ଭାରତର ରପ୍ତାନି ଭାଗ ବଢ଼ିଲା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦୁଇଟି ପ୍ରମୁଖ ଅର୍ଥନୀତି ଆମେରିକା ଓ ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ବା ତାରିଫ୍ ୱାର ହେବା ଯୋଗୁ ବିଶ୍ୱ ଅଭିବୃଦ୍ଧି ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିଲା । ଏମିତି କି ରପ୍ତାନି ଚକ୍ରକୁ ଏହା ଧିମା କରି ପକାଇବ ବୋଲି କିଛି ଅର୍ଥନୀତିଜ୍ଞ କହିଥିଲେ । ଆମେରିକା ଓ ଚୀନ୍ ସହ କାରବାର କରୁଥିବା ଏସୀୟ ରାଷ୍ଟ୍ରଗୁଡ଼ିକର ରପ୍ତାନି ସଂକୁଚିତ ହେବା ନେଇ ଆଶଙ୍କା ବଢ଼ିଥିଲା । କିନ୍ତୁ ଭାରତ ତାହାକୁ ଭୁଲ ପ୍ରମାଣିତ କରିଛି । ଏହି ବାଣିଜ୍ୟ ଯୁଦ୍ଧର ପ୍ରଭାବକୁ ଏଡ଼ାଇବାରେ ଭାରତ ସମର୍ଥ ହୋଇଛି । ଏହାର ରପ୍ତାନି କମିବା ପରିବର୍ତ୍ତେ ବଢ଼ିଛି ।
ସୂଚନା ମୁତାବକ ୨୦୧୯ ପ୍ରଥମ ତ୍ରୟମାସରେ ବିଶ୍ୱ ରପ୍ତାନିରେ ଭାରତର ଭାଗ ୧.୭୧ଧକୁ ବୃଦ୍ଧି ପାଇଛି । ୨୦୧୭ ଚତୁର୍ଥ ତ୍ରୈମାସରେ ଏହା ୧.୫୮ଧ ରହିଥିଲା । ଅନ୍ୟପକ୍ଷରେ ଏସିଆର ଅନ୍ୟ ୧୦ଟି ପ୍ରମୁଖ ରପ୍ତାନିକାରୀ ରାଷ୍ଟ୍ର ଏହି ସମୟରେ ବିଫଳତାର ସାମ୍ନା କରିଛନ୍ତି । ସେମାନଙ୍କ ରପ୍ତାନି ଭାଗ ସଙ୍କୁଚିତ ହୋଇଛି । ବ୍ଲୁମ୍ବର୍ଗ ଦ୍ୱାରା ଏକତ୍ରିତ କରାଯାଇଥିବା ତଥ୍ୟରୁ ଏହି ଚିତ୍ର ମିଳିଛି ।
ଅର୍ଥନୀତିଜ୍ଞଙ୍କ କହିବାନୁଯାୟୀ ଭାରତର ଆର୍ଥିକ ମୂଳଦୁଆ ବେଶ୍ ସୁଦୃଢ଼ । ଅନ୍ତର୍ଜାତୀୟ ବିନିର୍ମାଣ ଯୋଗାଣ ଶୃଙ୍ଖଳ ସହିତ ଏହା ସମନ୍ୱିତ ହୋଇନାହିଁ । ତେଣୁ କୌଣସି ପରିସ୍ଥିତିରେ ଏହାର ରପ୍ତାନି ପ୍ରଭାବିତ ହେବା ଆଶଙ୍କା ନାହିଁ ।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାକ୍ଷାତକାରରେ ସମାନ କଥା କହିଥିଲେ । ସେ କହିଥିଲେ, ଭାରତ ଅନ୍ତର୍ଜାତୀୟ ଶୃଙ୍ଖଳର ଏକ ଅଂଶ ନୁହେଁ । ଏହାର ନିଜସ୍ୱ ଭିତ୍ତି ରହିଛି । ତେଣୁ ଆମେରିକା-ଚୀନ୍ ବାଣିଜ୍ୟ ଯୁଦ୍ଧ ଭାରତ ପାଇଁ ନିଷ୍ପ୍ରଭ ସାବ୍ୟସ୍ତ ହେବ । ଶକ୍ତିକାନ୍ତ ଦାସଙ୍କ ଏହି ଯୁକ୍ତି ସତ୍ୟରେ ପରିଣତ ହୋଇଛି ।
ଉଲ୍ଲେଖଥାଉ କି ଦକ୍ଷିଣ କୋରିଆ ଏବଂ ଜାପାନଠାରୁ ଚୀନ୍ ବିପୁଳ ସାମଗ୍ରୀ କ୍ରୟ କରିଥାଏ । ବାଣିଜ୍ୟ ଯୁଦ୍ଧ ଯୋଗୁ ଏହି ଦୁଇ ରାଷ୍ଟ୍ରର ରପ୍ତାନି ଭାଗ ହ୍ରାସ ପାଇଛି । ଅନ୍ୟପକ୍ଷରେ ଆମେରିକା ଓ ସଂଯୁକ୍ତ ଆରବ ଏମିରେଟ୍ସ ପରେ ଭାରତ ହେଉଛି ଚୀନ୍ର ତୃତୀୟ ବୃହତ୍ ବଜାର । ଦିଲ୍ଲୀସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫରେନ୍ ଟ୍ରେଡ୍ର ପ୍ରଫେସର ରାକେଶ ମୋହନ ଯୋଶୀଙ୍କ କହିବାନୁଯାୟୀ ଭାରତର ଉତ୍ପାଦ ଶ୍ରେଣୀର ବିଭିନ୍ନତା ରହିଛି । ତେଣୁ ଏହାର ରପ୍ତାନି ହ୍ରାସ ହେବା ଆଶଙ୍କା କମ୍ ।
ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଏକ୍ସପୋର୍ଟ ଅର୍ଗାନାଇଜେସନ୍ସ ମହାନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ସହାୟ କହିଛନ୍ତି, ଆମେରିକା ଓ ଚୀନ୍ ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟିକ ବିବାଦ ଭାରତ ପାଇଁ ଲାଭଜନକ ହୋଇଛି । ରପ୍ତାନି ବୃଦ୍ଧି ଲାଗି ଏହା ସୁଯୋଗ ପାଇଛି । ବାଣିଜ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ୨୦୧୮ ମାର୍ଚ୍ଚରେ ଶେଷ ହୋଇଥିବା ୬ ବର୍ଷରେ ଆମେରିକାକୁ ଭାରତର ରପ୍ତାନି ଦ୍ରୁତ ବେଗରେ ବୃଦ୍ଧି ପାଇଛି । ସେହିଭଳି ଚୀନ୍କୁ ଭାରତର ରପ୍ତାନି ୩୧ଧ ବୃଦ୍ଧି ପାଇଛି ।
ସହାୟଙ୍କ କହିବାନୁଯାୟୀ ଆମେରିକା ସହ ବିବାଦ ସୃଷ୍ଟି ହେବା ପରେ ଭାରତ ପାଇଁ ଚୀନ୍ ଏହାର ବଜାର ଉନ୍ମୁକ୍ତ କରିଛି । ଫଳରେ ଅଧିକରୁ ଅଧିକ ରପ୍ତାନି ପାଇଁ ଭାରତ ସମର୍ଥ ହୋଇଛି । ଚାଉଳ, ଫଳ ଓ ପନିପରିବା ରପ୍ତାନି ପାଇଁ ଭାରତକୁ ଅଧିକ ସୁଯୋଗ ଦେଇଛି ଚୀନ୍ । ଏମିତି କି ଫାର୍ମାସ୍ୟୁଟିକାଲ ଏବଂ ଅଟୋମୋବାଇଲ ଉତ୍ପାଦର ରପ୍ତାନି ମଧ୍ୟ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons