ଭଣ୍ଡଙ୍କ କାରସାଦି:ଷଣ୍ଢ ଦେଖାଇ ଲୁଟିଲେ ୪୮ ହଜାର

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ପରିବାରରେ ସୁଖଶାନ୍ତି ଭରିଦେବା ସହ ରିଷ୍ଟ ଖଣ୍ଡନ କରିବାକୁ ଷଣ୍ଢ ଦେଖାଇ ଠକେଇ । ଟଙ୍କେ ଅଧେ ନୁହେଁ, ପାଖାପାଖି ୪୮ ହଜାର ଟଙ୍କା ଲୁଟିନେଲେ ଭଣ୍ଡ । ଏଭଳି ଏକ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସଦର ମହେଶ୍ୱରୀ କଲୋନିରେ । ଷଣ୍ଢ ପୂଜା ନାଁରେ ଏହି ଠକେଇ ହୋଇଛି ।
ସୂଚନା ଅନୁସାରେ, ଶନିବାର ସକାଳେ ଧଳା କୁର୍ତ୍ତା, ପାଇଜାମା ଓ ଧଳା ରଙ୍ଗର ଟୋପି ପିନ୍ଧି ଜଣେ ଅଣ ଓଡିଆ ବ୍ୟକ୍ତି କଲୋନିକୁ ଆସିଥିଲେ । ସାଙ୍ଗରେ ଆଣିଥିଲେ ଏକ ଷଣ୍ଢ । ଏହାକୁ ଆକର୍ଷଣୀୟ କରିବାକୁ ରଙ୍ଗବେରଙ୍ଗ କପଡାରେ ବିଚିତ୍ର ଢଙ୍ଗରେ ସଜାଇଥିଲେ । ବାଜା ବଜାଇ କଲୋନିରେ ତାକୁ ବୁଲାଉଥିଲେ । ଷଣ୍ଢଟିକୁ ଦେଖିବା ପାଇଁ କଲୋନିବାସୀଙ୍କ ଭିଡ ଜମିଥିଲା । କେହି କିଛି ପ୍ରଶ୍ନ ପଚାରିଲେ ଷଣ୍ଢଟି ମୁଣ୍ଡ ଟୁଙ୍ଗାରୀ ଇସାରା ଦେଉଥିଲା । ଇସାରାରୁ ମାଲିକ ଉତ୍ତର ଦେଉଥିଲେ । ଶିରିଡି ସାଇବାବାଙ୍କ ପୀଠରୁ ଷଣ୍ଢ ଆସିଥିବା ମାଲିକ କହିଥିଲେ । କିଛି ସମୟ ଏପରି ଚାଲିବା ପରେ ଲୋକଙ୍କର ଷଣ୍ଢ ଓ ମାଲିକଙ୍କ ପ୍ରତି ବିଶ୍ୱାସ ଜମି ଯାଇଥିଲା । ପଶୁଟି ସିରିଡି ସାଇବାବାଙ୍କ ପୀଠରୁ ଆସିଛି ଓ ସବୁ ସମସ୍ୟା ସମାଧାନ କରିବ ବୋଲି ମାଲିକ କହିଥିଲେ । ଏପରିକି ପରିବାରରୁ ରିଷ୍ଟ ଖଣ୍ଡନ କରି ସୁଖଶାନ୍ତି ଭରିଦେବ ବୋଲି ମାଲିକ କହିଥିଲେ । ଲୋକେ ମଧ୍ୟ ଏଥିରେ ବିଶ୍ୱାସ କରି ନିଜର ଭକ୍ତିଭାବ ପ୍ରଦର୍ଶନ କରିଥିଲେ । ୟା ଭିତରେ ବାବା ଷଣ୍ଢଟିର କାନରେ କିଛି ମନ୍ତ୍ର ଉଚ୍ଚାରଣ କରିଥିଲେ । ତୁରନ୍ତ ଷଣ୍ଢଟି କଲୋନିର ଜଣଙ୍କ ଘର ଆଗରେ ମୁଣ୍ଡ ହଲାଇ ଉଦଣ୍ଡ ନୃତ୍ୟ କରିଥିଲା । ଘର ଆଗରେ ଏଭଳି ଅଦ୍ଭୁତ ଦୃଶ୍ୟ ଦେଖି ଜଣେ ମହିଳା ପୂଜା ସାମଗ୍ରୀ ଧରି ଆସିଥିଲେ । କିଛି ଚାଉଳ, ପନିପରିବା ଆଣକି ଷଣ୍ଢଟିକୁ ଖାଇବାକୁ ଦେଇଥିଲେ । ପୁଣି ବାବା ଜଣକ ଷଣ୍ଢ କାନରେ ଅନ୍ୟ ଏକ ମନ୍ତ୍ର କହିଥିଲେ । ଷଣ୍ଢଟି ଉକ୍ତ ମହିଳାଙ୍କ ନିକଟକୁ ଯାଇ ମୁଣ୍ଡ ଟୁଙ୍ଗାରୀ ରଖାଯାଇଥିବା ଖାଦ୍ୟ ସାମଗ୍ରୀକୁ ଠେଲି ଦେଇଥିଲା । ଷଣ୍ଢ କାହିଁକି ଖାଦ୍ୟ ଗ୍ରହଣ କରୁନାହିଁ ବୋଲି ମହିଳା ଜଣଙ୍କ ବାବାଙ୍କୁ ପଚାରିଥିଲେ । ଏହାର ଉତ୍ତରରେ ବାବା କହିଥିଲେ ତମ ଘରେ ଗ୍ରହଦୋଷ ରହିଛି । ଏହାକୁ ଖଣ୍ଡନ ନକଲେ ଆଗକୁ ବଡ ବିପଦ ଆସିବ । ଏଣୁ ଷଣ୍ଢ ତୁମ ହାତରୁ ଖାଦ୍ୟ ଗ୍ରହଣ କରୁନାହିଁ । ମହିଳା ଜଣଙ୍କ ଏଥିରେ ଭୟଭୀତ ହୋଇ ବିପଦରୁ ଉଦ୍ଧାର କରିବାକୁ ବାବାଙ୍କୁ ଅନୁରୋଧ କରିଥିଲେ । ଷଣ୍ଢଟିକୁ ପ୍ରଣାମ ହେବା ସହ ଖାଦ୍ୟ ଖୋଇଥିଲେ । ଏଣେ ତୁମ ଘରକୁ କେହି ଗୁଣିଆ ବାଣ ମାରିଛି ଓ ଏହାର ପ୍ରତିକାର କରିବାକୁ ସିରିଡି ସାଇବାବାଙ୍କ ପୀଠକୁ ଯାଇ ପୂଜା କରିବାକୁ ମହିଳାଙ୍କୁ ବାବା କହିଥିଲେ । ଏଥିପାଇଁ କିଛି ଟଙ୍କାର ଆବଶ୍ୟକତା ଅଛି ବୋଲି କହିଥିଲେ । ମହିଳାଜଣକ ତୁରନ୍ତ ବାବାଙ୍କୁ କିଛି ଅର୍ଥ ଦାନ କରିଥିଲେ । ବାବା ଜଣଙ୍କ ଏମିତି ଢଙ୍ଗରେ କଲୋନିର ଅନ୍ୟ ଘରଗୁଡିକରୁ ମଧ୍ୟ ଟଙ୍କା ଦାନ ଆଣିଥିଲେ । କେତେ ଘଣ୍ଟା ମଧ୍ୟରେ ବାବା ଜଣକ ଷଣ୍ଢକୁ ଧରି ପାଖାପାଖି ୪୮ ହଜାର ଟଙ୍କା ଆଦାୟ କରିଦେଇଥିଲେ । ତା ପରେ କଲୋନିରୁ ଛୁ ମାରିଥିଲେ । କେତେଜଣ ଶିକ୍ଷିତ ଯୁବକ ଏହା ଜାଣିବା ପରେ ବାବା ଓ ଷଣ୍ଢକୁ ଖୋଜାଖୋଜି କରିଥିଲେ । କିନ୍ତୁ କିଛି ପତ୍ତା ମିଳି ନଥିଲା । ଷଣ୍ଢଟିର ଉଦଣ୍ଡ ନୃତ୍ୟକୁ କେତେଜଣ ପିଲା ମୋବାଇଲରେ ଭିଡିଓ କରିଥିଲେ । ଏହା ଏବେ ଭାଇରାଲ୍ ହୋଇଥିବା ବେଳେ ଏହାକୁ ନେଇ ଥାନାରେ ଏତଲା ହୋଇ ନଥିବା ଜଣାପଡିଛି । କିନ୍ତୁ ପୁଲିସ ଏ ସଂପର୍କରେ ଖବର ପାଇ ତନାଘନା କରିଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons