
ଭଦ୍ରକ: ପୁଣି ଧରାହେଲା ବ୍ରାଉନସୁଗାର , ବାଇକରେ ଚାଲାଣ ହେଉଥିବା ବେଳେ ମାଡି ବସିଲା ପୋଲିସ । ୨୬୫ ଗ୍ରାମ ବ୍ରାଉନସୁଗାର ସହ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ ।
ସୂଚନାଅନୁସାରେ, ଏହି ବ୍ରାଉନସୁଗାରକୁ ଜବତ କରିଛି ଭଦ୍ରକ ଜିଲ୍ଲା ଧୂସୁରି ପୋଲିସ । ଧୂସୁରି ପୋଲିସ ବ୍ରାଉନସୁଗାର ଚାଲାଣ ହେଉଥିବା ନେଇ ଖବର ପାଇଥିଲା । ଧୂସୁରି ପୋଲିସର ଏକ ଟିମ୍ ଦିନ ୧୧ଟାରୁ ଭଦ୍ରକ ଆରଡ଼ି ରାସ୍ତାର ଉଚ୍ଚପଦା ଛକ ନିକଟରେ ଜଗି ରହିଥିଲେ । ତେବେ ୩ ଅଭିଯୁକ୍ତ ଏକ ସ୍କୁଟରରେ ବ୍ରାଉନସୁଗାର ନେଇ ଧୂସୁରି ଅଭିମୁଖେ ଯାଉଥିବା ବେଳେ ଅସୁରାଳି ବିଦ୍ୟୁତ ଷ୍ଟ୍ରକଚର ନିକଟରେ ପୋଲିସ ସେନାନଙ୍କୁ ଅଟକାଇଥିଲା । ଖାନତଲାସୀ ବେଳେ ସେମାନଙ୍କ ନିକଟରୁ ଏକ ପଲିଥିନରେ ୨୬୫ ଗ୍ରାମ ବ୍ରାଉନସୁଗାର ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷରୁ ଅଧିକ ବୋଲି ପୋଲିସ ସୂଚନା ଦେଇଛି ।
ଗିରଫ ଅଭିଯୁକ୍ତ ହେଉଛନ୍ତି ଧୂସୁରି ଥାନା ଖପରପଦା ଅଞ୍ଚଳର ମଣିଭଦ୍ର ସାହୁ, ଗ୍ରାମଞ୍ଚଳ ଥାନା ଚୁନିଦା ଅଞ୍ଚଳର ନିରାକାର ଜେନା ଓ ତ୍ରିଲୋଚନ ଦାସ । ତେବେ ମଣିଭଦ୍ର ନିକଟରୁ ୨୨ ହଜାର ୮ ଶହ ନଗଦ ଟଙ୍କା, ୧୦ ମୋବାଇଲ ଫୋନ, ୪୯ କାଗଜ ପିସ, ରବର, କଇଁଚି ସହ ଗୋଟିଏ ସ୍କୁଟି ଜବତ ହୋଇଛି । ସେହିପରି ନିରାକାର ନିକଟରୁ ୭ ହଜାର ୬ ଶହ ନଗଦ ଟଙ୍କା, ମୋବାଇଲ ,ବ୍ଲେଡ଼, କଇଁଛି, କାଗଜ ଓ ତ୍ରିଲୋଚନ ନିକଟରୁ ମୋବାଇଲ, ୧୪ ଶହ ନଗଦ ଟଙ୍କା, କଇଁଚି ଓ ବ୍ରାଉନସୁଗାର ପ୍ୟାକେଟ ପାଇଁ ଥିବା କାଗଜ ଜବତ ହୋଇଛି । ଧୂସୁରି ଥାନାର ଏସଆଇ ମହାପ୍ରସାଦ ନାୟକଙ୍କ ଲିଖିତ ଏତଲା ବଳରେ ଏକ ମାମଲା ରୁଜୁ ହୋଇଛି ।


Comments are closed, but trackbacks and pingbacks are open.