ବୋରିଗୁମ୍ମା: କୁକୁଡା ଚୋରି ଅଭିଯୋଗରେ ନିସ୍ତୁକ ମାଡ଼ ଖାଉଥିବାର ଭିଡିଓ ଭାଇରାଲ୍ ହେଲା । ଶେଷରେ ଏହି ଭିଡିଓ ଜଣେ ଯୁବକଙ୍କ ଜୀବନ ନେଇଯାଇଛି । ମୃତ ଯୁବକ ଜଣଙ୍କ ହେଲେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ୍ କେନ୍ଦୁଗୁଡାର ନୀଳାମ୍ବର ଭୂମିଆ । ଲୋକଲଜ୍ଜା ସହି ନପାରି ସେ ଆଜି ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏହାକୁ ନେଇ ସୃଷ୍ଟି ହୋଇଛି ଚାପା ଉତ୍ତେଜନା । ନୀଳାମ୍ବରଙ୍କ ଶବ ରଖି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ପରିବାର ଓ ସମ୍ପର୍କୀୟ । ଏଥିଯୋଗୁ ୬୩ ନମ୍ବର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି । ଅଭିଯୁକ୍ତଙ୍କୁ ଗିରଫ ନକରିବା ପର୍ଯ୍ୟନ୍ତ ଆନେ୍ଦାଳନରୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ମୃତକଙ୍କ ପରିବାର । ଅନ୍ୟପକ୍ଷରେ ପୁଲିସ୍ ଘଟଣାସ୍ଥଳରେ ଉପସ୍ଥିତ ରହି ସମାଧାନର ରାସ୍ତା ବାହାର କରିବାକୁ ଉଦ୍ୟମ ଜାରି ରଖିଛି ।
ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୨୫ ତାରିଖ ରାତିରେ ବୋରିଗୁମ୍ମା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ କୁକୁଡା ଦୋକାନରୁ କିଛି କୁକୁଡା ଚୋରି ହୋଇଥିଲା । ଚୋରି ସମୟରେ ଧରାପଡିଥିଲେ ନୀଳାମ୍ବର । ତାଙ୍କୁ କେତେକ ଲୋକ ନିସ୍ତୁକ ମାଡ଼ ମାରିଥିଲେ । ମାଡ଼ ଖାଉଥିବାର ଭିଜୁଆଲ୍ ଭାଇରାଲ୍ ହେବା ପରେ ଯୁବକ ଜଣଙ୍କ ୨୭ ତାରିଖ ରାତିରେ ଲୋକଲଜ୍ଜା ସହି ନପାରି କୁଆଡେ ଆତ୍ମହତ୍ୟା କରିଥିଲେ । ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ବୋରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ । ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସନ୍ଧ୍ୟା ପର୍ଯ୍ୟନ୍ତ କାହାରିକୁ ଗିରଫ କରିବାରେ ସଫଳ ହୋଇନି ପୁଲିସ୍ । ଏହାର ପ୍ରତିବାଦରେ ସନ୍ଧ୍ୟା ୬ଟାରେ ସ୍ଥାନୀୟ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଶବ ରଖି ରାଜପଥ ଅବରୋଧ କରିଛନ୍ତି ପରିବାର ଓ ସମ୍ପର୍କୀୟ । ଏସ୍ଡିପିଓ ହରେକୃଷ୍ଣ ମାଝୀ, ଥାନା ଆଇଆଇସି ବିଶ୍ୱଜିତ ମହାନ୍ତି ଏବଂ ପୁଲିସ୍ ଟିମ୍ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଖବର ଲେଖାହେବା ଅର୍ଥାତ୍ ରାତି ସାଢେ ୮ଟା ପର୍ଯ୍ୟନ୍ତ ଏହାର ସମାଧାନ ହୋଇପାରିନାହିଁ । ପରିବାର ଲୋକେ ନିଜ ଜିଦ୍ରେ ଅଟଳ ରହିଛନ୍ତି । ସ୍ପଷ୍ଟ ଭାବେ କହିଛନ୍ତି, ଯେ ପର୍ଯ୍ୟନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇନାହିଁ, ସେ ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ଛାଡିବେ ନାହିଁ ।
ବୋରିଗୁମ୍ମାରୁ ମାନସ ରଥଙ୍କ ସହ କୋରାପୁଟରୁ ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ
Comments are closed, but trackbacks and pingbacks are open.