ନବରଙ୍ଗପୁର,(ବି.ବି.ନୁ୍ୟଜ୍): ଭାଇଚାରା ଦେଖାଇଲେ ବିଧାୟକ । ଶ୍ମଶାନ ପର୍ଯ୍ୟନ୍ତ ଜଣେ ଗରିବ ବ୍ୟକ୍ତିଙ୍କ ଶବକୁ କାନ୍ଧରେ ବୋହିଲେ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଏହି କାର୍ଯ୍ୟକରି ଚର୍ଚ୍ଚାକୁ ଆସିଥିବା ବେଳେ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି ।
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କେନ୍ଦୁଗୁଡା ଗାଁର ଇନ୍ଦ୍ର ଗୌଡଙ୍କର ଆଜି ମୃତୁ୍ୟ ହୋଇଥିଲା । ଇନ୍ଦ୍ର ଜଣେ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଖବର ପାଇ ବିଧାୟକ କେନ୍ଦୁଗୁଡାରେ ପହଞ୍ଚି ଥିଲେ । ମୃତକଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରେ ଇନ୍ଦ୍ରଙ୍କ ପରିବାର ଲୋକଙ୍କ ସହ ମିଶି ଶବକୁ କାନ୍ଧରେ ବୋହି ଶ୍ମଶାନ ପର୍ଯ୍ୟନ୍ତ ଯାଇଥିଲେ । ବସ୍ତୁବାଦୀ ଦୁନିଆରେ ପଡୋଶୀକୁ ସାହାଯ୍ୟ କରିବାକୁ ଲୋକେ କୁଣ୍ଠାବୋଧ କରୁଥିବା ବେଳେ ବିଧାୟକଙ୍କ ଏଭଳି ମାନବିକତା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଏହାବ୍ୟତୀତ ବିଧାୟକ ମୃତ ଇନ୍ଦ୍ର ଗୌଡଙ୍କ ପରିବାରକୁ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସରକାରୀ ସହୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟ ସୂଚନା ଅନୁସାରେ, ଶ୍ରୀ ରନ୍ଧାରୀ ୨ ଦିନ ତଳେ ୨ ଟି ସେବାଶ୍ରମ ପରିଦର୍ଶନରେ ଯାଇଥିଲେ । ଏହି ୨ ଟି ଯାକ ସେବାଶ୍ରମରେ ଖାଦ୍ୟ ଅଭାବ ଥିବାରୁ ଅନ୍ତେବାସୀ ଓପାସରେ ରହିଥିଲେ । ଶ୍ରୀ ରନ୍ଧାରୀ ଏହି ଘଟଣା ଜାଣିବା ପରେ ତୁରନ୍ତ ପିଲାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିଥିଲେ । ଏଥିସହ ୨ ସେବାଶ୍ରମର ମଧ୍ୟାହ୍ନ ଭୋଜନରେ ଅନିୟମିତତାକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଦୁଇଟି ଯାକ ସେବାଶ୍ରମର ୩ ଜଣ ଶିକ୍ଷକଙ୍କୁ ଜିଲ୍ଲାପାଳ ଚାକିରିରୁ ନିଲମ୍ବନ କରିଥିଲେ ।
Comments are closed, but trackbacks and pingbacks are open.