ହାଇଦ୍ରାବାଦ: ଏଠାରେ ଥିବା ଏକ ନାମୀଦାମୀ ହୋଟେଲ ‘ ତାଜ ବଞ୍ଜାରା’ ଏବେ ଠକେଇର ଶିକାର ହୋଇଛି । ଅଭିଯୋଗ କରାଯାଇଛି କି ଜଣେ ବ୍ୟବସାୟୀ ଏହି ହୋଟେଲରେ ୧୦୨ ଦିନ ରହିବା ପରେ ୧୨ ଲକ୍ଷ ଟଙ୍କାର ବିଲ୍ ନଦେଇ ପଳାଇଛନ୍ତି ।
ହୋଟେଲ କର୍ମଚାରୀଙ୍କ କହିବାନୁଯାୟୀ, ବିଶାଖାପାଟଣାର ବ୍ୟବସାୟୀ ଭାବେ ନିଜକୁ ଦର୍ଶାଉଥିବା ଏ ଶଙ୍କର ନାରାୟଣ ଚଳିତ ବର୍ଷର ପ୍ରାରମ୍ଭରେ ଉକ୍ତ ହୋଟେଲର ଏକ ବିଳାସମୟ ସୁଟ୍ରେ ୧୦୨ ଦିନ ପାଇଁ ରହିଥିଲେ । ତାଙ୍କର ବିଲ୍ ବାବଦକୁ ସମୁଦାୟ ୨୫.୯୬ ଲକ୍ଷ ଟଙ୍କା ଦେବାର ଥିଲା । ମାତ୍ର ସେ କେବଳ ୧୩.୬୨ ଲକ୍ଷ ଟଙ୍କା ଦେଇଥିଲେ । ବଳକା ୧୨.୩୪ ଲକ୍ଷ ଟଙ୍କା ନଦେଇ ସେ ଫେରାର ହୋଇଯାଇଥିଲେ । ଏପ୍ରିଲ ମାସରେ ଏହି ଘଟଣା ଘଟିଥିଲା । ଏହାପରେ ହୋଟେଲ କର୍ତ୍ତୃପକ୍ଷ ତାଙ୍କୁ ଯୋଗାଯୋଗ କରିବା ପରେ ସେ ବଳକା ଅର୍ଥ ଖୁବ ଶୀଘ୍ର ପୈଠ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏବେ ସେ ଫୋନ ସୁଇଚ୍ ଅଫ କରିଦେଇଛନ୍ତି । ତେଣୁ ହୋଟେଲ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଅନ୍ୟପଟରେ, ବ୍ୟବସାୟୀ ଜଣକ କହିଛନ୍ତି ଯେ ସେ ହୋଟେଲ ଛାଡିବା ପୂର୍ବରୁ ସବୁ ବିଲ୍ ପୈଠ କରିଦେଇଥିଲେ । ହୋଟେଲବାଲା ଏବେ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି । ଏହାଯୋଗୁ ତାଙ୍କର ସମ୍ମାନହାନି ଘଟିଛି । ତେଣୁ ସେ ଉକ୍ତ ହୋଟେଲ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରୁଛନ୍ତି ।
Comments are closed, but trackbacks and pingbacks are open.