ସିମୁଳିଆ,(ବି.ବି.ନୁ୍ୟଜ୍): ବାଲେଶ୍ୱର ଯେ ବ୍ରାଉନସୁଗର ହବ୍, ତାହା ପୁଣି ପ୍ରମାଣିତ ହୋଇଛି । ବାଲେଶ୍ୱରରୁ ବ୍ରାଉନସୁଗର ନେଇ ବାଇକ୍ରେ ଖୋର୍ଦ୍ଧା ଯାଉଥିବା ୨ଜଣ ଯୁବକକୁ ସିମୁଳିଆ ପୁଲିସ୍ ଧରିଛି । ଥାନାଧିକାରୀ ସଞ୍ଜୟ କୁମାର ପରିଡ଼ା ୧୬ ନଂ ଜାତୀୟ ରାଜପଥରେ ଧରି ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗର ଜବତ କରିବା ସହ ୨ଜଣଙ୍କୁ ରବିବାର କୋର୍ଟ ଚାଲାଣ କରିଛନ୍ତି । ବ୍ରାଉନସୁଗର କାରବାରରେ ଲିପ୍ତ ଥିବା ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ୍ ଚଳାଇଛି । ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ଏକ ବାଇକ୍(ଓଆର-୧୩ଏଏଲ୍-୧୬୪୪)ରେ ବାଲେଶ୍ୱରରୁ ବ୍ରାଉନସୁଗର ନେଇ ୧୬ ନଂ ଜାତୀୟ ରାଜପଥରେ ଆସୁଥିବା ସିମୁଳିଆ ଥାନାଧିକାରୀ ସଞ୍ଜୟ କୁମାର ପରିଡ଼ା ବିଶେଷ ସୂତ୍ରରୁ ଖବର ପାଇଥିଲେ । ସେମାନଙ୍କୁ ଧରିବା ପାଇଁ ଥାନା ସମ୍ମୁଖରେ ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ । ଏହି ଯାଞ୍ଚ ସମୟରେ ଦ୍ରୁତ ଗତିରେ ଆସୁଥିବା ଦୁଇ ଯୁବକ ପୁଲିସ ହାବୁଡ଼ରେ ପଡ଼ିଥିଲେ । ପୁଲିସ ସେମାନଙ୍କୁ ଥାନାକୁ ନେଇ ତନଖି କରିବାରୁ ଦୁହିଁଙ୍କ ଠାରୁ ୩୮.୬୪ ଗ୍ରାମ ବ୍ରାଉନସୁଗର ମିଳିଥିଲା । ବ୍ୟବହୃତ ବାଇକ୍ ସହ ବ୍ରାଉନସୁଗର ଜବତ କରାଯାଇଥିବା ବେଳେ ସିମୁଳିଆ ଥାନାରେ ମାମଲା ରୁଜୁ ହୋଇଛି । ଜବତ ବ୍ରାଉନସୁଗର ମୂଲ୍ୟ ୧ ଲକ୍ଷ ୨୫ହଜାର ହେବ ବୋଲି ଅନୁମାନ କରାଯାଇଛି । ଦୁଇ ଯୁବକକୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ବେଳେ ଅଭିଯୁକ୍ତମାନେ ବାଲେଶ୍ୱରରୁ ବ୍ରାଉନସୁଗର ନେଇ ଜଟଣୀ ଯାଉଥିବାର ଖବର ମିଳିଛି । ଗିରଫ ଦୁଇ ଯୁବକ ହେଲେ ଆସିକ ଖାଁ(୨୬), ମହମ୍ମଦ ଫୟାଜ(୨୪) । ଉଭୟଙ୍କ ଘର ଖୋର୍ଦ୍ଧା ଥାନା ଅନ୍ତର୍ଗତ ଜଟଣୀ ଅଞ୍ଚଳର ବୋଲି ପରିଚୟ ମିଳିଛି । ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି ।


Comments are closed, but trackbacks and pingbacks are open.