ଭଦ୍ରକ: ବ୍ରାଉନସୁଗର କାରବାରର ହବ୍ ପାଲଟିଛି ଭଦ୍ରକ ଜିଲ୍ଲା । ଯାଞ୍ଚ୍ ବେଳେ ଶୁକ୍ରବାର ପୁଲିସ ଏନ୍ଫୋର୍ସମେଣ୍ଟ ହାବୁଡ଼ରେ ୨ ଜଣ ନିଶା ବେପାରୀ ପଡ଼ିଥିଲେ । ସଂପୃକ୍ତ ଯୁବକ ଦୁହେଁ ହେଲେ ନଙ୍ଗାମହଲା ଗ୍ରାମର ଜମାଲଉଦ୍ଧିନ ଖାନ ଓ ନିଳକଣ୍ଠପୁର ଗ୍ରାମର ସେକ ରଫିକ୍ । ସେମାନଙ୍କଠାରୁ ୧୧୦ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା । ତେବେ ଜବତ ବ୍ରାଉନସୁଗର ମୂଲ୍ୟ ପ୍ରାୟ ୧୧ ଲକ୍ଷ ଟଙ୍କା ହେବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ତେବେ ଗତ ୩ ମାସ ମଧ୍ୟରେ ଜିଲ୍ଲାରୁ ୨କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ବ୍ରାଉନସୁଗର ଜବତ ହେଲାଣି । ଭଦ୍ରକ ପୁଲିସ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଅଧିକ ସଫଳତା ପାଇଛି । ଅପରପକ୍ଷେ ଜିଲ୍ଲା ଅବକାରୀ ବିଭାଗକୁ ଏଦିଗରେ ଆଦୌ ସଫଳତା ମିଳି ପାରିନାହିଁ ।
ସୂଚନା ଅନୁସାରେ, ପୌରାଞ୍ଚଳ ନଙ୍ଗାମହଲା ନିକଟସ୍ଥ ସନ୍ଥିଆ ସାଳନ୍ଦୀ ପୋଲ ନିକଟରେ ଶୁକ୍ରବାର ପୁରୁଣାବଜାର ପୁଲିସ ଏନଫୋର୍ସମେଣ୍ଟ ଯାଞ୍ଚ୍ କରୁଥିଲେ । ଏତିକିବେଳେ ଜମାଲଉଦ୍ଧିନ ଓ ସେକ୍ ରଫିକ୍ ଏକ ବାଇକରେ ଯାଉଥିବା ସମୟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଯାଞ୍ଚ ବେଳେ ସେମାନଙ୍କଠାରୁ ୧୧୦ ଗ୍ରାମ ବ୍ରାଉନସୁଗର ଏବଂ ନିଶା ସେବନ ନିମନ୍ତେ ବ୍ୟବହୃତ କାଗଜ ଓ ମୋବାଇଲ ଫୋନ ଜବତ କରାଯାଇଥିଲା । ପୁଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ, ଗତ ୩ମାସ ମଧ୍ୟରେ ୨କୋଟି ଟଙ୍କାରୁ ଊଦ୍ଧ୍ୱର୍ ମୂଲ୍ୟର ବ୍ରାଉନସୁଗାର ଜବତ ହେଲାଣି । ଏଥିରୁ ସଂହଭାଗ କେବଳ ଲକଡାଉନ ବେଳେ ହିଁ ଜବତ୍ ହୋଇଛି । କରୋନାର ପ୍ରଥମ ଲହର ଲକଡାଉନ ସମୟ ଅର୍ଥାତ୍ ଗତ ବର୍ଷ ଜୁନ ମାସ ବନ୍ତ ଛକ ଠାରେ ପୁଲିସ ବାଇକ ଯାଞ୍ଚ୍ କରୁଥିବା ଦେଖି ୨ଜଣ ଯୁବକ ସେମାନଙ୍କ ବାଇକ ଛାଡ଼ି ଫେରାର ହୋଇ ଯାଇଥିଲେ । ଯାଞ୍ଚ ସମୟରେ ଏହି ବାଇକ ଡିକିରୁ ବହୁ ଲକ୍ଷ ଟଙ୍କାର ବ୍ରାଉନସୁଗର ମିଳିଥିଲା । ଉକ୍ତ ବାଇକର ନମ୍ବର ଜାଲ ଥିଲା । ଏସମସ୍ତ କଥାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଲକଡାଉନ ବେଳେ ବ୍ରାଉନସୁଗର ବେପାରୀ ଅଧିକ ସକ୍ରିୟ ହୋଇ ପଡ଼ୁଛନ୍ତି । ତେଣୁ ଏପ୍ରକାର ବେଆଇନ କାରବାର କରୁଥିବା ମାଫିଆଙ୍କ ପ୍ରତି ପୁଲିସ ଜିରୋ ଟଲରେନ୍ସ ନୀତି ଆପଣେଇବା ସହ ଅଧିକ ସତର୍କତା ଅବଲମ୍ବନ କରିବା ଜରୁରି ହୋଇ ପଡ଼ିଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.