ଭଙ୍ଗାଗଲା ଡିଆଇସି ଛକ ବେଆଇନ ଷ୍ଟଲ୍

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): କରୋନା ଲାଗି ଜାରି ହୋଇଥିବା କଟକଣା ହଟିବା ପରେ ଆରମ୍ଭ ହୋଇଛି ସହରରେ ବେଆଇନ ଉଚ୍ଛେଦ ଅଭିଯାନ । ଆଜି ସ୍ଥାନୀୟ ଜିଲ୍ଲା ଶିଳ୍ପ କେନ୍ଦ୍ର(ଡିଆଇସି) କାର୍ଯ୍ୟାଳୟ ଛକରେ ଥିବା ୨ଟି ଷ୍ଟଲକୁ ଭାଙ୍ଗିଦେଇଛି ପ୍ରଶାସନ । ଷ୍ଟଲ ଭଙ୍ଗାକୁ ନେଇ ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । କ୍ଷତିଗ୍ରସ୍ତ ହୋଇଥିବା ଷ୍ଟଲ ମାଲିକଙ୍କ ପରିବାର କ୍ଷତିପୂରଣ ଦାବି କରିଛନ୍ତି ।
ସ୍ଥାନୀୟ ଖ୍ରୀଷ୍ଟିଆନସାହି ଡିଆଇସି କାର୍ଯ୍ୟାଳୟ ଛକରେ ୨ଟି ଷ୍ଟଲ୍ ତିଆରି ହୋଇଥିଲା । ସାହିର ସାମୁଏଲ ବାଘ ନାମକ ଯୁବକ ଏହାକୁ ନିର୍ମାଣ କରିଥିଲେ । ସରକାରୀ ଜମିରେ ଷ୍ଟଲ ନିର୍ମାଣ ହୋଇଥିବାରୁ ଭାଙ୍ଗିବା ଲାଗି ଆଜି ସକାଳେ ପ୍ରଶାସନ ପହଞ୍ଚିଥିଲା । ମାଜିଷ୍ଟେ୍ରଟ ତଥା ତହସିଲଦାର ପ୍ରଧାନ ଟୁଲିଆମ୍ମା, ଅତିରିକ୍ତ ତହସିଲଦାର ମାନସ ଘଡେ଼ଇ ଏବଂ ଟାଉନ ଥାନା ଏସ୍ଆଇ ସଞ୍ଜୀବ କୁମାର ମହାନ୍ତି, ଶୁକ୍ଳା ମଣ୍ଡଳ ଗୋଟିଏ ପ୍ଲାଟୁନ୍ ଫୋର୍ସ ସହ ପହଞ୍ଚିବା ପରେ ଛକରେ ଉତ୍ତେଜନା ପ୍ରକାଶ ପାଇଥିଲା । ଷ୍ଟଲ ଖାଲି କରିବାକୁ ଅଧିକାରୀମାନେ ମାଲିକଙ୍କୁ କହିଥିଲେ । ଏହାକୁ ବିରୋଧ କରିଥିଲେ ପରିବାରର ସଦସ୍ୟ । ସେମାନଙ୍କ ସହ ସାହିର ଅନ୍ୟ କେତେଜଣ ସାମିଲ ହୋଇଥିଲେ । ପ୍ରୋକଲିନ୍ ମେସିନ ଆଗରେ ଛିଡ଼ାହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମରିଯିବେ ପଛେ ହଟିବେ ନାହିଁ ବୋଲି ଜିଦ୍ ଧରିଥିଲେ । ଉତ୍ତେଜନା ପ୍ରକାଶ ପାଇବାରୁ ଆଇଆଇସି ସଞ୍ଜୟକୁମାର ମଣ୍ଡଳ, ସହକାରୀ ଆଇଆଇସି ରଘୁନାଥ ମାଝି ପ୍ରମୁଖ ପହଞ୍ଚିଥିଲେ । ସାମୁଏଲ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ନିଜେ ଘର ଭାଙ୍ଗିଲେ ପ୍ରଶାସନ ପକ୍ଷରୁ ୨ ଜଣ ଶ୍ରମିକ ଯୋଗାଇ ଦିଆଯିବ ବୋଲି କହିଥିଲେ । ଏହାକୁ ମାନିନଥିଲେ ବିରୋଧୀ । ଶେଷରେ ଅଧାଘଣ୍ଟା ଷ୍ଟଲ ଖାଲି କରିବାକୁ ପୁଲିସ ଚେତାବନୀ ଦେଇଥିଲା । ପରେ ମେସିନ୍ ଲଗାଇ ଷ୍ଟଲ ୨ଟିକୁ ଭାଙ୍ଗି ଦେଇଥିଲା ।
ଏ ସମ୍ପର୍କରେ ତହସିଲଦାର ଟୁଲିଆମ୍ମା କହିଛନ୍ତି, ଷ୍ଟଲ ୨ଟି ସରକାରୀ ଜାଗାରେ ତିଆରି ହୋଇଥିଲା । କର୍ମଚାରୀମାନେ ରିପୋର୍ଟ ଦେବା ପରେ ବେଆଇନ ଜବରଦଖଲ ହଟାଇବା ଲାଗି ନିଷ୍ପତ୍ତି ନିଆଯାଇଥିଲା । ଷ୍ଟଲ ମାଲିକଙ୍କୁ ଜାନୁଆରୀରେ ନୋଟିସ ଦିଆଯାଇଥିଲା । ନିର୍ମାଣ ନକରିବାକୁ ବାରମ୍ବାର କହିବା ପରେ ବି ସେ ଶୁଣିନଥିଲେ । ଛାତ ପକାଇବା ସହ ଲୁହା ସର୍ଟର ଲଗାଇଥିଲେ । ସହରରେ ବିଭିନ୍ନ ଅଞ୍ଚଳରେ ହୋଇଥିବା ବେଆଇନ ନିର୍ମାଣର ତଦନ୍ତ କରାଯାଉଛି । କର୍ମଚାରୀଙ୍କୁ ରିପୋର୍ଟ ଦେବା ଲାଗି କୁହାଯାଇଛି । ରିପୋର୍ଟ ମିଳିବା ପରେ ବେଆଇନ ଉଚ୍ଛେଦ ଅଭିଯାନ ଅଧିକ କଡ଼ାକଡ଼ି କରାଯିବ । କ୍ଷତିଗ୍ରସ୍ତ ଷ୍ଟଲ ମାଲିକ ଗଣମାଧ୍ୟମକୁ କହିଛନ୍ତି, ଗରିବ ହୋଇଥିବାରୁ ପରିବାର ଚଳାଇବା ଲାଗି ସେ ଷ୍ଟଲ କରିଥିଲେ । ନିର୍ମାଣ ଆରମ୍ଭ ବେଳେ ପ୍ରଶାସନ କିଛି କହିଲାନି । ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରର ଛାତ ପକାଇଥିଲେ । ମେସିନ୍ ଲଗାଇ ଭାଙ୍ଗିବା ଦ୍ୱାରା ତାଙ୍କର ବହୁତ କ୍ଷତି ହୋଇଛି । ୩ ଦିନ ସମୟ ଦେଇଥିଲେ ନିଜେ ଇଟା, ଟିଣ କାଢି ନେଇଥାନ୍ତେ । ପ୍ରଶାସନ ନଶୁଣି ଭାଙ୍ଗି ଦେଲା । ତେଣୁ ତାଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons