ଗୋପାଳପୁର, (ବି.ବି.ନୁ୍ୟଜ): ନକଲି ପାଣି ବୋତଲ, ଭେଜାଲ୍ ଲଙ୍କା ଓ ହଳଦୀ ଗୁଣ୍ଡ, ଅପମିଶ୍ରିତ ଟମାଟୋ ଓ ଚିଲି ସସ୍, ଚାହା ଏବଂ ଗୁଟ୍ଖା କାରବାର ପରେ ଏବେ ଭେଜାଲ୍ ତେଲ କାରବାର ଅଭିଯୋଗ । ଏହି ଅଭିଯୋଗ ଆଧାରରେ ସୋମବାର ଅପରାହ୍ଣରେ ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଏକ କାରଖାନା ଉପରେ ଚଢଉ ହୋଇଛି । ପାରାଦ୍ୱୀପରୁ ଏଠାକୁ କଞ୍ଚା ମାଲ୍ ଆସୁଥିଲା । ଏଠାରେ ମେସିନ୍ ଜରିଆରେ ପ୍ୟାକିଂ କରାଯାଇ ବଜାରକୁ ଛଡାଯାଉଥିଲା । ତେବେ ଭେଜାଲ୍ କରାଯାଉଥିବା ସନେ୍ଦହରେ ପୁଲିସ କାରଖାନା ମାଲିକକୁ ଥାନାରେ ଅଟକ ରଖିଛି । କଞ୍ଚା ମାଲ ଓ ପ୍ୟାକେଟ୍ରୁ ତେଲ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଭୁବନେଶ୍ୱରକୁ ପଠାଯାଇଛି । ରିପୋର୍ଟ ଆସିଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ ତରଫରୁ ସୂଚନା ଦିଆଯାଇଛି ।
ରାମଚନ୍ଦ୍ରପୁର ଗ୍ରାମ ମଧ୍ୟରେ ତେଲ କାରଖାନା ଉପରେ ଚଢ଼ାଉ କରିଥିଲା ଗୋପାଳପୁର ଥାନା ପୁଲିସ ଓ ଗଞ୍ଜାମ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଟିମ୍ । ବିପୁଳ ପରିମାଣର କଞ୍ଚା ମାଲ, ପ୍ୟାକେଟ୍ ତେଲ, ପ୍ୟାକିଂ ସାମଗ୍ରୀ, ବାସନଧୂଆ ଲିକୁ୍ୟଡ୍ ଠାବ ହୋଇଛି । ସମସ୍ତ କାରଖାନା ଯାଞ୍ଚ ବେଳେ ପ୍ରାୟ ୧ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କା ମୂଲ୍ୟର କଞ୍ଚା ମାଲ, ପ୍ରାୟ ୧୦ ଲକ୍ଷ ଟଙ୍କା ମୂଲ୍ୟର ପ୍ୟାକିଂ ସାମଗ୍ରୀ ରହିଥିବା ସୂଚନା ଦେଇଥିଲେ କମ୍ପାନୀ ମାଲିକ କାଳୀଚରଣ ସାହୁ । ସେ କହିବା ପ୍ରକାରେ ଏଠାରେ ଦେଢବର୍ଷ ହେଲା କାରଖାନା ଚାଲି ଆସୁଥିଲା । ଏହାର ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ଲାଇସେନ୍ସ ଅଛି । କେବଳ ମେସିନ୍ ଓ ଚାମ୍ବର୍ କିଛିଟା ସଫାସୁତରା ନଥିବା ଯାଞ୍ଚ ଦଳ ଉଲ୍ଲେଖ କରିଥିବା ସେ କହିଛନ୍ତି । ସେପଟେ ଗଞ୍ଜାମ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରୀ ଚିନ୍ମୟ ପାଢ଼ୀ କହିଛନ୍ତି ଯେ- ଏଠି ପ୍ୟାକିଂ ହେଉଥିବା ତେଲର ଶୁଦ୍ଧତା ଏବଂ ଖାଉଟି ସୁରକ୍ଷା ନେଇ ଯାଞ୍ଚ କରାଯାଇଛି । କମ୍ପାନୀ ପରିସର ସମ୍ପୂର୍ଣ୍ଣ ଅଳିଆ ଭିତରେ ରହିଛି । ତେଲ ଟାଙ୍କି ଭିତରେ କଳଙ୍କି ରହିଛି, ପୋକଜୋକ ମଧ୍ୟ ପଡ଼ି ରହିଛି । ବର୍ତ୍ତମାନ ଏହି କମ୍ପାନୀରେ ତାଲା ପକାଯାଇଛି । ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି । ଟେଷ୍ଟିଂ ରିପୋର୍ଟ ଆସିବା ପରେ କମ୍ପାନୀ ଖୋଲିବା ପାଇଁ ଅନୁମତି ଦିଆଯିବ କିମ୍ବା ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯିବ ସେ ନେଇ ନିଷ୍ପତ୍ତି ନିଆଯିବ ।
ଏହି କାରଖାନାକୁ କଞ୍ଚାମାଲ ପାରାଦ୍ୱୀପର ଏକ କମ୍ପାନୀରୁ ତେଲକୁ ଅଣାଯାଇ ଏଠାରେ ଦୁଇଟି ବ୍ରାଣ୍ଡ୍ ଯଥା ପୁ୍ୟଅର୍ ଗୋଲ୍ଡ ଓ ଫାଷ୍ଟ ଡ୍ରପ୍ ଭାବେ ପ୍ୟାକିଂ କରାଯାଉ ଥିଲା । ମାଲିକକୁ ଥାନାରେ ଅଟକ ରଖାଯାଇ ତଦନ୍ତ କରାଯାଉଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି । ସପ୍ତାହକ ମଧ୍ୟରେ ବ୍ରହ୍ମପୁର ଓ ଆଖପାଖ ଅଞ୍ଚଳରୁ ଏକାଧିକ ବାର ଚଢଉ କରି ବିଭିନ୍ନ ଭେଜାଲ କାରବାର ଉପରେ ପୁଲିସ ଓ ପ୍ରଶାସନ ଅଙ୍କୁଶ ଲଗାଇବାକୁ ଚେଷ୍ଟା ଚଳାଇଛି ।


Comments are closed, but trackbacks and pingbacks are open.