ହାଜିପୁର,(ବି.ବି.ନୁ୍ୟଜ୍): ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର ନା ହାତରେ କାମ । ରାସନ୍ କାର୍ଡ ନ ଥିବାରୁ ଚାଉଳ, ଗହମ ଗଣ୍ଡାଏ ବି ମିଳୁନି । ସ୍ତ୍ରୀ ଆଉ ୪ବର୍ଷର କୁନି ଝିଅର ପେଟକୁ ଦାନା ଯୋଗାଡ଼ କରିବା ଏବେ କାଠିକର ପାଠ । କେବଳ ସେତିକି ନୁହେଁ, ପ୍ରବାସୀ ଭାବେ ତାମିଲନାଡୁରୁ ଆସି ପଞ୍ଚାୟତ କ୍ୱାରେଣ୍ଟାଇନ୍ ସେଣ୍ଟର୍ରେ ୧୪ ଦିନ କାଟି, ପୁଣି ଗାଁରେ ୭ ଦିନ ସଙ୍ଗରୋଧରେ ରହି ବି ଏଯାଏ ମିଳିନି ସରକାରୀ ସହାୟତା । ବାରମ୍ବାର ସରପଞ୍ଚଙ୍କୁ ଆପତ୍ତି କଲେ ବି ଟିଏମ୍ସି ଅନ୍ତେବାସୀଙ୍କୁ ମିଳୁଥିବା ୨ ହଜାର ଟଙ୍କା ତାଙ୍କୁ ଏଯାଏ ମିଳୁନି ।
ଇଏ ହେଉଛି ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ୍ ଅଧୀନ ବତିମୀରା ଗ୍ରାମର ରାଜ କିଶୋର ନାୟକଙ୍କ ଦୁଃଖ କାହାଣୀ । ଗାଁରେ ଥିବା ବଖରାଏ ଘରେ ବାପା, ମା’ ରହୁଥିବାରୁ ଗାଁଁରୁ ବାହାରି ଦେଢ଼ ମାସ ହେଲା ହଳଦିଆପଡ଼ା ନିକଟ ରାସ୍ତା କଡ଼ ଏକ କ୍ୟାବିନ୍୍ ଭଡ଼ା ନେଇ ସ୍ତ୍ରୀ, ପିଲାଙ୍କ ସହ ରହୁଛନ୍ତି ସେ । ତାଙ୍କ କହିବାନୁସାରେ, ‘ସେଇଠି ପତ୍ନୀ ରୋଷେଇ କରୁଛି । ସେଇଠି ଛୁଆ ଖେଳୁଛି । ସେଇଠି ମୁଁ ଚା’, ବିସ୍କୁଟ୍ ଓ ଜଳଖିଆ ବିକୁଛି । ଆଉ ରାତି ହେଲେ କ୍ୟାବିନ୍ କବାଟ ପକାଇ ତା’ ଭିତରେ ସପରିବାର ଶୋଇଯାଉଛି । ପୁଣି ରାତି ପାହିଲେ ଉଠା ଚୁଲିରେ ଚା’ କେଟିଲ୍ ବସାଇ ଗ୍ରାହକଙ୍କୁ ଚାହିଁ ରହୁଛି । ଏମିତି କ୍ୟାବିନ୍ ଭିତରେ କଟୁଛି ମୋ ଦିନ ।’
୩୨ ବର୍ଷ ବୟସ୍କ ରାଜକିଶୋର ଭଲ ଦି’ ପଇସା ରୋଜଗାର ଆଶାରେ ଗାଁ ଛାଡ଼ି ତାମିଲନାଡୁ ଯାଇଥିଲେ । ସାଙ୍ଗରେ ସ୍ତ୍ରୀ ପିଲାଙ୍କୁ ନେଇଯାଇଥିଲେ । ସେଠାରେ ଏକ କମ୍ପାନିରେ କାମ କରୁଥିଲେ । ହସଖୁସିରେ ପରିବାର ଚଳୁଥିଲା । ଘରକୁ ବି ପଇସା ପଠାଉଥିଲେ । ହେଲେ ତାଙ୍କ ଉପରେ ‘କରୋନା’ ଦାଉ ସାଧିଲା । କମ୍ପାନି ବନ୍ଦ ହୋଇଗଲା । ଦରମା ମିଳିଲାନି । ଏଣୁ ଛୁଆ ପିଲା ଧରି ଗାଁ ମୁହାଁ ହେଲେ । ଗତ ଜୁନ ୫ ତାରିଖରେ ଓଡ଼ିଶା ଫେରିଆସି ବତୀମିରା ପଞ୍ଚାୟତ କାଳିଆବୁଦା କ୍ୱାରେଣ୍ଟାଇନ୍ ସେଣ୍ଟରରେ ୧୪ ଦିନ ରହିଥିଲେ । ପରେ ଘରକୁ ଫେରିଥିଲେ । ତେବେ ତାଙ୍କର ଗାଁରେ ମାତ୍ର ଗୋଟିଏ ବଖରା ଘର । ସେଥିରେ ପୁଣି ବାପା, ମା’ ରହୁଛନ୍ତି । ଏଣୁ ବାପା, ମା’ ବାରଣ୍ଡାରେ ରହି ରାଜକିଶୋରଙ୍କୁ ଘର ଛାଡ଼ିଦେଇଥିଲେ । ତେବେ ୭ଦିନ କଷ୍ଟ ସ୍ୱୀକାର କରି ହୋମ୍ କ୍ୱାରେଣ୍ଟାଇନ୍ରେ ରହିଲେ । କିନ୍ତୁ ଆଉ ପାରିଲେନି । ବାପା, ମା’ ବାରଣ୍ଡାରେ ରହିବା ଦେଖି ଘର ଛାଡ଼ି ହଳଦିଆପଡ଼ା ଛକରେ କ୍ୟାବିନ୍ ଭଡ଼ା ନେଇ ସେଠାରେ ରହୁଛନ୍ତି । ଅଥଚ, ସରକାରୀ ସହାୟତା ତାଙ୍କ ପାଇଁ ଅପହଞ୍ଚ ହୋଇ ରହିଯାଇଛି । ନା ଅଛି ରାସନ କାର୍ଡ ନା ମିଳିଛି ପକ୍କା ଘର । ଅତି ଦୟନୀୟ ଅବସ୍ଥାରେ କ୍ୟାବିନ୍ରେ ଛୋଟ ପିଲା ଓ ସ୍ତ୍ରୀଙ୍କୁ ନେଇ କାଟୁଛନ୍ତି ଦିନ । ପ୍ରବାସୀଙ୍କ ଲାଗି ସରକାର ଘୋଷଣା କରିଥିବା ଯୋଜନା କେବଳ ଯୋଜନାରେ ଅଟକି ଯାଇଥିବା ରାଜକିଶୋର କ୍ଷୋଭର ସହ କହିଛନ୍ତି । କାରଣ ତାଙ୍କୁ ଏଯାଏ ମିଳିନି କ୍ୱାରେଣ୍ଟାଇନ୍ ବାବଦ ସରକାରୀ ସହାୟତା ରାଶି । ଏହି କ୍ୟାବିନ୍ରେ ଚା’ ଜଳଖିଆ ବିକ୍ରି କରି ଯାହା ଦି’ ପଇସା ମିଳୁଛି ସେଥିରେ ଦୁଃଖେକଷ୍ଟେ ୩ ପ୍ରାଣୀ କଷ୍ଟରେ ଚଳୁଛନ୍ତିି । ତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବା ପାଇଁ ରାଜକିଶୋରଙ୍କ ପରିବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି ।
Comments are closed, but trackbacks and pingbacks are open.