କେନ୍ଦୁଝର : କେନ୍ଦୁଝର ଜିଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଡୁମୁରିଆ ଗ୍ରାମର ଏକ ବ୍ରଏଲର ଦୋକାନରେ ଚଢ଼ାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରାଯାଇଛି । ବେଆଇନ ମଦ କାରବାରରେ ସମ୍ପୃକ୍ତ ଥିବା ଡୁମୁରିଆ ଗ୍ରାମର ଶିବ ଚରଣ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଚଢ଼ାଉ କରି ଅବକାରୀ ବିଭାଗ ୬ ପେଟି ମଦ ଜବତ କରିଛି। ଏ ସମ୍ପର୍କରେ ତଥ୍ୟ ପାଇଁ ଆମ ପ୍ରତିନିଧି ଅବକାରୀ ଥାନାରେ ପହଞ୍ଚିଥିଲେ। କିନ୍ତୁ ଅବକାରୀ ଅଧିକାରୀ ଦିଲ୍ଲୀପ ତାଣ୍ଡିଙ୍କ ପ୍ରତିକ୍ରିୟା ନେବା ସମୟରେ ସେ ଅଭିଯୁକ୍ତଙ୍କ ସପକ୍ଷରେ ମତ ବାଢ଼ି କମ୍ ପରିମାଣର ମଦ ଜବତ ହୋଇଥିବା କହିଛନ୍ତି। ଏହାସହ କମ ପରିମାଣର ମଦ ଜବତ ହୋଇଥିବା ନଦେଖାଇଲେ ବେଆଇନ ମଦ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ବେଲ୍ ମିଳିବନି ବୋଲି କହି ଯୁକ୍ତି କରିଛନ୍ତି । ପରେ କେବଳ ଏକ ପେଟି ମଦ ଜବତ ହୋଇଥିବା ନେଇ ନ୍ୟୁଜ୍ ୭ ପ୍ରତିନିଧିଙ୍କୁ କହିବା ସହ ଏକ ପେଟିର ଜବତ ମଦକୁ ଫଟୋ ଉଠାଇବାକୁ ଦେଖାଇଥିଲେ ।
ପରବର୍ତ୍ତୀ ମୁହୂର୍ତ୍ତରେ ଆମ ପ୍ରତିନିଧି ୬ ପେଟି ମଦ ଜବତ ହୋଇଥିବା ନେଇ ପଚାରିବାରୁ ପ୍ରଶ୍ନବାଣରେ ଘାଇଲା ହୋଇ ତଦନ୍ତ ଚାଲିଛି ବୋଲି ପ୍ରତିକ୍ରିୟା ଦେଇ ଶେଷରେ ୬ ପେଟି ମଦ ଜବତ କରାଯାଇଥିବା ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ଦେଇଥିଲେ । ଏଠି ପ୍ରଶ୍ନ ଉଠୁଛି କାହା ଚାପରେ ମଦ ଜବତ କରି କମ ପରିମାଣର ମଦ ଦେଖାଉଥିଲେ ପାଟଣା ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ?ଏବଂ ପ୍ରଶ୍ନ ପରେ ଅଧିକ ପରିମାଣର ମଦ ଜବତ ନେଇ ସରକାରୀ କାଗଜରେ ଦେଖାଇ ମାମଲା ରୁଜୁ କରି କାହିଁକି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲେ ଅବକାରୀ ଅଧିକାରୀ ଦିଲ୍ଲୀପ କୁମାର ତାଣ୍ଡି ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ଉପଯୁକ୍ତ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିବା ସହ ଜିଲ୍ଲାପାଳ ଏ ଘଟଣାରେ ଯାଞ୍ଚ କରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।


Comments are closed, but trackbacks and pingbacks are open.