ବ୍ରହ୍ମପୁର ସିଟି ବସଷ୍ଟାଣ୍ଡରୁ ଗଡିବ ବସ୍

Get real time updates directly on you device, subscribe now.

ବ୍ରହ୍ମପୁର : ପରିବହନ ମନ୍ତ୍ରୀଙ୍କ ସହ ଗୁରୁବାର ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସଫଳ ହୋଇଛି। ଫଳରେ ବ୍ରହ୍ମପୁରରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳରେ ଉପୁଜିଥିବା ଅଚଳାବସ୍ଥା ଦୂର ହୋଇଛି। ସିଟି ବସ୍ ଷ୍ଟାଣ୍ଡରୁ ବସ୍ ଚଳାଚଳ ଲାଗି ସହମତି ହୋଇଛି। ତେବେ ଜିଲ୍ଲା ବାହାରର ବସ୍ ସବୁ ନୂଆ ବସ୍ ଷ୍ଟାଣ୍ଡରୁ ଚଳାଚଳ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।
ବସ୍ ଷ୍ଟାଣ୍ଡର ମରାମତି କାର୍ୟ୍ୟ ଲାଗି ବ୍ରହ୍ମପୁର ସିଟି ବସ୍‌ଷ୍ଟାଣ୍ଡକୁ ସ୍ଥାନାନ୍ତର ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ପ୍ରଥମରୁ ବିରୋଧ କରିଥିଲା। ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଧ୍ୟାନ ନ ଦେବାଯୋଗୁ ଅଚଳାବସ୍ଥା ଉପୁଜିଥିଲା। ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏ ନେଇ ଥିବା ଗତିରୋଧ ଦୂର ହୋଇଛି। ମରାମତି କାର୍ୟ୍ୟ ଯୋଗୁ ହଳଦିଆ ପଦର ବସ୍ ଷ୍ଟାଣ୍ଡରୁ ସବୁ ବସ୍ ଚଳାଚଳ ଲାଗି ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ତେବେ ବସ୍ ଷ୍ଟାଣ୍ଡର ଅବସ୍ଥିତି ଓ ସେଠାରେ ଉପଲବ୍ଧ ସୁବିଧା ସୁଯୋଗ କିନ୍ତୁ ସିଟି ବସ୍ ଷ୍ଟାଣ୍ଡ ଭଳି ନୁହେଁ । ଏଣୁ ଘରୋଇ ମାଲିକ ସଂଘ କରିଥିବା ଦାବିକୁ ଜିଲ୍ଲା ପ୍ରଶାସନ ଶୁଣି ନଥିଲେ। ଏଣୁ ମାଲିକ ସଂଘ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେବା ଯୋଗୁ ଯାତ୍ରୀ ହନ୍ତସନ୍ତ ହୋଇଥିଲେ।
ଟାଇମିଂ ଅନୁସାରେ ବସ୍ ଚଳାଚଳ କରୁଥିବା ବେଳେ ହଳଦିଆପଦରକୁ ଷ୍ଟାଣ୍ଡ ଗଲେ ଟାଇମିଂର ପରିବର୍ତ୍ତନ ଆବଶ୍ୟକ। ଏହା ଛଡା ହଳଦିଆପଦର ଯିବାକୁ ହେଲେ ଗୋସାଣି ନୂଆଗାଆଁ ଓଭର୍‌ବ୍ରିଜ୍ କିମ୍ବା କମାପଲ୍ଲୀ ଓଭର୍‌ବ୍ରିଜ୍ ଅତିକ୍ରମ କରି ଜାତୀୟ ରାଜପଥ ଦେଇ ହଳଦିଆପଦର ଯିବାକୁ ପଡିବ। ଏଣୁ ଦୁଃର୍ଘଟଣା ଜନିତ ସମାସ୍ୟା ଉପୁଜିପାରେ ବୋଲି ମାଲିକ ସଂଘ ଆଶଙ୍କା କରିଥିଲା। ଏଣୁ ବ୍ରହ୍ମପୁର ସହର ମଧ୍ୟରେ ଥିବା କୋର୍ପୋରେସନ୍ ପଡିଆକୁ ୨ ମାସ ପାଇଁ ବସ୍‌ଷ୍ଟାଣ୍ଡ୍ କରିବାକୁ ମାଲିକ ସଂଘ ଦାବି କରିଥିଲା।
ତେବେ ପ୍ରଶାସନ ଏଥିଲାଗି ଅନୁମତି ନ ଦେବାରୁ ଘରୋଇ ବସ୍ ମାଲିକ ସଂଘ ବସ୍ ଚଳାଚଳ ବନ୍ଦ କରିଥିଲେ। ଫଳରେ ଜିଲ୍ଲାର କୌଣସି ସ୍ଥାନକୁ ବସ୍ ଚଳାଚଳ କରୁନଥିବା ବେଳେ ଭଞ୍ଜନଗର, ଫୁଲବାଣୀ, ରାୟଗଡା, ଗଜପତି ଓ କଟକକୁ ମଧ୍ୟ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିଲା। ତେବେ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସିଟି ବସ୍ ଷ୍ଟାଣ୍ଡରୁ ପୂର୍ବ ଭଳି ବସ୍ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ଜିଲ୍ଲା ବାହାରର ବସ୍ ନୂଆ ବସ୍ ଷ୍ଟାଣ୍ଡରୁ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଫଳରେ ଉପୁଜିଥିବା ଯାତ୍ରୀ ପରିବହନ ସମସ୍ୟା ଏବେ ସୁଧୁରିବ ବୋଲି ଆଶା କରାଯାଉଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons