ବ୍ରହ୍ମପୁର ଏସପିଙ୍କୁ ଏତଲା ଦେଲା ବିଜେପି

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ଟାଟା କମ୍ପାନିରେ ଚାକିରି ନାମରେ ଠକେଇରେ ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ସଂପୃକ୍ତି ଅଭିଯୋଗ ଆଣିଛି ଗଞ୍ଜାମ ଜିଲ୍ଲା ବିଜେପି । ବିଧାୟକ ପାଣିଗ୍ରାହୀ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକଙ୍କ ସହ ମିଶି ଶହ ଶହ ଯୁବକଙ୍କୁ ଟାଟା କମ୍ପାନିରେ ଚାକିରି ଦେବାକୁ ଟଙ୍କା ନେଇଛନ୍ତି ବୋଲି ଅଭିଯୋଗ କରି ତାଙ୍କ ଗିରଫ ଦାବି କରିଛି ବିଜେପି । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଆଜି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ ଭେଟି ଏ ଅଭିଯୋଗ କରିବା ସହ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି ।
ଜିଲ୍ଲା ସଭାପତି ଜେନା ଅଭିଯୋଗ କରିଛନ୍ତି, ଗୋପାଳପୁର ବିଧାୟକ ପାଣିଗ୍ରାହୀ ତାଙ୍କ ଭାବି ଜ୍ୱାଇଁ ଆକାଶ ପାଠକ ଓ ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ, ଜନୈକ ମଦ ବ୍ୟବସାୟୀ ଓ ଅନ୍ୟ କେତେକଙ୍କ ଜରିଆରେ ଟାଟା କମ୍ପାନିରେ ଚାକିରି ଦେବାକୁ ଶହ ଶହ ଯୁବକଙ୍କ ଠାରୁ କୋଟି କୋଟି ଟଙ୍କା ଆଦାୟ କରିଛନ୍ତି । ଯେଉଁମାନଙ୍କ ଜରିଆରେ ଟଙ୍କା ଅଦାୟ କରାଯାଇଛି ସେମାନଙ୍କୁ ମଧ୍ୟ ତଦନ୍ତ ପରିସର କରାଯାଉ ବୋଲି ଦାବି କରିଛନ୍ତି ଜିଲ୍ଲା ବିଜେପି ସଭାପତି ଜେନା । ବାର୍ଷିକ ୬ଲକ୍ଷ ଟଙ୍କା ମୋଟା ଦରମାର ପ୍ରଲୋଭିତ କରି ପ୍ରାୟ ୬୮ଜଣଙ୍କୁ ଜାଲି ଅଫର ଲେଟର ଦେଇ ଆକାଶ ପାଠକ ଓ ବିଧାୟକ ପାଣିଗ୍ରାହୀ ବ୍ୟାପକ ଠକେଇ କରିଛନ୍ତି । ଆକାଶ ପାଠକ ଠକେଇ ଏବଂ ଜାଲିଆତି ଅଭିଯୋଗରେ ଗିରଫ ହେବା ପରେ ଟଙ୍କା ଦେଇଥିବା ଯୁବକମାନଙ୍କୁ ବାହାରେ ଏ ସଂପର୍କରେ ପାଟି ନ ଖୋଲିବା ପାଇଁ ବିଧାୟକ ପାଣିଗ୍ରାହୀ,ଉକ୍ତ ମଦ ବ୍ୟବସାୟୀ ଧମକ ଦେଉଛନ୍ତି । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ଠକେଇର ଶିକାର ହୋଇଥିବା ଯୁବକ ମାନେ ଓ ତାଙ୍କ ପରିବାର ଭୟଭୀତ ହୋଇ ରହିଛନ୍ତି । ସେମାନଙ୍କୁ ସୁରକ୍ଷା ଦେବା ସହ ଠକେଇ ମାମଲାରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯାଉ ଏବଂ ଠକେଇ କରାଯାଇଥିବା ଟଙ୍କା ଫେରସ୍ତ କରିବାକୁ ଦାବି କରିଛନ୍ତି ଜିଲ୍ଲା ବିଜେପି ସଭାପତି ଜେନା ।
ଆଜି ଅପରାହ୍ନରେ ବିଜେପି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଏସ୍ପି କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ବିକ୍ଷୋଭ ପ୍ରଦର୍ଶନ ସହ ଜନ ବିରୋଧୀ କାର୍ଯ୍ୟ ଏବଂ ଲୋକଙ୍କ ଠାରୁ ଟଙ୍କା ନେଇଥିବାରୁ ତାଙ୍କୁ ଗିରଫ କରାଯାଉ ବୋଲି ଦାବି କରିଥିଲେ । ଅଧଘଣ୍ଟା ଏଠାରେ ବିକ୍ଷୋଭ ପ୍ରଦର୍ଶନ ପରେ ୫ଜଣିଆ ଟିମ୍ ଏସ୍ପିଙ୍କୁ ଭେଟି ଅଭିଯୋଗପତ୍ର ପ୍ରଦାନ କରିଥିଲା । ଏସ୍ପି ଅଭିଯୋଗପତ୍ର ଗ୍ରହଣ କରିବା ପରେ ବିଜେପି ପ୍ରତିନିଧି ଦଳ ଯେଉଁ ଅଭିଯୋଗ ଆଣିଛନ୍ତି ତାହାର ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ନକରାଗଲେ ଏହା ରାଜନୈତିକ ଆନେ୍ଦାଳନରେ ପରିଣତ ହେବ ବୋଲି ଜିଲ୍ଲା ସଭାପତି ଜେନା କହିଛନ୍ତି । ସେପଟେ ଅଭିଯୋଗ ନେଇ ବିଧାୟକଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons