
ଅନୁଗୁଳ,(ବି.ବି.ନୁ୍ୟଜ): ତହସିଲ୍ ଅଫିସ୍ ଓ ଥାନାଠୁ ମାତ୍ର ୪ କିଲୋମିଟର ଦୂରରେ ପୁଞ୍ଜା ପୁଞ୍ଜା ବେଆଇନ୍ କୋଇଲା ଖାତ । ଦୂରରୁ ଦେଖିଲେ ଲାଗିବ ପରତ୍ୟକ୍ତ କୂଅ । ହେଲେ ଏହି କୂଅ ମାଧ୍ୟମରେ ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବରେ ହେଉଥିଲା କୋଇଲା ଉତ୍ତୋଳନ । ବର୍ଷ ବର୍ଷ ଧରି ବେଧଡ଼କ ଚାଲିଥିଲା ବେଆଇନ୍ କୋଇଲା କାରବାର । ହେଲେ ତହସିଲ ପ୍ରଶାସନ ନା ପୁଲିସ ଏ ଦିଗରେ କୌଣସି ପଦକ୍ଷେପ ନେଉ ନଥିଲା । ଏପରିକି ତାଳଚେରରେ ଡେପୁଟି ଡାଇରେକ୍ଟର୍ (ଖଣି)ଙ୍କ କାର୍ଯ୍ୟାଳୟ ରହିଥିଲେ ମଧ୍ୟ ଏହି ବେଆଇନ୍ କାରବାର ରୋକିବା ଦିଗରେ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଜମିରେ ବିଶାଳ କୂଅ ଖୋଳି ଶ୍ରମିକଙ୍କ ଦ୍ୱାରା କୋଇଲା ଖନନ କରି ଜିଲ୍ଲା ତଥା ଜିଲ୍ଲା ବାହାରକୁ ଅନାୟାସରେ ଚାଲାଣ ହୋଇଆସୁଥିଲା ।
ଗତ ଶନିବାର ବେଆଇନ୍ ଖାତରେ ପଡ଼ି ଜଣେ ସ୍ଥାନୀୟ ଯୁବକଙ୍କ ଅକାଳ ମୃତୁ୍ୟ ହେବା ପରେ ଚାରିଆଡ଼ୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହି ଘଟଣା ପରଠାରୁ ବେଆଇନ୍ ଖାତଗୁଡ଼ିକ ଏକ ପ୍ରକାର ବନ୍ଦ ରହିଥିବା ବେଳେ ନିଜ ତ୍ରୁଟି ଲୁଚାଇବାକୁ ପୁଲିସ, ପ୍ରଶାସନ ଓ ଖଣି ବିଭାଗ ଆଜିଠାରୁ ମିଳିତ ଭାବେ ଜୋର୍ଦାର ଧରପଗଡ଼ ଆରମ୍ଭ କରିଛନ୍ତି । ଛେଣ୍ଡିପଦା ନିକଟସ୍ଥ ବାହାଳସାହିରେ ଥିବା ବେଆଇନ୍ କୋଇଲା ଖାତରେ ମିଳିତ ଚଢ଼ଉ କରି ଆଜି ପ୍ରଥମ ଦିନରେ ୭ଟି ବେଆଇନ ଖାଦାନକୁ ପୋକ୍ଲେନ୍ ଲଗାଇ ଭାଙ୍ଗି ଦିଆଯାଇଛି । କେବଳ ବାହାଳସାହି ଗ୍ରାମରେ ୨୫ଟି ବେଆଇନ୍ କୋଇଲା ଖାତ ଥିବା ଜଣାପଡ଼ିଛି ।
ପ୍ରକାଶ ଯେ, ଛେଣ୍ଡିପଦା ବ୍ଲକ୍ ମହକୁମା ନିକଟବର୍ତ୍ତୀ ବାହାଳସାହି ମୌଜାରେ ମାଟି ତଳେ ପ୍ରଚୁର କୋଇଲା ଗଚ୍ଛିତ ରହିଛି । କୂଅ ଖୋଳିବା ଗଭୀରତାରେ ବି ଉନ୍ନତମାନର କୋଇଲା ରହିଛି । ତେଣୁ କେତେକ ମାଫିଆ ଦୀର୍ଘ ବର୍ଷ ଧରି ବିଶାଳ ଆକୃତିର କୂଅ ଖୋଳି ମାଟି ତଳୁ କୋଇଲା ଉତ୍ତୋଳନ କରୁଛନ୍ତି । କୂଅର ଚତୁର୍ପାଶ୍ୱର୍ ସିମେଣ୍ଟ କରି ଦିଆଯାଇଛି । ଯେପରିକି ଦୂରରୁ ଏହାକୁ ସହଜରେ ଠଉରାଇ ହେବ ନାହିଁ । ପମ୍ପ୍ ଲଗାଇ ପାଣି ଉଠାଇବା ପରେ କୋଇଲା ଖନନ କରାଯାଇଥାଏ । ଏହା ଅତ୍ୟନ୍ତ ବିପଜ୍ଜନକ କାର୍ଯ୍ୟ ହୋଇଥିଲେ ହେଁ ଅଧିକ ମଜୁରି ଲୋଭରେ ଶ୍ରମିକଙ୍କୁ ନିୟୋଜିତ କରାଯାଇ କୋଇଲା ଚୋରା କାରବାର ହୋଇଆସୁଥିଲା । ନିର୍ଦ୍ଧିଷ୍ଟ ଏକ ମାଫିଆ ଗୋÂୀ ଦୀର୍ଘ ବର୍ଷ ହେଲା ଏହି କାରବାରରେ ସଂପୃକ୍ତ ରହିଥିବା ବେଳେ ଖଣି ବିଭାଗ, ପୁଲିସ ଅବା ତହସିଲ୍ ପ୍ରଶାସନ ଏହାକୁ ନଜରଅନ୍ଦାଜ କରି ଆସିଥିଲା । ପୂର୍ବରୁ ଥାନାରେ ଅବସ୍ଥାପିତ ଏକାଧିକ ଅଫିସର୍ଙ୍କ ନାମରେ କୋଇଲା ମାଫିଆଙ୍କୁ ପ୍ରୋତ୍ସାହନ ଯୋଗାଇବା ନେଇ ଅଭିଯୋଗ ହୋଇଆସୁଥିଲା ।
ଗତ ୧୩ ତାରିଖ ରାତିରେ ବାହାଳସାହିର ଏକ ବେଆଇନ୍ ଖାତରେ ପଡ଼ି ସେହି ଗ୍ରାମର ଲବଣୀ ଭୂତିଆ (୩୮) ନାମକ ଜଣେ ଯୁବକଙ୍କର ମୃତୁ୍ୟ ହୋଇଥିଲା । କୋଇଲା ବୋଝେଇ ସାଇକେଲ୍ ସହ ସେ ଖାତରେ ପଡ଼ିଯାଇଥିଲେ । ତାଙ୍କର ମୃତୁ୍ୟ ପରେ କଥା ପୁଲିସକୁ ନଆସି ଖାତ ମାଲିକ ଓ ମୃତକଙ୍କ ପରିବାର ମଧ୍ୟରେ ଆପୋଷ ବୁଝାମଣା ହୋଇ ଶବ ସକ୍ରାର କରିଦିଆଯାଇଥିଲା । ହେଲେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ପୁଲିସ ପଦକ୍ଷେପ ଗ୍ରହଣ କରିବା ସହ ଖାତ ମାଲିକ ସୁଶାନ୍ତ ସାହୁ (୪୦)ଙ୍କୁ ଗିରଫ କରିଥିଲା ।
ଆଜି ଅତିରିକ୍ତ ତହସିଲ୍ଦାର ପ୍ରକାଶ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ବାହାଳସାହିରେ ବେଆଇନ୍ କୋଇଲା ଉତ୍ତୋଳନ ଉପରେ ଚଢ଼ଉ କରାଯାଇଥିଲା । ପ୍ରଥମ ଦିନରେ ପୋକଲେନ୍ ମେସିନ୍ ଦ୍ୱାରା ୭ଟି ଖାତ ଭାଙ୍ଗିଦିଆଯାଇଛି । ସେଇ ଇଲାକାରେ ୨୫ଟି ଖାତରୁ କୋଇଲା ଉତ୍ତୋଳନ ହେଉଥିବା ନେଇ ତହସିଲ ପକ୍ଷରୁ ଚିହ୍ନଟ କରାଯାଇଛି । ବେଆଇନ୍ ଭାବରେ କୋଇଲା ଖାତ ଥିବା ଜମି ମାଲିକଙ୍କ ନାମରେ ପୁଲିସ କେସ୍ କରିଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି । ବାହାଳସାହି ଗ୍ରାମର ସନ୍ତୋଷ ସାହୁ (୩୭), ଅଲେଖ ସାହୁ (୪୫), ହରିହର ସାହୁ (୫୩), ତ୍ରିଲୋଚନ ସାହୁ (୫୧), ଲକ୍ଷ୍ମଣ ସାହୁ (୪୬), ସୁବ୍ରତ ସାହୁ (୩୯), ଆନନ୍ଦ ସାହୁ (୪୨), ବିନୋଦ ସାହୁ (୫୫), କୃଷ୍ଣ ସାହୁ (୩୦), ରମେଶ ସାହୁ (୫୫), ସୁଶାନ୍ତ ନାୟକ (୩୬) ଓ ସରୋଜ ସାହୁ (୪୦), ଛେଣ୍ଡିପଦା ଗ୍ରାମର ଜିତୁ ସାହୁ (୪୦)ଙ୍କ ନାମରେ ପୁଲିସ ଆଇପିସି ଦଫା ୩୦୪, ୩୭୯, ୧୨୦ (ବି) ଏବଂ ୨୧ ଏମ୍ଏମ୍ଡିଆର୍, ୧୨ ଓଏମ୍ପିଟିଏସ୍ରେ ମାମଲା ରୁଜ୍ଜୁ କରିଛି । ଛେଣ୍ଡିପଦା ଥାନାର ସବ୍-ଇନିସ୍ପେକ୍ଟର୍ ଅଜୟ କୁମାର ସାହୁ ମାମଲାର ତଦନ୍ତ ଚଳାଇଛନ୍ତି । ଚଢ଼ଉରେ ଅନ୍ୟମାନଙ୍କ ମଧ୍ୟରେ ଖଣି ବିଭାଗ କର୍ମକର୍ତାଙ୍କ ସମେତ ଅନୁଗୁଳ ଉପଖଣ୍ଡ ପୁଲିସ ଅଧିକାରୀ ଅଶ୍ୱିନୀ କୁମାର ସାହୁ, ଛେଣ୍ଡିପଦା ଆଇଆଇସି ଜ୍ଞାନେନ୍ଦ୍ର ସାମଲ, ଏସ୍ଆଇ ଅଜୟ କୁମାର ସାହୁ ପ୍ରମୁଖ ସାମିଲ୍ ଥିଲେ । ଆଗକୁ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ଥାନା ଅଧିକାରୀ ଶ୍ରୀ ସାମଲ ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.