାହାଡ଼ ଥାନା ଅନ୍ତର୍ଗତ ଧାଙ୍ଗିଡ଼ିମୂତା ଗାଁର ସ୍ୱର୍ଗତ ବାବୁଲି ବାଙ୍କିରାଙ୍କ ଝିଅ ରାଇମନିଙ୍କୁ ବିବାହ କରିଥିଲେ । କିନ୍ତୁ ଏପ୍ରିଲ ୨୨ ତାରିଖରେ ରାଇମନି ଶ୍ୱଶୁର ଘରୁ କେଉଁଆଡ଼େ ଚାଲିଯାଇଥିବାବେଳେ ବୋହୂର ନିଖୋଜ ହେବା ନେଇ ଶ୍ୱଶୁର ଘର ଲୋକଙ୍କ ପକ୍ଷରୁ ସୁଲେଇପାଟ ଫାଣ୍ଡିରେ ଏକ ଏତଲା ଦିଆଯାଇଥିଲା । ଏଥିସହ ରାଇମନିଙ୍କ ବଡ଼ବାପା ମୋହନ ମଧ୍ୟ ଝିଆରୀଙ୍କ ନିଖୋଜ ନେଇ ବାଦାମପାହାଡ଼ ଥାନାରେ ଅଭିଯୋଗ କରିଥିଲେ । ତେବେ ସେହି ଏପ୍ରିଲ ମାସ ୨୭ ତାରିଖରେ ସ୍ଥାନୀୟ ପାହାଡ଼ପୁର ଜଙ୍ଗଲରୁ ଜଣେ ଅଦ୍ଧ୍ୱର୍ଦଗ୍ଧ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଉକ୍ତ ମୃତଦେହ ରାଇମନିଙ୍କର ବୋଲି ତାଙ୍କ ଘରଲୋକ ଚିହ୍ନଟ କରିବା ସହିତ ତାଙ୍କୁ ମାରି ଦିଆଯାଇଥିବା ମୋହନ ଅଭିଯୋଗ ଉଠାଇଥିଲେ । ପୁଲିସ ରାଇମନିଙ୍କୁ ହତ୍ୟା କରାଯାଇ ପୋଡ଼ି ଦିଆଯାଇଥିବା ଅଭିଯୋଗରେ ସ୍ୱାମୀ ଓ ଶ୍ୱଶୁରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ରାଇରଙ୍ଗପୁର ଉପକାରାଗାରର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା ।
ସଂପୃକ୍ତ ଘଟଣାର ତଦନ୍ତ ଚାଲିଥିବାବେଳେ ଗତ ୧୭ ତାରିଖରେ ରାଇମନିଙ୍କ ଡିଏନଏ ସହ ତାଙ୍କ ମା’ ଚାନ୍ଦମଣୀଙ୍କ ଡିଏନ୍ଏ ମ୍ୟାଚ କରୁଛିକି ନାହିଁ ପରୀକ୍ଷା କରିବା ଲାଗି ନମୁନା ସଂଗ୍ରହ କରିବାକୁ ପୁଲିସ ତାଙ୍କ ଘରକୁ ଯାଇଥିଲା । ତେବେ ଚାନ୍ଦମଣୀ ସେଠାରେ ରହୁ ନଥିବା ଜାଣି ପୁଲିସ ତାଙ୍କ ସନ୍ଧାନ ପାଇଁ କେନ୍ଦୁଝର କୁଳିବେଡ଼ା ସ୍ଥିତ ରାଇମନିଙ୍କ ମାମୁଁ ଘରେ ପହଞ୍ଚିଥିଲା । ସେଠାରୁ ଠିକଣା ନେଇ ଯାଜପୁର ଓ ପରେ କଟକରେ ପହଞ୍ଚିଥିଲା ପୁଲିସ । ତେବେ କଟକରେ ଚାନ୍ଦମଣୀଙ୍କୁ ଠାବ କରିଥିଲା ପୁଲିସ । ସେଠାରେ ତାଙ୍କୁ ଭେଟି ନିଜ ଝିଅର ମୃତ୍ୟୁ ଘଟଣାରେ ତାଙ୍କ ଡିଏନ୍ଏ ପରୀକ୍ଷା ହେବ ବୋଲି ପୁଲିସ କହିଥିଲା । ଏହି ସମୟରେ ରାଇମନି ସାମ୍ନାକୁ ଆସିଥିଲେ । ସେ ଜୀବିତ ଥିବା ଦେଖି ପୁଲିସ ଓ ସାଙ୍ଗରେ ଯାଇଥିବା ତାଙ୍କ ବଡ଼ବାପା ମୋହନ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ । ପରେ ପୁଲିସ ଉଭୟ ଚାନ୍ଦମଣୀ ଓ ରାଇମନିଙ୍କୁ ବାଦାମପାହାଡ଼ ଆଣି ବୟାନ ରେକର୍ଡ କରିଥିଲା । ଏପରିକି ଯୁବତୀ ଜଣକ ରାଇମନି କି ନାହିଁ ସ୍ପଷ୍ଟ କରିବା ଲାଗି ନିଜ ଶାଶୂଘରକୁ ନେଇଯିବା ପାଇଁ ତାଙ୍କୁ ପୁଲିସ କହିଥିଲା । ପୁଲିସର କହିବା ଅନୁଯାୟୀ ସମ୍ପୃକ୍ତ ଯୁବତୀ ଜଣକ ଶାଶୂଘର ଚିହ୍ନଟ କରିଥିଲେ ଏବଂ ଅଭିଯୋଗକାରୀ ବଡ଼ବାପା ତଥା ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଚିହ୍ନଟ କରିଥିଲେ । ରାଇମନିଙ୍କୁ ତାଙ୍କ ମା’ ସହ ମାମୁଁ ଘର କେନ୍ଦୁଝର ପଠାଇ ଦିଆଯାଇଛି ଏବଂ ତାଙ୍କୁ ଆସନ୍ତା ସୋମବାର କୋର୍ଟରେ ଚିହ୍ନଟ ଲାଗି ହାଜର କରାଯିବା ନେଇ ପୁଲିସ ସୂଚନା ଦେଇଛି ।
ତେବେ ପାହାଡ଼ପୁର ଜଙ୍ଗଲରୁ ମିଳିଥିବା ଉକ୍ତ ଅଦ୍ଧ୍ୱର୍ଦଗ୍ଧ ମୃତଦେହ କାହାର ଥିଲା, ତାହା ଏବେ ମୁଖ୍ୟ ପ୍ରଶ୍ନ ହୋଇଛି । ଅନ୍ୟପଟେ ପୁଲିସ ମୃତଦେହ ରାଇମନିଙ୍କ ବୋଲି ସମ୍ପୂର୍ଣ୍ଣ ସ୍ପଷ୍ଟ ନହୋଇ କେମିତି ତାଙ୍କ ଶ୍ୱଶୁର ଓ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରିଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂରା ଘଟଣାରେ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons