ଭଦ୍ରକ,(ବି.ବି.ନୁ୍ୟଜ୍): ଭଦ୍ରକ ଜିଲ୍ଲାରେ ଶନିବାର ପୁଣି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟ ଗୁଜରାଟ ଫେରନ୍ତା । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ରେ ପହଞ୍ଚିଲା । ତେବେ ଏହି ସପ୍ତାହରେ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି । ଗତ ୩ଦିନ ଧରି ଲଗାତର ଭାବେ କରୋନା ପଜିଟିଭ୍ଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଆଜି ଚିହ୍ନଟ ସମସ୍ତ ପଜିଟିଭ୍ ଟିଏମସି ବା ସଂଗରୋଧ କେନ୍ଦ୍ରରେ ରହିଛନ୍ତି । ଚିହ୍ନଟ ୪ଜଣଙ୍କ ମଧ୍ୟରୁ ୨ ଜଣ ଭଣ୍ଡାରିପୋଖରୀ ବ୍ଲକ୍ର । ଜଣେ ମହୁରା ହାଇସ୍କୁଲ ଟିଏମସିରେ ଥିବା ବେଳେ ଅନ୍ୟ ଜଣେ ସମ୍ପୋଇ ୟୁପି ସ୍କୁଲ ଟିଏମସିରେ ରହିଥିଲେ । ଅନ୍ୟ ଜଣେ ଆକ୍ରାନ୍ତ ବାସୁଦେବପୁର ବ୍ଲକ ଏବି ହାଇସ୍କୁଲ ଟିଏମସିରେ ଥିବା ବେଳେ ଆଉ ଜଣେ ଧାମନଗର ବ୍ଲକ ଖିଲେଶ୍ୱର ବାଳିକା ହାଇସ୍କୁଲ ଟିଏମସିରେ ରହିଥିଲେ । ଚିହ୍ନଟ ହେବା ପରେ ଏହି ୪ ଜଣଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାପାଳ ଜ୍ଞାନ ଦାସ ସମସ୍ତ ଚିହ୍ନଟ କ୍ୱାରେଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଓ ସଂପୃକ୍ତ ପଞ୍ଚାୟତକୁ ବଫର ଜୋନ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଲା ବନ୍ତ କଲେଜ କଣ୍ଟେନମେଣ୍ଟ ଓ ଛୟାଳସିଂ ପଞ୍ଚାୟତ ବଫର ଜୋନ, ଧାମନଗର ବ୍ଲକର ଝାରଡେଶ୍ୱର ହାଇସ୍କୁଲ ଓ ଝାରଡିଆ ଗ୍ରାମ କଣ୍ଟେନମେଣ୍ଟ ଜୋନ ଓ ଗଢିଆଳି ପଞ୍ଚାୟତ ବଫର ଜୋନ । ଖିଲେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ କଣ୍ଟେନମେଣ୍ଟ ଓ କରଦା ପଞ୍ଚାୟତ ବଫର ଜୋନ । ସେହିପରି ଭଣ୍ଡାରିପୋଖରୀ ବ୍ଲକର ମହୁରା ହାଇସ୍କୁଲ ଓ ସମ୍ପୋଇ ୟୁପି ସ୍କୁଲ କଣ୍ଟେନମେଣ୍ଟ ଏବଂ ନିର୍ଗୁଣ୍ଡି ପଞ୍ଚାୟତ ଓ ରାମଚନ୍ଦ୍ରପୁର ପଞ୍ଚାୟତ ବଫରଜୋନ ଭାବେ ଘୋଷିତ ହୋଇଛି । ଅନ୍ୟପକ୍ଷରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୬ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ମାତ୍ର ୩୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।
Comments are closed, but trackbacks and pingbacks are open.