ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ଅତିରିକ୍ତ ୧୦,୦୦୦ ଯବାନ ପଠାଇବା ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା ଜାରି ରହିଥିଲାବେଳେ ଆଜି ଜଣେ ଭାରତୀୟ ଗୁଇନ୍ଦା ଅଧିକାରୀ ଏହା ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି କି କାଶ୍ମୀର ଘାଟିରେ ପାକିସ୍ତାନ ଦ୍ୱାରା ଏକ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ ଘଟାଇବାକୁ ଷଡ଼ଯନ୍ତ୍ର ରଚାଯାଇଛି । କେବଳ ଏହାକୁ ପ୍ରତିହତ କରିବା ପାଇଁ ସେଠାକୁ ଏବେ ଅଧିକ ସଂଖ୍ୟକ ଯବାନ ପଠାଯାଇଛି ।
ସେ କହିଛନ୍ତି କି ଏନଆଇଏ ଦ୍ୱାରା ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରିବାକୁ କରାଯାଉଥିବା ଚଢ଼ାଉ ଏବଂ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯୋଗୁ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ଅପେକ୍ଷାକୃତ ହ୍ରାସ ପାଇଛି । ରାଜ୍ୟରେ ପଥର ଫିଙ୍ଗା ଘଟଣା ମଧ୍ୟ କମିଯାଇଛି । ଆଉ ଆଗ ଭଳି ଘନଘନ ବନ୍ଦ ଡାକରା ଦିଆଯାଉନାହିଁ । ବିଚ୍ଛିନ୍ନତାବାଦୀମାନେ ମୁହଁ ଖୋଲୁନାହାନ୍ତି । ରାଜ୍ୟକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବାରେ ଲାଗିଛି । ସବୁ ହୋଟେଲଗୁଡିକ ଏବେ ବୁକ୍ ହୋଇ ରହିଛି । ଅମରନାଥ ଯାତ୍ରା ବି ସୁରୁଖୁରୁରେ ଚାଲୁଛି । ଏସବୁରୁ କାଶ୍ମୀର ଘାଟିରେ ସ୍ୱାଭାବିକ ସ୍ଥିତି ଫେରୁଥିବାର ମନେ ହେଉଛି । ହେଲେ ପାକ୍ ସେନା ଓ ଆଇଏସଆଇ ଏହାକୁ ସହ୍ୟ କରିପାରୁନାହାନ୍ତି । ତେଣୁ ସେମାନେ ଘାଟିରେ ଶାନ୍ତି ବିଗାଡ଼ିବାକୁ ବଡ଼ ଧରଣର ଆକ୍ରମଣ କରିବାକୁ ଆତଙ୍କବାଦୀ ସଂଗଠନଗୁଡିକୁ କହିଛନ୍ତି । ଏଭଳି ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ କେନ୍ଦ୍ର ସରକାର ସେଠାକୁ ଅତିରିକ୍ତ ଯବାନ ପଠାଇଛନ୍ତି ।
ଅନ୍ୟପଟରେ ଆଉ ଏକ ସୂତ୍ରରୁ କୁହାଯାଇଛି କି ଜମ୍ମୁ-କାଶ୍ମୀର ପାଇଁ ପ୍ରଣୀତ ଧାରା ୩୫(କ) ଉପରେ ସୁପ୍ରିମକୋର୍ଟ ଖୁବ ଶୀଘ୍ର ରାୟ ଦେବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟରେ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ଏହାକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସେଠାକୁ ଅଧିକ ସଂଖ୍ୟକ ଯବାନ ପଠାଯାଇଛି ।
Comments are closed, but trackbacks and pingbacks are open.