ନୂଆଦିଲ୍ଲୀ: ଲୋକପ୍ରିୟ କ୍ଷୁଦ୍ର ଭିଡିଓ ସେୟାରିଂ ଆପ୍ ଟିକ୍ଟକ୍ର ମୂଳ କମ୍ପାନି ବାଇଟ୍ଡ୍ୟାନ୍ସ ଭାରତରେ ଏହାର ଅନ୍ତର୍ଜାତୀୟ ଡାଟା ସେଣ୍ଟର ସ୍ଥାପନ କରିବ । ଏଥିପାଇଁ ଏହା ବିପୁଳ ପୁଞ୍ଜିନିବେଶ କରିବ । ଅଧିକାଂଶ ବିଦେଶୀ ଡିଜିଟାଲ କମ୍ପାନିଙ୍କର ଡାଟା ସେଣ୍ଟର ସେମାନଙ୍କ ନିଜସ୍ୱ ରାଷ୍ଟ୍ରରେ ରହୁଛି । ଭାରତରେ ସେମାନେ ସେଣ୍ଟର ସ୍ଥାପନ ପାଇଁ ଆଗ୍ରହ ଦେଖାଉନାହାନ୍ତି । କିନ୍ତୁ ବାଇଟ୍ଡ୍ୟାନ୍ସ ଏଠାରେ ନିଜର ଅନ୍ତର୍ଜାତୀୟ ଡାଟା ସେଣ୍ଟର ବସାଇବାକୁ ନିଷ୍ପତ୍ତି ନେଇଛି ।
ଗଣମାଧ୍ୟମକୁ ସୂଚନା ଦେଇ କମ୍ପାନି କହିଛି ଯେ ଭାରତ ହେଉଛି ଆମର ଏକ ବୃହତ୍ ବଜାର । ଡିଜିଟାଲ ଇଣ୍ଡିଆ ଅଭିଯାନରେ ମଧ୍ୟ ଆମେ ସାମିଲ ହେବାକୁ ଚାହୁଁଛୁ । ତା’ଛଡ଼ା ଦେଶର ୧୫ଟି ପ୍ରମୁଖ ଭାଷାରେ ଆମେ ସେବା ଯୋଗାଇ ଦେଉଛୁ । ତେଣୁ ଏଠାରେ ଆମର ଅନ୍ତର୍ଜାତୀୟ ଡାଟା ସେଣ୍ଟର ରହିଲେ ଆମେ ଲାଭବାନ ହୋଇପାରିବୁ । ଭାରତରେ ଆମେ ଟିକ୍ଟକ୍ ସେବା ଆରମ୍ଭ କରିବା ପରେ ଏଠାରେ ଆମର ନଜସ୍ୱ ଡାଟା ସେଣ୍ଟର ସ୍ଥାପନ ହୋଇନାହିଁ । ଆମେରିକା ଓ ସିଙ୍ଗାପୁରରେ ସ୍ଥାପିତ ସେଣ୍ଟର ଦ୍ୱାରା ଏହା ତୃତୀୟ ପକ୍ଷ ସଂସ୍ଥା ଦ୍ୱାରା ପରିଚାଳିତ ହେଉଛି । ତେଣୁ ଏ ବାବଦରେ ବଡ଼ ନିଷ୍ପତ୍ତି ନେବାର ସମୟ ଆସିଛି । ଆମେ ଭାରତରେ ଆଗାମୀ ୬ରୁ ୧୮ ମାସ ମଧ୍ୟରେ ଡାଟା ସେଣ୍ଟର ସ୍ଥାପନ ପାଇଁ ଲକ୍ଷ୍ୟ ରଖିଛୁ । ୧୦୦ କୋଟି ଡଲାର ନିବେଶ ଯୋଜନାର ଏହା ଏକ ଅଂଶ ।
Comments are closed, but trackbacks and pingbacks are open.