ବ୍ୟବସାୟୀଙ୍କୁ ଗୁଳି ମାମଲା : ଛାନଭିନ୍ ଆରମ୍ଭ, ସିସିଟିଭି ଯାଞ୍ଚ୍

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା ଉଦ୍ୟମ ମାମଲାର ଛାନଭିନ୍ ଆରମ୍ଭ ହୋଇଛି । ମାମଲାକୁ ଉମରକୋଟ ପୁଲିସ୍ ଗୁରୁତ୍ୱ ସହ ଗ୍ରହଣ କରିଥିବାବେଳେ ପେଟ୍ରୋଲ ପମ୍ପ, ସହର ସମେତ ବିଭିନ୍ନ ଅଞ୍ଚଳରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜ୍ ଯାଞ୍ଚ ଆରମ୍ଭ ହୋଇଛି । ସମ୍ପୃକ୍ତ ବ୍ୟବସାୟୀ ସଞ୍ଜୀବ ସୁବୁଦ୍ଧିଙ୍କୁ ଚିକିତ୍ସା ପାଇଁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି । ସଞ୍ଜୀବଙ୍କ ପିତା ଟି. ପରମେଶ୍ୱର ଉମରକୋଟ ଥାନାରେ ଏତଲା ଦେଇଛନ୍ତି ।
ଉମରକୋଟ ଏସ୍ଡିପିଓ ଦୀନେଶ କୁମାର ନାୟକ କହିଛନ୍ତି, ମାମଲାକୁ ପୁଲିସ ଗୁରୁତ୍ୱ ସହ ଗ୍ରହଣ କରିଛି । କାଣ୍ଡ ଘଟାଇଥିବା ଦୁର୍ବୃତ୍ତଙ୍କୁ ଧରିବାକୁ ପେଟ୍ରୋଲ ପମ୍ପ ସମେତ ସହରର ବିଭିନ୍ନ ଅଞ୍ଚଳରେ ଖଞ୍ଜା ଯାଇଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି । ଗୁଳିମାଡର ଶିକାର ହୋଇଥିବା ବ୍ୟବସାୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ପରମେଶ୍ୱରଙ୍କ ଏତଲା ଅନୁସାରେ, ଗତ ୧୦ ଦିନ ତଳେ ୩ ଜଣ ବ୍ୟକ୍ତି ଏକ ପଲସ୍ର ଗାଡିରେ ଆସି ତାଙ୍କ ଘର ସାମନାରେ ସଞ୍ଜୀବଙ୍କୁ ହତ୍ୟା ଧମକ ଦେଇଥିଲେ । କିନ୍ତୁ କେଉଁ ୩ ଜଣ ଓ କେଉଁ ଘଟଣାକୁ ନେଇ ଧମକ ଦେଇଥିଲେ ସେ ସମ୍ପର୍କରେ ଏତଲାରେ ସ୍ପଷ୍ଟ ଉଲ୍ଲେଖ କରାଯାଇନି । ସଞ୍ଜୀବ ସୁସ୍ଥ ହେବା ପରେ ଏହା ପଛରେ କେଉଁମାନଙ୍କ ହାତ ରହିଛି ଜଣାପଡିବ ବୋଲି ପୁଲିସ କହିଛି । ଏ ନେଇ ଉମରକୋଟ ଥାନାରେ ଦଫା ୩୨୬, ୩୦୭, ୩୪, ୨୫, ୨୭ ରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, ଉମରକୋଟର ଜଣାଶୁଣା ବ୍ୟବସାୟୀ ସଞ୍ଜୀବ ଗତ ଶନିବାର ରାତି ପ୍ରାୟ ୧୦ ଟାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ୩ ଜଣ ଦୁବୃର୍ତ୍ତ ଏକ ବାଇକ୍ରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ତାଙ୍କ ମେରୁଦଣ୍ଡରେ ଗୁଳି ବାଜିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଉମରକୋଟ ଓ ନବରଙ୍ଗପୁର ମେଡିକାଲ ନିଆଯାଇଥିଲା । ପରେ ବିଶାଖାପଟଣାରେ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons