ବରଗଡ : ବରଗଡ ଜିଲ୍ଲା ସୋହେଲା ଥାନା ଅଞ୍ଚଳରେ ଛତିଶଗଡ ବ୍ୟବସାୟୀଙ୍କ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ସୋହେଲା ପୋଲିସ । ସୋହେଲା ପୋଲିସ ଏହି ଘଟଣାରେ ୬ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୋହେଲାର ରବି ବରିହା, ବଣ୍ଟି ଦାସ, ରମେଶ ଗଡତିଆ, ନାରାୟଣ ବାଗ ଏବଂ ଖଇରଟ ଗ୍ରାମର ମହେନ୍ଦ୍ର ସାହୁ।
ଗତ ୬ ତାରିଖ ଦିନ ଛତିଶଗଡ ରାୟପୁରରେ ରହୁଥିବା ସୁନା ବ୍ୟବସାୟୀ ସାଗର ଜୈନଙ୍କ ଏସଏସ ଜୁଏଲାରୀର ୨ ଜଣ କର୍ମଚାରୀ ସୁନା ବ୍ୟବସାୟ ପାଇଁ ଏକ କାର୍ ଯୋଗେ ବରଗଡ ଜିଲ୍ଲାକୁ ଆସିଥିଲେ। ତେବେ ସେମାନେ ବିଭିନ୍ନ ସୁନା ଦୋକାନରେ ସୁନା ବିକ୍ରି କରି ବରମକେଲାକୁ ଫେରୁଥିଲେ । ରାତି ପ୍ରାୟ ୯ଟାରେ ଅଭିଯୁକ୍ତମାନେ ଏକ କମାଣ୍ଡର ଜିପରେ ଆସି ସେମାନଙ୍କଠାରୁ ୮୦୦ ଗ୍ରାମର ସୁନା ଗହଣା ଏବଂ ନଗଦ ୧ ଲକ୍ଷ ୫୭ ହଜାର ଟଙ୍କା ଲୁଟି ନେଇଥିବା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଗହଣା ଦୋକାନ କର୍ମଚାରୀ ଅୱଧ ପତ୍ରେ ।
ଅୱଧଙ୍କ ଅଭିଯୋଗ ଆଧାରରେ ତଦନ୍ତକରି ସୋହେଲା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ବ୍ୟବହୃତ କମାଣ୍ଡର ଜିପ୍ (ନଂ-ଓଆର ୧୫ଏ ୬୧୮୫)କୁ ଜବତ କରିଛି । ସେହିପରି ଲୁଟ୍ ହୋଇଥିବା ସୁନା ଗହଣା, ନଗଦ ଟଙ୍କା ମଧ୍ୟରୁ ପୋଲିସ ୪୬୦ ଗ୍ରାମ ସୁନା ଗହଣା ଏବଂ ନଗଦ ୫୦ ହଜାର ଟଙ୍କା ଉଦ୍ଧାର କରିଛି ।


Comments are closed, but trackbacks and pingbacks are open.