ଭତ୍ତାରୁ ବଞ୍ଚିତ ଦିବ୍ୟାଙ୍ଗ ଶିଶୁ

Get real time updates directly on you device, subscribe now.

କୁନ୍ଦୁରା,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଦିବ୍ୟାଙ୍ଗ ଶିଶୁକୁ ମିଳୁନି ସରକାରୀ ସହାୟତା । ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ପିଲାଟିକୁ ବାହାରକୁ ନେଇ ଚିକିତ୍ସା କରାଇପାରୁନାହାନ୍ତି ବାପା, ମାଆ । ଶିଶୁଟି ହେଲା କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଘୁମର ପଞ୍ଚାୟତ ବୁରୁଡିପୁଟ ଗାଁର ବାସୁ ପୂଜାରୀ ଓ ମଙ୍ଗୁଳୀଙ୍କର ୮ ବର୍ଷର ପୁଅ ପବିତ୍ର । ସରପଞ୍ଚଙ୍କଠାରୁ ଆରମ୍ଭ କରି ଅଧିକାରୀ ଓ ମନ୍ତ୍ରୀଙ୍କ ନିକଟରେ ପରିବାର ଲୋକେ ସହାୟତା ପାଇଁ ହାତ ପତାଇ ନିରାଶ ହୋଇଛନ୍ତି ।
ବାସୁଙ୍କ ପରିବାର ଆଦିବାସୀ ସମ୍ପ୍ରଦାୟର । ବାସୁଙ୍କର ଦୁଇ ଝିଅ ଓ ଦୁଇ ପୁଅ । ସାନପୁଅ ହେଉଛି ପବିତ୍ର । ପବିତ୍ର ଜନ୍ମରୁ ଦିବ୍ୟାଙ୍ଗ । ବାସୁ ମୁଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ଛଅପ୍ରାଣୀ ପରିବାର ଚଳେ । ରେସନ କାର୍ଡ ଖଣ୍ଡେ ଛଡା ଆଉ କିଛି ସରକାରୀ ସହାୟତା ମିଳିନି ଏହି ପରିବାରକୁ । ସମ୍ପତ୍ତି କହିଲେ ମୁଣ୍ଡ ଗୁଞ୍ଜିବାକୁ ଚାଳଛପର ଘର ଖଣ୍ଡେ । ପବିତ୍ର ୫୨ ପ୍ରତିଶତ ଦିବ୍ୟାଙ୍ଗ ବୋଲି ସରକାରୀ ପ୍ରମାଣପତ୍ର ମିଳିଛି । ଗୋଟିଏ ହୁଇଲ ଚେୟାର ପବିତ୍ରକୁ ମିଳିଥିଲେ ହେଁ ଏହା ତା କାମରେ ଲାଗୁନି । ଶିଶୁଟିର ଚିକିତ୍ସା ଓ ସହାୟତା ପାଇଁ କିଛିବର୍ଷ ହେଲା ପରିବାର ଲୋକେ ଘୁମର ସରପଞ୍ଚଙ୍କଠାରୁ ଆରମ୍ଭକରି ପିଇଓ, ବିଡିଓ, ଏପରିକି ମନ୍ତ୍ରୀ ପଦ୍ମିନୀ ଦିଆନ ଓ ସାଂସଦ ରମେଶ ମାଝିଙ୍କୁ ଜଣାଇଛନ୍ତି । ଏମାନେ ସମସ୍ତେ କେବଳ ପ୍ରତିଶ୍ରୁତି ଦେଇଥିବା ବାସୁ ଓ ତାଙ୍କ ପତ୍ନୀ ମଙ୍ଗୁଳୀ ଦୁଃଖର ସହ କହିଛନ୍ତି । ପିଲାଙ୍କ ପାଠପଢା, ଘରର ଯାବତୀୟ ଖର୍ଚ୍ଚ ପାଇଁ ବାସୁଙ୍କ ପାଖରେ ଟଙ୍କା ନଥିବାବେଳେ ପବିତ୍ରର ଚିକିତ୍ସାରେ ଏହା ବାଧକ ସାଜିଛି । ଥରେ ଦୁଇଥର ବାସୁ ପିଲାଟିକୁ ନେଇ ଚିକିତ୍ସା କରାଇଛନ୍ତି । କିନ୍ତୁ କିଛି ସୁଫଳ ମିଳିନି । କିଛି ସରକାରୀ ସୁବିଧା ମିଳିଲେ ପିଲା ମୋର ଚିକିତ୍ସିତ ହୋଇ ଭଲ ହୋଇଯାଆନ୍ତା ବୋଲି ବାସୁ ଓ ମଙ୍ଗୁଳୀ ଦୁଃଖର ସହ ଜଣାଇଛନ୍ତି ।
ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁମିତ୍ରା ଖରା କହିଛନ୍ତି, ଚଳିତ ଅଗଷ୍ଟରୁ ପବିତ୍ର ପାଇଁ ମାସିକ ୫ ଶହ ଟଙ୍କା ଭତ୍ତା ବ୍ୟବସ୍ଥା କରାଯାଇଛି । ପିଲାଟିର ବ୍ୟାଙ୍କ ଖାତାରେ ଏହା ଜମା କରାଯାଇଛି । ପରିବାରକୁ ଚାଉଳ ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏସଇସିସି ତାଲିକାରେ ନାମ ଥିଲେ ଅବା ବର୍ତ୍ତମାନ ଚାଲିଥିବା ସର୍ଭେ ପରେ ଆବାସ ଯୋଗାଇ ଦିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons