ମୁଜଫର ନଗର: ଉତ୍ତରପ୍ରଦେଶ ମୁଜ୍ଜଫର ନଗର ଖାଉଟି ଅଦାଲତ ବ୍ୟଥାନିବାରଣ ତୈଳର ବିଜ୍ଞାପନ ଲାଗି ବଲିଉଡ୍ ଅଭିନେତା ଗୋବିନ୍ଦା ଓ ଜ୍ୟାକି ସର୍ଫଙ୍କୁ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟଥା ନିବାରଣକାରୀ ତୈଳ ବ୍ୟବହାର କଲେ ୧୫ ଦିନ ମଧ୍ୟରେ ଯନ୍ତ୍ରଣାରୁ ମୁକ୍ତି ମିଳିବ ବୋଲି ଏକ ହର୍ବଲ ତୈଳ କମ୍ପାନୀର ବିଜ୍ଞାପନରେ ଗୋବିନ୍ଦା ଓ ଜ୍ୟାକିପ୍ରଚାର କରିଥିଲେ। ତେବେ ସେମାନଙ୍କ ଦାବି ମୁତାବକ ସେଭଳି କିଛି ନ ହେବାରୁ ଜନୈକ ଗ୍ରାହକ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ଫର୍ମା କମ୍ପାନୀ ୨ ବଲିଉଡ ଅଭିନେତାଙ୍କୁ ତୈଳର ପ୍ରଚାର ଓ ପ୍ରସାର ଲାଗି ବ୍ରାଣ୍ଡ ଆମ୍ବାସେଡର କରିଥିଲା। ଏଣୁ ଉପଭୋକ୍ତା କୋର୍ଟରେ ହାଜର ହୋଇଥିବା ବେଳେ କ୍ଷତିପୂରଣ ଦାବି କରିଥିଲେ। ପ୍ରାୟ ୫ ବର୍ଷ ପୂର୍ବେ ଗ୍ରାହକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଏବେ ରାୟ ପ୍ରକାଶ ପାଇଛି। ଏଥିରେ ତୈଳ ପ୍ରସ୍ତୁତ କର୍ତ୍ତା ଫର୍ମା କମ୍ପାନୀ ସମେତ ୨ ବଲିଉଡ ସେଲିବ୍ରିଟିଙ୍କୁ ଗ୍ରାହକ ପକ୍ଷ କରିଥିଲେ। ତେବେ ଅଦାଲତ ଗ୍ରାହକଙ୍କ ସପକ୍ଷରେ ରାୟ ଦେଇଛନ୍ତି।
ଖାଉଟି ଅଦାଲତଙ୍କ ଆଦେଶ ଅନୁସାରେ ଗୁଣବତ୍ତା ନ ଜାଣି ତୈଳର ମିଥ୍ୟା ପ୍ରଚାର କରିଥିବାରୁ ବଲିଉଡ ଅଭିନେତାମାନଙ୍କୁ ପ୍ରତ୍ୟେକ ୨୦ ହାଜର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ତୈଳ କମ୍ପାନୀକୁ ମଧ୍ୟ ଦଣ୍ଡିତ କରିଛନ୍ତି। ମାମଲାରୁ ପ୍ରକାଶ ଯେ ବୃଜ ଭୂଷଣ ଅଗ୍ରୱାଲ ନାମକ ଜନୈକ ଓକିଲଲ ତାଙ୍କ ପିତାଙ୍କ ଶାରୀରିକ କଷ୍ଟ ଦୂର ଲାଗି ଖବର କାଗଜରେ ପ୍ରକାଶିତ ବିଜ୍ଞାପନ ଅନୁସାରେ ସମ୍ପୃକ୍ତ ଫାର୍ମା କମ୍ପାନୀର ତୈଳ ୩ହଜାର ୬ଶହ ଟଙ୍କା ଦେଇ କିଣିଥିଲେ। ହେଲେ ବିଜ୍ଞାପନର ଦାବି ମୁତାବକ ସେଭଳି କିଛି ହୋଇନଥିଲା। ଏଣୁ କମ୍ପାନୀ ଓ ବିଜ୍ଞାପନରେ ଏହାର ପ୍ରଚାର କରିଥିବା ୨ ଅଭିନେତାଙ୍କ ବିରୋଧରେ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।


Comments are closed, but trackbacks and pingbacks are open.