ଭଉଣୀ ନିର୍ଯାତନାର ପ୍ରତିଶୋଧ:ଦୁଇ ଶଳାଙ୍କ ସମେତ ନାବାଳିକା ଗିରଫ

Get real time updates directly on you device, subscribe now.

ପାଣିକୋଇଲି,(ବି.ବି.ନ୍ୟୁଜ୍): ୧୬ ନଂ ଜାତୀୟ ରାଜପଥର ପାଣିକୋଇଲି ଯାତ୍ରୀ ବିଶ୍ରାମଗାର ନିକଟରେ ଥିବା ଏକ ଝୁମ୍ପୁଡ଼ି ହୋଟେଲ ମାଲିକ ରବୀନ୍ଦ୍ର ସାହୁ(୩୧) ହତ୍ୟାକାଣ୍ଡ ଉପରୁ ପରଦା ହଟିଛି । ଭଉଣୀ ନିର୍ଯାତନାର ପ୍ରତିଶୋଧ ପାଇଁ ଦୁଇ ଶଳା ପାଣିକୋଇଲି ଥାନା ତେଲିଆବନ୍ଧ ଗ୍ରାମର ରମେଶ ମହାପାତ୍ରଙ୍କ ପୁଅ ଚନ୍ଦ୍ରକାନ୍ତ ମହାପାତ୍ର ଓରଫ୍ ପିଣ୍ଟୁ(୨୫) ଓ ରଞ୍ଜନ ମହାପାତ୍ର ଓରଫ୍ ଚିଣ୍ଟୁ(୨୦) ମିଶି ରବୀନ୍ଦ୍ରକୁ ହତ୍ୟା କରିଥିବା ଜଣାପଡ଼ିଛି । ଏହି ଘଟଣାରେ ପିଣ୍ଟୁର ନାବାଳିକା ପ୍ରେମିକା ସେମାନଙ୍କୁ ସହଯୋଗ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ନୂଆପଦା(ଆଲିଆ) ଅଂଚଳର ଉକ୍ତ ନାବାଳିକାକୁ ମଧ୍ୟ ପୁଲିସ ଗିରଫ କରିଛି । ୩ ଅଭିଯୁକ୍ତଙ୍କୁ କେସ୍ ନଂ ୧୨୨/୧୯ ଓ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨, ୩୪ରେ ଆଜି କୋର୍ଟ ଚାଲାଣ କରାଯାଇଛି । ଆଜି ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ କେଦାରନାଥ ସାହୁ ଏହି ସୂଚନା ଦେଇଛନ୍ତି ।
ଜୁଲାଇ ୭ ତାରିଖ ସକାଳେ ରବୀନ୍ଦ୍ରଙ୍କ ଉଲଗ୍ନ ମୃତଦେହ ତାଙ୍କ ହୋଟେଲ ମଧ୍ୟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବା ପରେ ଘଟଣା ଚାରିଆଡ଼େ ପ୍ରଘଟ ହୋଇଥିଲା । ରବୀନ୍ଦ୍ରଙ୍କ ବାପା ଗୋବିନ୍ଦ ଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ôଚ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଶ୍ରୀ ସାହୁ ଓ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତରେ ଅଧିକ ତଥ୍ୟ ଯୋଗାଡ଼ ପାଇଁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ର ସହାୟତା ଲୋଡ଼ା ଯାଇଥିଲା । ଦିନ ସାରା ପୁଲିସ ଛାନ୍ଭିନ୍ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ହତ୍ୟାକାଣ୍ଡ ସ୍ଥଳରୁ ଉଦ୍ଧାର ହୋଇଥିବା ବାହୁଙ୍ଗୀ, ଛୁରୀ ଓ ବ୍ଲେଡ୍କୁ ପୁଲିସ ଫୋରେନ୍ସିକ୍ ଲାବ୍ରୋଟୋରୀକୁ ପଠାଇଥିଲା ।
ପାଣିକୋଇଲି ଥାନା ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ମାତ୍ର କେଇ ହାତ ଦୂରରେ ଘଟିଥିବା ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡର ପର୍ଦ୍ଦାଫାସ ପାଇଁ ପୁଲିସ ତତ୍ପର ହୋଇ ଉଠିଥିଲା । ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ମୀନା ନିଜେ ଘଟଣା ଉପରେ ତୀକ୍ଷଣ ନଜର ରଖିଥିଲେ । ରବୀନ୍ଦ୍ରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତଭାର ନିଜେ ଥାନାଧିକାରୀ ଶ୍ରୀ ଜେନା ନେଇଥିଲେ । ପ୍ରଥମ ପର୍ଯ୍ୟାୟରେ ଶ୍ରୀ ଜେନା ରବୀନ୍ଦ୍ରର ଶାଶୂ ଓ ପତ୍ନୀଙ୍କ ସମେତ ପ୍ରାୟ ପାଞ୍ଚ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଥିଲେ । ଏହି ତଦନ୍ତ ବେଳେ ପୁଲିସ ହତ୍ୟାକାଣ୍ଡର ସୁରାକ ପାଇଥିଲା । ପୁଲିସ ରବୀନ୍ଦ୍ରର ଶଳା ଓ ତାର ପ୍ରେମିକାକୁ ଗିରଫ କରିବାକୁ ଛାନଭିନ୍ ଆରମ୍ଭ କରିଥିଲା । ଚଳିତ ମାସ ୨ତାରିଖ ଦିନ ପୁଲିସ ଡୁବୁରୀ ଅଞ୍ଚଳରୁ ହତ୍ୟାକାରୀ ପିଣ୍ଟୁ ଓ ଚିଣ୍ଟୁକୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାସ ହୋଇଥିଲା । ଜେରା ବେଳେ ଏହି ଦୁଇ ଅଭିଯୁକ୍ତ ହତ୍ୟାକାଣ୍ଡ ସଂପର୍କରେ ସମସ୍ତ ତଥ୍ୟ ପୁଲିସକୁ ଦେଇଥିଲେ ।
ପୁଲିସ ସୂଚନା ମୁତାବକ, ରବୀନ୍ଦ୍ର ପ୍ରାୟ ୬ବର୍ଷ ତଳେ ତେଲିଆବନ୍ଧର ରମେଶ ମହାପାତ୍ରଙ୍କ ଝିଅ ଝୁମ୍ପାଙ୍କୁ ବିବାହ କରିଥିଲା । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । ରବୀନ୍ଦ୍ର ଅଧିକ ଯୌତୁକ ଦାବି କରି ଝୁମ୍ପାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା । ଏ ନେଇ ଝୁମ୍ପା ଚଳିତ ବର୍ଷ ଫେବ୍ରୁଆରୀ ୭ତାରିଖରେ ରବୀନ୍ଦ୍ର ନାମରେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏହି ଘଟଣାରେ କେସ୍ ନଂ ୨୨/୧୯ ଓ ଭାରତୀୟ ଦଣ୍ଡ ସଂହିତାର ଧାରା ୪୯୮, ୩୦୭ ଓ ୩୪ରେ ଏକ ମାମଲା ରୁଜୁ କରି ସେହି ଦିନ ରବୀନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ରବୀନ୍ଦ୍ର ଜେଲ ଯିବା ପରେ ଶ୍ୱଶୂର ଘର ସହ ତା’ର ତିକ୍ତ ସଂପର୍କ ସୃଷ୍ଟି ହୋଇଥିଲା । ଅପରପକ୍ଷରେ ଝୁମ୍ପା ମଧ୍ୟ ନିଜ ବାପଘରେ ରହୁଥିଲେ । ରବୀନ୍ଦ୍ର କିଛି ଦିନ ଜେଲ୍ରେ ରହିବା ପରେ ଜାମିନରେ ଆସିଥିଲେ । ଭଉଣୀ ଉପରେ ନିର୍ଯାତନାକୁ କିନ୍ତୁ ସହଜରେ ଗ୍ରହଣ କରିପାରିନଥିଲେ ପିଣ୍ଟୁ ଓ ଚିଣ୍ଟୁ । ଏହାର କଡ଼ା ଜବାବ ଦେବା ପାଇଁ ଉଭୟ ସୁଯୋଗ ଉଣ୍ଡୁଥିଲେ । ପ୍ରତିଶୋଧ ନିଆଁରେ ଜଳୁଥିବା ପିଣ୍ଟୁ ଓ ଚିଣ୍ଟୁ ରବୀନ୍ଦ୍ରକୁ ହତ୍ୟା କରିବା ପାଇଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲେ । ଏଥିପାଇଁ ସେମାନେ ପିଣ୍ଟୁର ନାବାଳିକା ପ୍ରେମିକାକୁ ବ୍ୟବହାର କରିଥିଲେ ।
ଯୋଜନା ମୁତାବକ, ଜୁଲାଇ ୬ତାରିଖ ରାତିରେ ପିଣ୍ଟୁର ନାବାଳିକା ପ୍ରେମିକା ରବୀନ୍ଦ୍ର ହୋଟେଲରେ ପହଞ୍ôଚଥିଲା । ଉଭୟ ମଦ୍ୟ ପାନ କରିଥିଲେ । ଏହା ପରେ ରବୀନ୍ଦ୍ର ନାବାଳିକା ସହ ଶାରୀରିକ ସଂପର୍କ ରଖିବା ପାଇଁ ଚେଷ୍ଟା କରୁଥିବା ବେଳେ ନାବାଳିକା ଜଣକ ଏ ସଂପର୍କରେ ତା’ର ପ୍ରେମିକକୁ ଖବର ଦେଇଥିଲେ । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ପିଣ୍ଟୁ ଓ ଚିଣ୍ଟୁ ପ୍ରଥମେ ଏକ ବାହୁଙ୍ଗୀ ଦ୍ୱାରା ରବୀନ୍ଦ୍ରକୁ ପ୍ରବଳ ପିଟିଥିଲେ । ରବୀନ୍ଦ୍ର ସଜ୍ଞାହୀନ ହୋଇଯିବା ପରେ ପ୍ରତିଶୋଧ ପାଇଁ ରାକ୍ଷସ ପାଲଟିଥିବା ହତ୍ୟାକାରୀଦ୍ୱୟ ଏକ ଛୁରୀ ଓ ବ୍ଲେଡ୍ରେ ରବୀନ୍ଦ୍ରର ବେକକୁ ବାରମ୍ବାର କାଟିବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons