ପୁରୀ,(ବି.ବି.ବ୍ୟୁରୋ): ଶୁକ୍ରବାର ରାତିରେ ଶ୍ରୀବିଗ୍ରହ ପହଣ୍ଡିରେ ଆସି ଗୁଣ୍ଡିଚା ମନ୍ଦିର ଜନ୍ମବେଦିରେ ଅଧିଷ୍ଠିତ ହୋଇଥିଲେ । ବିଳମ୍ବିତ ରାତିରେ ବେଦିରୁ ଚାରମାଳ ଫିଟା ଯାଇଥିଲା । ସିଂହାସନକୁ ଧୂଆ ଯିବା ପରେ ଶ୍ରୀବିଗ୍ରହଙ୍କ ଗୁଣ୍ଡିଚା ମନ୍ଦିର ନୀତି ମହାସ୍ନାନରୁ ଆରମ୍ଭ ହୋଇଥିଲା । ଏହା ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ସରି ଗରୁଡ଼ ଗାଧୁଆ ନୀତି ସମ୍ପନ୍ନ ହୋଇଥିଲା । ଶେଷରେ ଚନ୍ଦନ, ବଡ଼ସିଂହାର ବେଶ ଓ ଭୋଗ ସରି ଭୋର ଚାରିଟା ବାଜିବା ପୂର୍ବରୁ ମହାପ୍ରଭୁଙ୍କ ରାତି ପହୁଡ଼ ନୀତି ସମ୍ପନ୍ନ କରାଯାଇଥିଲା ।
ଶ୍ରୀବିଗ୍ରହ ଜନ୍ମବେଦିରେ ଅଧିଷ୍ଠିତ ହେବା ପରେ ଶନିବାର ଦିନ ଭକ୍ତମାନେ ଆଡ଼ପ ଅବଢ଼ା ପାଇଥିଲେ । ଅପରାହ୍ନ ୨ଟା୧୫ ମିନିଟରେ ସକାଳ ଧୂପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇ ଧନ୍ୟ ହୋଇଥିଲେ । ଶନିବାର ଭୋର ୬ଟା ୨୦ ମିନିଟରୁ ଗୁଣ୍ଡିଚା ମନ୍ଦିର ଏକ ଘଣ୍ଟା ବିଳମ୍ବରେ ଦ୍ୱାରଫିଟା ଆରମ୍ଭ ହୋଇଥିଲା । ଦ୍ୱାରଫିଟା ପରେ ଭିତର ଶୋଧ ସକାଳ ୭ଟାରେ ମଙ୍ଗଳ ଆଳତି ବଢ଼ିଥିଲା । ଏହା ପରେ ମଇଲମ, ତଡ଼ପ ଲାଗି, ଅବକାଶ ସରିବା ବେଳକୁ ସକାଳ ୮ଟା ୪୫ ମିନିଟ ବାଜିଥିଲା । ଏହା ପରେ ଭକ୍ତମାନଙ୍କ ଦର୍ଶନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ପରିମାଣିକ ଦର୍ଶନ ପରେ ଏକ ଘଣ୍ଟା ଧରି ଭକ୍ତମାନେ ପ୍ରଭୁଙ୍କ ସାହାଣମେଲା ଦର୍ଶନ କରିଥିଲେ । ପରିମାଣିକ ଦର୍ଶନ ଟିକଟ ଦର ଥିଲା ଜଣ ପିଛା ୫୦ ଟଙ୍କା ।
ସାହାଣମେଲା ନୀତି ପରେ ପ୍ରଥମେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ହୋଇ ପୂର୍ବାହ୍ନ ୧୧ଟା ୨୦ ମିନିଟରେ ପ୍ରଭୁଙ୍କ ଗୋପାଳବଲ୍ଲଭ ନୀତି ଶେଷ ହେବା ପରେ ସକାଳ ଧୂପ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଅପରାହ୍ନ ୨ଟା ୧୫ ମିନିଟ୍ରେ ଦୁଇ ଘଣ୍ଟା ବିଳମ୍ବରେ ସକାଳ ଧୂପ ଉଠିଥିଲା । ଏହା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପ୍ରସାଦ ପାଇଥିଲେ । ଅପରାହ୍ନ ୪ଟାରେ ପ୍ରଥମ ଭୋଗମଣ୍ଡପ ସମ୍ପନ୍ନ ହୋଇଥିଲା । ଭୋଗ ମଣ୍ଡପ ବଢ଼ି ପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆ ଲୁଗା ଲାଗି ପରେ ବେଶ ଶେଷ ହୋଇଥିଲା ।
ସନ୍ଧ୍ୟା ପରେ ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗ ମଣ୍ଡପ ପ୍ରସାଦ ବାହାରି ଥିଲା । ଭୋଗମଣ୍ଡପ ପରେ ପ୍ରଭୁଙ୍କ ମଇଲମ ଓ ବେଶ ସରି ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ନୀତି ଶେଷ ହୋଇଥିଲା । ଗୁଣ୍ଡିଚା ମନ୍ଦିରରେ ରାତ୍ରି ପହୁଡ଼ ପୂର୍ବରୁ ମହାପ୍ରଭୁଙ୍କ ମଇଲମ, ଚନ୍ଦନ ଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ରାତି ଗୋଟାଏ ସୁଦ୍ଧା ଶେଷ ହୋଇଥିଲା । ଗୁଣ୍ଡିଚା ମନ୍ଦିରରେ ପ୍ରଥମ ଦିନର ନୀତି ଘଣ୍ଟାଏରୁ ଦେଢ଼ଘଣ୍ଟା ବିଳମ୍ବରେ ସମ୍ପନ୍ନ ହୋଇଥିଲା । ଶ୍ରୀବିଗ୍ରହଙ୍କ ରାତି ପହୁଡ ପୂର୍ବରୁ ନୀତି ସମ୍ପାଦନ ସମୟରେ ସୁଧାର ଆସିଥିଲା ।
Comments are closed, but trackbacks and pingbacks are open.