ଜଗତସିଂହପୁର,(ବି.ବି.ନୁ୍ୟଜ୍): ବ୍ରାଉନସୁଗର ମାୟାଜାଲରେ ପଡ଼ି ଯାଇଛି ଜଗତସିିଂହପୁର ସହର । ସହରସ୍ଥିତ ଗୋପାଳସାଗର ଓ ମାର୍କଣ୍ଡପୁର ଅଞ୍ଚଳ ପାଲଟିଛି ବ୍ରାଉନସୁଗରର ହବ୍ । ଏକାଧିକ ଥର ଏହିଦୁଇ ଅଞ୍ଚଳ ସହ ମାଧପୁରରେ ପୁଲିସ, ଜିଲ୍ଲା ଅବକାରୀ ବିଭାଗ ଓ କଟକ ଅବକାରୀ ବିଭାଗର ଇଣ୍ଟେଲିଜେନ୍ସ ବୁ୍ୟରୋ ପକ୍ଷରୁ ଚଢ଼ଉ କରାଯାଇ ବ୍ରାଉନସୁଗର ଜବତ କରାଯାଇଛି । ଏଥିସହ ପର୍ଯ୍ୟାୟଭିତ୍ତିରେ ଏହି ଇଲାକାର ଏକାଧିକ ଯୁବକଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଥିବାର ନଜିର ରହିଛି । ତଥାପି ଏଠାରୁ ବ୍ରାଉନସୁଗର ଆଡ୍ଡା ଭାଙ୍ଗିନାହିଁ । ଏପରିକି ଏକାଧିକ ଥର ଗିରଫ ପରେ ବି ଜଣେ ଯୁବକ ଜାମିନ୍ରେ ଜେଲ୍ରୁ ମୁକୁଳିବା ପରେ ବ୍ରାଉନସୁଗର ବେପାର କରି ଆସୁଛନ୍ତି । କାରଣ ଆଜି ଭୋରୁ ହୋଇଥିବା ଚଢଉରେ ଅବକାରୀ ବିଭାଗର ପଞ୍ଝାକୁ ଆସିଛନ୍ତି ସ୍ଥାନୀୟ ମାର୍କଣ୍ଡପୁରରଦୀପକଦାସ ।ଦୀପକଙ୍କ ନିକଟରୁ ୨୧ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି । ପୂର୍ବରୁଦୀପକଙ୍କୁ ଜଗତସିଂହପୁର ପୁଲିସ ସମେତ କଟକ ଅବକାରୀ ବିଭାଗ ଇଣ୍ଟେଲିଜେନ୍ସ ବୁ୍ୟରୋ ଗିରଫ କରିଥିଲେ । ତେବେ କମ୍ ପରିମାଣର ବ୍ରାଉନସୁଗର ଜବତ ହେଉଥିବାରୁ ଆଇନର ଗଳା ବାଟ ଦେଇ ସ୍ୱଳ୍ପଦିନ ଭିତରେଦୀପକ ମୁକୁଳି ଆସି ପୁଣି ନିଶା ବେପାର ଚଳାଇଥିବା ସ୍ପଷ୍ଟ ହୋଇଛି ।
ଜିଲ୍ଳା ଅବକାରୀ ବିଭାଗ ଓ କଟକ ଫାଇଂ ସ୍କ୍ୱାଡ଼୍ ମିଳିତ ଭାବେ ଆଜି ଭୋରରୁ ମାର୍କଣ୍ଡପୁର, କଲେଜ ଛକର ତିନିଟି ଜାଗାରେ ଏକକାଳୀନ ଚଢ଼ଉ କରିଥିଲେ । ଜଗତସିଂହପୁର ଟାଉନ୍ ଥାନା ପୁଲିସ ଏଥିରେ ସହଯୋଗ କରିଥିଲେ । ଚଢ଼ଉରେ ସ୍ଥାନୀୟ ମାର୍କଣ୍ଡପୁର ଗ୍ରାମରଦୀପକଦାସ ଓ କଲେଜ ଛକର ରବିନ୍ଦ୍ର ନାଥ ଭୋଇଙ୍କୁ ଗିରଫ କରାଯାଇଥିଲା । ରବିନ୍ଦ୍ରଙ୍କ ନିକଟରୁ ୧୭ ଗ୍ରାମ ଓଦୀପକଙ୍କ ପାଖରୁ ୨୧ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା । ଜବତ ବ୍ରାଉନସୁଗରର ବଜାର ମୂଲ୍ୟ ଆନୁମାନିକ ୪ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡା ଜଣାଇଛନ୍ତି । ସେହିପରି ଗୋପାଳସାଗରର କାଳିଆ ମଲ୍ଲିକଙ୍କ ଘର ଉପରେ ଚଢଉ କରାଯାଇଥିଲେ ସୁଦ୍ଧା ସେଠାରୁ କିଛି ମିଳି ନଥିଲା । କିନ୍ତୁ କାଳିଆ ହିଁ ବ୍ରାଉନସୁଗର ଆଣି ପହଞ୍ଚାଇଥାଏ ବୋଲି ଗିରଫ ରବିନ୍ଦ୍ର ସୂଚନା ଦେଇଥିବା ଅବକାରୀ ଇନ୍ସପେକ୍ଟର ପ୍ରତାପ କୁମାରଦାସଙ୍କ ସୂତ୍ରରୁ ପ୍ରକାଶ ।
Comments are closed, but trackbacks and pingbacks are open.