ନୂଆଦିଲ୍ଲୀ:ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଭାରତ ମାଟିରେ ଲ୍ୟାଣ୍ଡ କରିଛି ରାଫେଲ ଯୁଦ୍ଧ ବିମାନ । ଅପରାହ୍ନ ୩.୧୩ରେ ଏହା ହରିଆଣାର ଆମ୍ବାଲା ଏୟାରବେସରେ ଲ୍ୟାଣ୍ଡିଂ କରିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଓ ଅତ୍ୟାଧୁନୀକ ଯୁଦ୍ଧ ବିମାନ ହେଉଛି ରାଫେଲ । ଫ୍ରାନ୍ସରୁ ଆସିଥିବା ୫ଟି ଯାକ ରାଫେଲ ଯୁଦ୍ଧ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ଦୁଇଟି ସୁଖୋଇ-୩୦ ଗାଇଡ କରି ଅମ୍ବାଲା ଯାଏ ଆଣିଥିଲେ । ସେହିପରି ଫାଇଟର ଜେଟ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଏହାକୁ ବାୟୁସେନାର ରେଡିଓ ସିଗ୍ନାଲ ତରଫରୁ ସ୍ୱାଗତ କରାଯାଇଛି । ନୌସେନାର ଯୁଦ୍ଧ ତୋପ ଆଇଏନଏସ୍ କୋଲକାତା ସହ ମଧ୍ୟ ଯୋଗାଯୋଗ କରିଥିଲା । ରାଫେଲ ଜେଟ୍ ଲ୍ୟାଣ୍ଡିଂ ବେଳେ ଏୟାରବେସ୍ରେ ବାୟୁସେନା ମୁଖ୍ୟ ଆରକେଏସ୍ ଭଦୌରିଆ ଏହାକୁ ସ୍ୱାଗତ କରିଥିଲେ । ସେହିପରି ବିମାନ ଗୁଡିକୁ ୱାଟର ସାଲୟୁଟ ମଧ୍ୟ ପ୍ରଦାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ୫ଟି ଯାକ ରାଫେଲ ସୁରକ୍ଷିତ ଲ୍ୟାଣ୍ଡ କରିଥିବା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବାଡ୍ରସ ଲ୍ୟାଣ୍ଡ ସେଫଲି ଇନ୍ ଅମ୍ବାଲା ସେ ଆହୁରି କହିଛନ୍ତି, ରାଫେଲ ଯୁଦ୍ଧ ବିମାନ ଭାରତ ମାଟିରେ ପାଦ ଦେବା କ୍ଷଣି ପ୍ରତିରକ୍ଷା କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ଏହା ବାୟୁସେନାର ଯୁଦ୍ଧ କ୍ଷମତାକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଛନ୍ତି । ପ୍ରଥମ ଦଫାରେ ଆସିଥିବା ୫ଟି ରାଫେଲ ଯୁଦ୍ଧ ବିମାନ ମଧ୍ୟରେ ଦୁଇଟି ଟୁ-ସିଟର ଓ ୩ଟି ସିଙ୍ଗଲ ସିଟର ଜେଟ ରହିଛି । ଅମ୍ବାଲାରେ ଏହା ଲ୍ୟାଣ୍ଡିଂ କରିବାର ଥିବାରୁ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ନିକଟସ୍ଥ ଗାଁରେ ୧୪୪ ଧାରା ଜାରି କରାଯିବା ସହ ଲୋକଙ୍କୁ ଏକାଠି ହେବାକୁ ବାରଣ କରାଯାଇଥିଲା । ଏହି ୫ଟି ରାଫେଲ ଯୁଦ୍ଧ ବିମାନ ସୋମବାର ଫ୍ରାନ୍ସରୁ ଉଡାଣ ଭରିଥିଲା । ଏହାପରେ ଏହା ଅବୁଧାବିରେ କିଛି ସମୟ ରହିବା ପରେ କାଲିଠାରୁ ଭାରତ ଅଭିମୁଖେ ଉଡାଣ ଆରମ୍ଭ କରିଥିଲା । ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି ଲାଗି ୨୦୧୬ ରେ ଭାରତ ସରକାର ଫ୍ରାନ୍ସ ସହ ୩୬ ଟି ରାଫେଲ ଜେଟ୍ କିଣିବାକୁ ଚୁକ୍ତି କରିଥିଲେ । ସୋମବାର ବାୟୁସେନାର ୧୨ ଜଣ ଯୋଦ୍ଧା ପାଇଲଟ୍ ଏହାକୁ ଫ୍ରାନ୍ସରୁ ଭାରତ ଆଣିବା ପାଇଁ ଉଡାଣ ଭରିଥିଲେ । ଦୀର୍ଘ ୭୩୬୪ କିଲୋମିଟରର ଲମ୍ବା ଯାତ୍ରା ପରେ ଏହା ହରିଆଣାର ଅମ୍ବାଲା ଏୟାରବେସରେ ପହଞ୍ଚିଛି । ଉଡାଣ ବେଳେ ମଝି ଆକାଶରେ ହିଁ ଜେଟଗୁଡିକରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଭାରତ ଓ ଫ୍ରାନ୍ସ ମଧ୍ୟରେ ଚୁକ୍ତି ଅନୁସାରେ ୩୬ ଟି ରାଫେଲ ଆସିବ । ଆଜି ୫ଟି ଆସୁଥିବା ବେଳେ ବାକି ବିମାନ ୨୦୨୨ ସୁଦ୍ଧା ଭାରତକୁ ହସ୍ତାନ୍ତର କରାଯିବ । ତେବେ ଅଗଷ୍ଟ ୧୫ ପରେ ରାଫେଲକୁ ବାୟୁସେନାରେ ସାମିଲ କରାଯିବ ବୋଲି ଜଣାପଡିଛି ।
Comments are closed, but trackbacks and pingbacks are open.