ଭରତପୁର: ରାଜସ୍ଥାନରେ ଥିବା ଭରତପୁର ସେଣ୍ଟ୍ରାଲ ଜେଲ ଏ ପର୍ଯ୍ୟନ୍ତ କରୋନା ଭୂତାଣୁଠାରୁ ଦୂରରେ ଥିଲା । ଜେଲ ଅନ୍ତେବାସୀଙ୍କ ପ୍ରତି କୌଣସି ବିପଦ ନ ଥିଲା । ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି । ଶେଷରେ ଏହି ଜେଲରେ ପହଞ୍ଚିଛି କରୋନା ଭୂତାଣୁ । ଜେଲକୁ ପନିପରିବା ଯୋଗାଉଥିବା ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ ଜେଲ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଜେଲ୍ର ଅନ୍ତେବାସୀ କିମ୍ବା ସେଠାରେ ନିୟୋଜିତ ପୁଲିସ କର୍ମୀ କରୋନା କବଳରେ ପଡ଼ିପାରନ୍ତି ବୋଲି ଆଶଙ୍କା କରାଯାଉଛି । ପ୍ରତିକାର ପଦକ୍ଷେପ ସ୍ୱରୂପ ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳରେ କର୍ଫୁ୍ୟ ଲାଗୁ କରିଛି । ଏହାପରେ ଅନ୍ତେବାସୀ ଏବଂ ଜେଲ କର୍ମଚାରୀମାନଙ୍କର ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଛି । ସୂଚନା ମୁତାବକ ଜେଲ୍ର ରୋଷଶାଳାକୁ ନିୟମିତ ଭାବେ ପରିବା ଯୋଗାଉଥିବା ଜଣେ ୪୮ ବର୍ଷୀୟ ବ୍ୟକ୍ତି କିଛିଦିନ ହେବ କାଶ, ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିଲେ । ଏହାପରେ ସେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ପରେ ଡାକ୍ତର ତାଙ୍କୁ କରୋନା ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ସେ ପରୀକ୍ଷା ପାଇଁ ନମୁନା ଦେଇଥିଲେ । ରବିବାର ଏହାର ରିପୋର୍ଟ ପଜିଟିଭ୍ ଆସିଛି । ଭରତପୁର ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ୧୩୫ରେ ପହଞ୍ଚିଛି । ଏବେ ଭରତପୁର ଜେଲ ଉପରେ ବିପଦ ଘନେଉଛି ।
Comments are closed, but trackbacks and pingbacks are open.