ନୂଆଦିଲ୍ଲୀ:ଗତ ୧୧ଟି ଆର୍ଥିକବର୍ଷରେ ଦେଶରେ ୫୦,୦୦୦ରୁ ଊଦ୍ଧ୍ୱର୍ ବ୍ୟାଙ୍କ ଠକେଇ ହୋଇଛି । ଆଇସିଆଇସିଆଇ ବ୍ୟାଙ୍କ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସ୍ବିଆଇ) ଏବଂ ଏଚ୍ଡିଏଫ୍ସି ବ୍ୟାଙ୍କ ସର୍ବାଧିକ ପ୍ରଭାବିତ ହୋଇଥିବା ରିଜର୍ଭ ବ୍ୟାଙ୍କ ପ୍ରଦତ୍ତ ତଥ୍ୟରୁ ଜଣାଯାଇଛି । ସୂଚନା ଅଧିକାର ଆଇନ ବଳରେ ଆର୍ବିଆଇ ଏହି ତଥ୍ୟ ପ୍ରଦାନ କରିଛି ।
୨୦୦୮-୦୯ରୁ ୨୦୧୮-୧୯ ମଧ୍ୟରେ ମୋଟ ୫୩,୩୩୪ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଠକେଇ ପରିମାଣ ୨.୦୫ ଲକ୍ଷ କୋଟି ଟଙ୍କା ରହିଛି । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସର୍ବାଧିକ ୬,୮୧୧ଟି ମାମଲା ଦାଏର ହୋଇଛି । ଏଥିରେ ଠକେଇ ପରିମାଣ ୫,୦୩୩.୮୧ କୋଟି ଟଙ୍କା ରହିଛି ।
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଦ୍ୱାରା ଏହି ସମୟରେ ୬,୭୯୩ ସଂଖ୍ୟକ ମାମଲା ଦାଏର ହୋଇଛି, ଯେଉଁଥିରେ ଠକେଇ ପରିମାଣ ୨୩,୭୩୪.୭୪ କୋଟି ଟଙ୍କା ରହିଛି । ଏଚ୍ଡିଏଫ୍ସି ପକ୍ଷରୁ ୨,୪୯୭ ସଂଖ୍ୟକ ମାମଲା ଦାଏର ହୋଇଛି, ଯେଉଁଥିରେ ଠକେଇ ପରିମାଣ ୧,୨୦୦.୭୯ କୋଟି ଟଙ୍କା ରହିଛି ।
ଖାଲି ଦେଶୀ ନୁହେଁ ବିଦେଶୀ ବ୍ୟାଙ୍କଗୁଡିକ ମଧ୍ୟ ଏହି ୧୧ ବର୍ଷରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି । ଆମେରିକାନ୍ ଏକ୍ସପ୍ରେସ୍ ବ୍ୟାଙ୍କିଙ୍ଗ୍ କର୍ପୋରେସନ୍ ୧,୮୬୨ ସଂଖ୍ୟକ ଠକେଇ ମାମଲା ଦାଏର କରିଛି, ଯେଉଁଥିରେ ୮୬.୨୧ କୋଟି ଟଙ୍କାର ଜାଲିଆତି ହୋଇଛି । ସିଟି ବ୍ୟାଙ୍କରେ ୧,୭୬୪ ସଂଖ୍ୟକ ଠକେଇ ହୋଇଛି, ଯେଊଁଥିରେ ଜାଲିଆତି ପରିମାଣ ୫୭୮.୦୯ କୋଟି ଟଙ୍କା ରହିଛି । ଏଚ୍ଏସ୍ବିସି ଏବଂ ରୟାଲ ବ୍ୟାଙ୍କ୍ ଅଫ୍ ସ୍କଟ୍ଲାଣ୍ଡରେ ଯଥାକ୍ରମେ ୧,୧୭୩ ଏବଂ ୨୧୬ ସଂଖ୍ୟକ ଜାଲିଆତି ହୋଇଛି । ଉଭୟ ବ୍ୟାଙ୍କରେ ଯଥାକ୍ରମେ ୩୧୨.୧ କୋଟି ଏବଂ ୧୨.୬୯ କୋଟି ଟଙ୍କାର ଠକେଇ ହୋଇଥିବା ଆର୍ବିଆଇ ପକ୍ଷରୁ ପ୍ରକାଶ ।
ଜୁନ୍ ୩ରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ଗତ ଆର୍ଥିକବର୍ଷରେ ବ୍ୟାଙ୍କଗୁଡିକରେ ୬.୮୦୧ଟି ଠକେଇ ହୋଇଛି, ଯେଉଁଥିରେ ଜାଲିଆତି ପରିମାଣ ୭୧,୫୪୨.୯୩ କୋଟି ଟଙ୍କା ରହିଥିଲା ।
ଏହି ତଥ୍ୟ ପ୍ରକାଶ ପାଇବାର ପରବର୍ତ୍ତୀ ଦିନ କଂଗ୍ରେସ ପକ୍ଷରୁ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା । ଦେଶରେ ବଢ଼ୁଥିବା ବ୍ୟାଙ୍କ ଠକେଇକୁ ନେଇ ବିଜେପି ସରକାର ଏକ ଶ୍ୱେତପତ୍ର ଜାରି କରନ୍ତୁ ବୋଲି ଦଳ ଦାବି କରିଥିଲା ।
୨୦୦୮-୦୯ରେ ମୋଟ ୪,୩୭୨ଟି ବ୍ୟାଙ୍କ ଠକେଇ ଦୃଷ୍ଟିଗୋଚର ହୋଇଥିଲା, ଯେଉଁଥିରେ ୧,୮୬୦.୦୯ କୋଟି ଟଙ୍କାର ଜାଲିଆତି ହୋଇଥିଲା । ୨୦୦୯-୧୦ରେ ୪,୬୬୯ ଜାଲିଆତି ମାମଲାରେ ୧,୯୯୮.୯୪ କୋଟି ଟଙ୍କାର ଠକେଇ ହୋଇଥିଲା । ୨୦୧୦-୧୧ ଏବଂ ୨୦୧୧-୧୨ ରେ ଯଥାକ୍ରମେ ୪,୫୩୪ ଏବଂ ୪,୦୯୩ ସଂଖ୍ୟକ ଠକେଇ ହୋଇଥିଲା । ଠକେଇ ପରିମାଣ ଯଥାକ୍ରମେ ୩,୮୧୫.୭୬ କୋଟି ଏବଂ ୪,୫୦୧.୧୫ କୋଟି ଟଙ୍କା ରହିଥିଲା ।
୨୦୧୨-୧୩ରେ ୪,୨୩୫ ମାମଲାରେ ୮,୫୯୦.୮୬ କୋଟି ଟଙ୍କାର ଠକେଇ ହୋଇଥିଲା । ୨୦୧୩-୧୪ ଏବଂ ୨୦୧୪-୧୫ରେ ଯଥାକ୍ରମେ ୪,୩୦୬ ଏବଂ ୪,୬୩୯ ସଂଖ୍ୟକ ଠକେଇ ହୋଇଥିଲା । ଏଥିରେ ଜାଲିଆତି ପରିମାଣ ଯଥାକ୍ରମେ ୧୦,୧୭୦.୮୧ ଏବଂ ୧୯,୪୫୫.୦୭ କୋଟି ଟଙ୍କା ଥିଲା । ୨୦୧୫-୧୬ ଏବଂ ୨୦୧୬-୧୭ରେ ଯଥାକ୍ରମେ ୪,୬୯୩ ଏବଂ ୫,୦୭୬ ସଂଖ୍ୟକ ମାମଲା ଆସିଥିଲା । ଏହି ଦୁଇ ବର୍ଷରେ ଠକେଇ ପରିମାଣ ଯଥାକ୍ରମେ ୧୮,୬୯୮.୮୨ କୋଟି ଏବଂ ୨୩,୯୩୩.୮୫ କୋଟି ଟଙ୍କା ଥିବା ଆର୍ବିଆଇ ପକ୍ଷରୁ ପ୍ରକାଶ ।
Comments are closed, but trackbacks and pingbacks are open.