ପୁରୀ,(ବି.ବି.ବୁ୍ୟରୋ): ସୋମବାର ସକାଳେ ଶ୍ରୀମନ୍ଦିରରେ ଅଘଟଣ ଘଟିଛି । ଅଣସରରେ ମହାପ୍ରଭୁଙ୍କ ଗୁପ୍ତପୂଜା ଚାଲିଛି । ହଠାତ୍ ନୀଳଚକ୍ର ବାଉଁଶ ଭାଙ୍ଗିଗଲା । ଛିଣ୍ଡିଗଲା ପତିତପାବନ ବାନା । ବଜ୍ରପାତରେ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ବାନା ନରହିବାରେ ମହାପ୍ରଭୁଙ୍କ ନୀତି ବନ୍ଦ ହୋଇଥିଲା । ପୁଣି ବାନା ବନ୍ଧା ଯିବା ବେଳକୁ ସକାଳ ଧୂପ ଅନୁÂିତ ହେବାକୁ ଅଧଘଣ୍ଟାରୁ ଅଧିକ ସମୟ ବିଳମ୍ବ ଘଟିଥିଲା । ଠାକୁରେ ଅନବସରରେ ଥିବାବେଳେ ଏଭଳି ଅଭାବନୀୟ ଘଟଣା ଶ୍ରୀମନ୍ଦିର ଇତିହାସରେ ପ୍ରଥମ କୁହାଯାଉଛି । କିଛି ବଡ଼ ବିପତ୍ତିର ଆଶଙ୍କା କରି ଶ୍ରଦ୍ଧାଳୁମାନେ ଭୟଭୀତ ହୋଇ ପଡ଼ିଛନ୍ତି ।
ଶ୍ରୀବିଗ୍ରହଙ୍କ ବର୍ତ୍ତମାନ ଗୁପ୍ତପୂଜା ଅନୁÂିତ ହେଉଛି । ସକାଳ ସାଢେ଼ ୯ଟା ହେବ । ଠାକୁରଙ୍କ ‘ସକାଳ ଧୂପ’ ଡାକି ଯାଇଥିଲା । ଭୋଗ ଆସି ନଥିଲା । ହଠାତ୍ ଜାଣିବାକୁ ମିଳିଲା ଶ୍ରୀମନ୍ଦିର ନୀଳଚକ୍ରରେ ଲାଗିଥିବା ବାଉଁଶ ଭାଙ୍ଗି ପଡ଼ିଛି । ଠାକୁରଙ୍କ ପତିତପାବନ ବାନା ଖଣ୍ଡ ଖଣ୍ଡ ହୋଇ ଛିଣ୍ଡିଯାଇଛି । ଏହା ଦୃଷ୍ଟିକୁ ଆସିଲା କ୍ଷଣି ତୁରନ୍ତ ଠାକୁରଙ୍କ ନୀତି ବନ୍ଦ ହୋଇଥିଲା । ତୁରନ୍ତ ଚୂନରା ସେବକ ମୁଖିଆଙ୍କୁ ଖବର ଦିଆଯାଇଥିଲା । ପୁନର୍ବାର ବାନା ସ୍ଥାପନ ହେବା ପରେ ସକାଳ ଧୂପ ଉଠିଥିଲା । ସେତେବେଳକୁ ଠାକୁରଙ୍କ ନୀତିରେ ୩୦ ମିନିଟ୍ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା ।
ଏଭଳି ଅଘଟଣକୁ ନେଇ ଭକ୍ତ ମହଲରେ ଚହଳ ଖେଳି ଯାଇଛି । ଆଜି ସକାଳୁ ପୁରୀରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ଘନ ଘନ ବଜ୍ରପାତ ସାଙ୍ଗକୁ ମୂଷଳ ଧାରାରେ ବର୍ଷା ଅଜାଡ଼ିଥିଲା । ପବନର ବେଗ ମଧ୍ୟ ବଢ଼ିଥିଲା । ହେଲେ ଏହାଠାରୁ ଢେର ଅଧିକ ପବନରେ ଠାକୁରଙ୍କ ପତିତପାବନ ବାନା ସୁରକ୍ଷିତ ରହିଥାଏ । ଏଣୁ ଶ୍ରୀମନ୍ଦିରରେ ବଜ୍ରପାତ ଫଳରେ ବାଉଁଶ ଭାଙ୍ଗିଯିବା ସହ ପତିତପାବନ ବାନା ଖଣ୍ଡବିଖଣ୍ଡିତ ହୋଇଥିବା ଆଶଙ୍କା କରାଯାଉଛି । ଏହା ଏକ ଅଶୁଭ ସୂଚନା ବୋଲି ବିବେଚନା କରାଯାଉଛି । ଆସନ୍ତା ଦିନରେ ଏକ ବଡ଼ ବିପତ୍ତିର ଆଶଙ୍କା ଭକ୍ତ ମନରେ ଆତଙ୍କ ସୃଷ୍ଟି କରିଛି ।
Comments are closed, but trackbacks and pingbacks are open.