ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପୂର୍ବ ଓଡ଼ିଶାର ବ୍ରାଉନ୍ସୁଗର ମାଫିଆ ଛୋଟା ଓରଫ ପ୍ରକାଶ ଓରଫ ଶୁଭ୍ରାଂଶୁ ପରିଡ଼ା କିଛି ଦିନ ତଳେ ଗିରଫ ହୋଇଥିଲା । ଏବେ ଛୋଟାର କୋଠା ଭଙ୍ଗା ହେବ । କାରଣ ଛୋଟା ସରକାରୀ ଜମିରେ ଘର କରିଛି । ଏନେଇ ଖୋର୍ଦ୍ଧା ଉପଜିଳ୍ଲାପାଳ ନୋଟିସ୍ କରିଛନ୍ତି । ଉକ୍ତ ବେଆଇନ ଘର ଗୁରୁଜଙ୍ଗରେ ରହିଛି । ଏବେ ସେ ଘରେ ତା’ ଭାଇ ରହୁଛି । ତା ଭାଇକୁ ନୋଟିସ୍ କରା ଯାଇଥିବା ଜଣାପଡ଼ିଛି । ଘରଭଙ୍ଗା ନୋଟିସ କଥା ପଦାକୁ ଆସିବା ପରେ ତାକୁ ସୁରକ୍ଷା ଦେବାକୁ ଭିତିରିଆ ଉଦ୍ୟମ ଆରମ୍ଭ ହୋଇଛି । ଛୋଟାର କୋଠାକୁ ସୁରକ୍ଷା ଦେବାକୁ କିଛି ନେତା ଫୁଲ୍ଦମରେ ଲାଗିଛନ୍ତି ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ ଛୋଟାର କଳା ସାମ୍ରାଜ୍ୟ ବିଷୟରେ ଖୋଳତାଡ଼ ପାଇଁ ଏସ୍ଟିଏଫ୍ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି । ବଡ଼କଥା ହେଲା ଖୋର୍ଦ୍ଧା ଜେଲ୍ରେ ଥାଇ ବି ଛୋଟା ତା’ବେପାର ନିୟନ୍ତ୍ରଣ କରୁଛି । ଜେଲ୍ରୁ ନେତା, ଓକିଲ ଓ ତା’ ସହଯୋଗୀମାନଙ୍କ ସହ ଘଣ୍ଟା ଘଣ୍ଟା କଥା ହେଉଛି । ତାକୁ ଜେଲ୍ରେ ସବୁ ପ୍ରକାର ସହଯୋଗ ମିଳୁଛି । ଜେଲ ଭିତରେ ଏଭଳି ବେଆଇନ କାମକୁ ବିରୋଧ କରିଛନ୍ତି ଜେଲ୍ରେ ଥିବା କିଛି ବିଚାରାଧୀନ କଏଦୀ । ଏଭଳି ପରିସ୍ଥିତିରେ ଛୋଟାକୁ ଖୋର୍ଦ୍ଧରୁ ଚୌଦ୍ୱାର କିମ୍ବା ଝାରପଡ଼ା ଜେଲ୍କୁ ସ୍ଥାନାନ୍ତର କରିବାକୁ ଦାବି ହେଉଛି ।
ଛୋଟା ସରକାରୀ ଜମିରେ ରାଜପ୍ରାସାଦ ଭଳି କୋଠା ଠିଆ କରିଛି । କୋଠରୀ ଗୁଡ଼ିକ ଦାମୀ ଉପକରଣରେ ସଜା ହୋଇଛି । ଛୋଟାକୁ ସୁରକ୍ଷା ଦେବାରେ ଖୋର୍ଦ୍ଧ ପୁଲିସ୍ର ଅନେକ ଭୂମିକା ରହିଛି ବୋଲି ଏସ୍ଟିଏଫ୍ର କିଛି ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି । ଦୀର୍ଘ ବର୍ଷ ହେବ ସେ ପଥର ଓ ନିଶା କାରବାର କରୁଥିଲା । ତହସିଲଦାର, ଆରଆଇ, ଅବକାରୀ ବିଭାଗ, ପୁଲିସ୍ ଓ ନେତାମାନେ ଛୋଟା ଠାରୁ ସହଯୋଗ ପାଇ ତାକୁ ପୂର୍ଣ୍ଣ ସମର୍ଥନ କରୁଥିଲେ । ଏମିତିକି ସରକାରୀ ଜାଗାରେ ଘର କରିବାକୁ ତାଙ୍କୁ କିଛି ରାଜସ୍ୱ କର୍ମଚାରୀ ସହଯୋଗ କରିଥିଲେ । ଏବେ ଏସ୍ଟିଏଫ୍ ଧରିବା ପରେ ସବୁ ଗୁମର ପଦାକୁ ଆସିଛି । ସେଥିପାଇଁ ଚାପରେ ପଡ଼ି ତା’ଘର ଭାଙ୍ଗିବାକୁ ନୋଟିସ୍ ଜାରି କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ । ଏବେ ଲୋକେ ଅପେକ୍ଷା କରିଛନ୍ତି, ସତରେ ଛୋଟାର ଏହି ବେଆଇନ୍ ପ୍ରାସାଦ ଭାଙ୍ଗି ମାଟିରେ ମିଶୁଛି ନା’ ଏ ନୋଟିସ ଏକ ଧୂଆଁବାଣ । ସେପଟେ ଛୋଟାର ଗୁରୁଜଙ୍ଗ ଘର ଠାରୁ କିଛି ଦୂରରେ ରହିଛି ତା’ ସହଯୋଗୀର ଘର । ଉକ୍ତ ଘର ବି ସରକାରୀ ଜାଗାରେ ନିର୍ମାଣ ହୋଇଛି । ଛୋଟା ଗିରଫ ହେବା ପରେ ଏବେ ବ୍ରାଉନ୍ସୁଗର କାରବାର ସଂପୃକ୍ତ ସହଯୋଗୀଙ୍କ ଘରେ ଚାଲିଥିବା ସୂଚନା ମିଳିଛି ।
କିଛି ଦିନ ତଳେ ଏସ୍ଟିଏଫ୍ ଛୋଟାକୁ ଖୋଜୁଥିଲା । ଏନ୍କାଉଣ୍ଟର ଭୟରେ ଗତ ୯ତାରିଖ ଦିନ ସେ କୋର୍ଟରେ ଆତ୍ମସମର୍ପଣ କରିଥିଲା । ଛୋଟା ଦୀର୍ଘବର୍ଷ ଧରି ପୂରା ପୂର୍ବ ଓଡ଼ିଶାକୁ ବ୍ରାଉନ୍ସୁଗର ଯୋଗାଉଥିଲା । ଏଥିପାଇଁ ଶତାଧିକ ଯୁବକଙ୍କୁ ସେ ଦରମା ଦେଇ ରଖିଥିଲା । ଏହି କାରବାର ପାଇଁ ସେ ୪୦ ଜଣ ପିଲାଙ୍କୁ ନୂଆ ବାଇକ୍ କିଣି ଦେଇଥିଲା । ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀଙ୍କୁ ମୋଟା ଅଙ୍କର ବଟି ଦେଇ ଅନାୟାସରେ ବେପାର କରୁଥିଲା । ତା’ଛଡା ଗଞ୍ଜେଇ ଗାଡ଼ିକୁ ମଧ୍ୟ ଏସ୍କର୍ଟ କରୁଥିବା କଥା ପଦାକୁ ଆସିଛି ।
Comments are closed, but trackbacks and pingbacks are open.