
ସାଲେପୁର: ଭାଈ ଭଉଣୀ କଳିରେ ୨୪ ଘଣ୍ଟା ଧରି ହସ୍ପିଟାଲରେ ପଡ଼ି ରହିଲା ଶବ। ଏପରି ଘଟଣା ଘଟିଛି କଟକ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ।
ଖବର ଅନୁଯାୟୀ, ଗୁରୁବାର ଦିନ ୧୦ଟାରେ ରାଇସୁଙ୍ଗୁଡ଼ା ବାସିନ୍ଦା ବିଷ୍ଣୁ ପ୍ରସାଦ ସିଂହଙ୍କ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ଘଟିଥିଲା। ପାଖରେ ନିଜର ଝିଅ ବନଜା ଉପସ୍ଥିତ ଥିବା ବେଳେ ବିଷ୍ଣୁଙ୍କର ଏକମାତ୍ର ପୁଅ କୁଳମଣି ବାପାଙ୍କ ମୃତ୍ୟୁ ଖବର ପାଇ ଆସିନଥିଲେ। ଦୀର୍ଘ ଦିନ ହେଲା ବାପ ପୁଅଙ୍କ ସଂପର୍କ ଭଲ ନଥିବାରୁ ବାପା ବିଷ୍ଣୁ ପ୍ରସାଦ ନିଜ ଝିଅ ବନଜାଙ୍କ ପାଖରେ ରହୁଥିଲେ। ପରେ ଡାକ୍ତର ଓ ସ୍ଥାନୀୟ ରାଇସୁଙ୍ଗୁଡା ସରପଞ୍ଚଙ୍କ ଅନୁମତି ନେଇ ପୁରୀ ସ୍ୱର୍ଗଦ୍ୱାରକୁ ଗାଡ଼ିରେ ନେଉଥିବା ବେଳେ ସାଲେପୁର ମାଛୁଆତି ଛକ ଠାରୁ ପୋଲିସ ଶବ ବାହାକ ଗାଡ଼ିକୁ ଅଟକାଇ ଶବକୁ ଜବତ କରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖିଥିଲା।
ଏ ବାବଦରେ ଝିଅ ବନଜା ସାଲେପୁର ଥାନା ଅଧିକାରୀଙ୍କୁ ଶବ ଜବତ ବାବଦରେ ପଚାରିବାରୁ ଥାନା ଅଧିକାରୀ କହିଲେ ଯେ ବନଜାଙ୍କ ଭାଈ କୁଳମଣି ବାପାଙ୍କ ମୃତ୍ୟୁକୁ ସନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତ। ଆଉ ସେ ଆସି ବାପାଙ୍କ ମୃତଦେହ ସଂସ୍କାର ପାଇଁ ନେବେ। କିନ୍ତୁ ଆଜି ଦିନ ୧୨ ଟା ଯାଏଁ ପୁଅ ବାପର ଶବକୁ ନେବା ପାଇଁ ନ ଆସିବାରୁ ସାଲେପୁର ପୋଲିସ ଜୋର ଜବରଦସ୍ତ ଝିଅ ବନଜା ଘରେ ପହଞ୍ଚି ବାପର ଶବ ସତ୍କାର ପାଇଁ ଟେକି ଆଣିଥିଲା।
ଖାଲି ସେତିକି ନୁହେଁ ପୋଲିସ ବନଜାଙ୍କୁ ବାଟରେ ଆଣିଲା ବେଳେ ଧମକ ଚମକ କରିଥିବା ଅଭିଯୋଗ କରିଛନ୍ତି। ପ୍ରଶ୍ନ ଉଠୁଛି ଗତକାଲି ଠାରୁ ନିଜ ଜନ୍ମିତ ଝିଅ ବାପର ସତ୍କାର ପାଇଁ ନେଉଥିବା ବେଳେ ସାଲେପୁର ପୋଲିସ କାହା ସ୍ବାର୍ଥରେ ଅଟକାଇ ଥିଲା ଆଉ ଆଜି କାହା ସ୍ବାର୍ଥରେ ମୃତ ବିଷ୍ଣୁଙ୍କ ଝିଅ ବନଜାଙ୍କୁ ଘରୁ ଟେକି ଆଣିଲା। ପୋଲିସର ଏହି ଦୋତରଫା ଖେଳରେ ଜଣେ ବ୍ୟକ୍ତିଙ୍କ ଶବ ମେଡିକାଲରେ ୨୪ ଘଣ୍ଟା ରୁ ଅଧିକ ସମୟ ପଡ଼ି ରହିଥିଲା।


Comments are closed, but trackbacks and pingbacks are open.