ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଭାରତୀୟଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ପ୍ରଦାନ ପ୍ରକ୍ରି୍ରୟା ଆରମ୍ଭ କରିଛି ସ୍ୱିଜରଲାଣ୍ଡ । ଇତିମଧ୍ୟରେ ସରକାରଙ୍କୁ ପ୍ରଥମ ଦଫା ତାଲିକା ମିଳିଛି । ଏହି ତାଲିକାରେ ଅନେକ ଆକାଉଣ୍ଟଧାରୀଙ୍କ ତଥ୍ୟ ରହିଛି । କିନ୍ତୁ ଅଧିକାଂଶ ଆକାଉଣ୍ଟ ବନ୍ଦ ରହିଥିବା ଜାଣିବାକୁ ମିଳିଛି । ଆକାଉଣ୍ଟ ବନ୍ଦ ହୋଇଯାଇଥିବାରୁ ଆକାଉଣ୍ଟଧାରୀଙ୍କ ମୋଟ ଜମା ସଂକ୍ରାନ୍ତରେ ତଥ୍ୟ ମିଳିବା ମୁସ୍କିଲ ହୋଇପଡ଼ିଛି ।
ବ୍ୟାଙ୍କର, ନିୟାମକ ଅଧିକାରୀଙ୍କ ସୂଚନା ମୁତାବକ କଳାଧନକୁ ନେଇ ଭାରତରେ ଧରପଗଡ଼ ଜୋରଦାର ହେବା ଯୋଗୁ ସ୍ୱିସ୍ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିବା ଭାରତୀୟ ନାଗରିକଙ୍କ ମଧ୍ୟରେ ଛନକା ପଶିଥିଲା । ଫଳରେ ସ୍ୱିସ୍ ସରକାର କୌଣସି ତାଲିକା ପ୍ରଦାନ କରିବା ପୂର୍ବରୁ ସେମାନେ ନିଜ ଆଡୁ ଆକାଉଣ୍ଟ ବନ୍ଦ କରିଦେଇଥିଲେ । ଏମିତି କି କିଛି ଆକାଉଣ୍ଟ ଖୋଲିବାର ମାତ୍ର ଦିନେ ଦୁଇଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା ।
ଜଣେ ଅଧିକାରୀଙ୍କ କହିବାନୁଯାୟୀ ବନ୍ଦ ହୋଇଥିବା ଆକାଉଣ୍ଟରେ କେତେ ଟଙ୍କା ଗଚ୍ଛିତ ହୋଇଥିଲା ଏବଂ କେତେ ଉଠାଣ ହୋଇଥିବା, ତାହା ବାବଦରେ ତଥ୍ୟ ଯୋଗାଡ଼ କରାଯାଉଛି । ଏହାକୁ ବ୍ୟବହାର କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଲୋକଙ୍କ ବିରୋଧରେ ମାମଲା ପରିଚାଳନା କରାଯାଇ ପାରିବ । ସ୍ୱିସ୍ ସରକାରଙ୍କ ନିଦେ୍ର୍ଧଶକ୍ରମେ ଦେଶର ବ୍ୟାଙ୍କଗୁଡ଼ିକ ଆକାଉଣ୍ଟ ସଂକ୍ରନ୍ତରେ ସୁବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି । କେତେ ଅର୍ଥ ଜମା ହୋଇଥିଲା, କେତେ ଉଠାଣ ହୋଇଥିଲା ବା ସ୍ଥାନାନ୍ତର ହୋଇଥିବା, ସମସ୍ତ ସୂଚନା ଏଥିରେ ରହିଛି । ତେଣୁ ପୁରୁଣା ଘଟଣାଗୁଡ଼ିକୁ ଘାଣ୍ଟି ସରକାର ମୂଳକୁ ଯାଇପାରିବେ ।
ନାମ ଗୋପନ ରଖିବା ସର୍ତ୍ତରେ କିଛି ବ୍ୟାଙ୍କ ଅଧିକାରୀ କହିଛନ୍ତି, ସ୍ୱିସ୍ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଯେଉଁ ଆକାଉଣ୍ଟଧାରୀଙ୍କ ତଥ୍ୟ ଦିଆଯାଇଛି, ସେଥିରେ ଅଧିକାଂଶ ବ୍ୟବସାୟୀ ରହିଛନ୍ତି । ଏମାନଙ୍କ ମଧ୍ୟରେ କିଛି ପ୍ରବାସୀ ଭାରତୀୟ ଅଛନ୍ତି, ଯେଉଁମାନେ କି ଆମେରିକା, ବ୍ରିଟେନ୍ ଓ କିଛି ଆଫ୍ରିକୀୟ ଓ ଆମେରିକୀୟ ରାଷ୍ଟ୍ରରେ ରହୁଛନ୍ତି ।
ସେମାନଙ୍କ କହିବାନୁଯାୟୀ ଏହି ଆକାଉଣ୍ଟଗୁଡ଼ିକରୁ ବିପୁଳ ପରିମାଣର ଅର୍ଥ ଗତ କିଛି ବର୍ଷ ମଧ୍ୟରେ ସ୍ଥାନାନ୍ତର କରାଯାଇଛି । କଳାଧନ ଉପରେ ବିଶ୍ୱବ୍ୟାପୀ ଧରପଗଡ଼ ଚାଲିଥିବା ବେଳେ ଏମାନେ ନିଜର ସମସ୍ତ ସଞ୍ଚିତ ଅର୍ଥ ଅନ୍ୟ ଆଡେ଼ ଚାଲାଣ କରିଦେଇଥିଲେ । ଏହାପରେ ଆକାଉଣ୍ଟଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା । ୨୦୧୮ରେ ବନ୍ଦ ହୋଇଥିବା ଆକାଉଣ୍ଟ ସମ୍ପର୍କରେ ମଧ୍ୟ ତଥ୍ୟ ଦିଆଯାଇଛି ।
ଅନ୍ୟପକ୍ଷରେ ୧୦୦ଟି ପୁରୁଣା ସ୍ୱିସ୍ ବ୍ୟାଙ୍କ ଆକାଉଣ୍ଟ ମାମଲା ମଧ୍ୟ ଆସିଛି । ଏଗୁଡ଼ିକ ୨୦୧୮ ପୂର୍ବରୁ ବନ୍ଦ ହୋଇଯାଇଥିଲା । ଏଭଳି ଆକାଉଣ୍ଟଧାରୀଙ୍କ ବିରୋଧରେ ଟିକସ ସଂକ୍ରାନ୍ତ ମାମଲା ରହିଛି କି ନାହିଁ ତାହା ଯାଞ୍ଚ କରାଯାଉଛି । ଅଟୋ ଉପକରଣ, ରାସାୟନିକ ପଦାର୍ଥ, ବୟନ, ରିଅଲ ଇଷ୍ଟେଟ୍, ହୀରା ଓ ଅଳଙ୍କାର, ଇସ୍ପାତ ଉପôାଦ କାରବାର କରୁଥିବା ଲୋକମାନେ ଏହି ଆକାଉଣ୍ଟଧାରୀଙ୍କ ମଧ୍ୟରେ ଥିବା ଜଣାପଡ଼ିଛି । କୌଣସି ରାଜନେତାଙ୍କ ସହିତ ଏମାନଙ୍କର ସମ୍ପର୍କ ଅଛି କି ନାହିଁ, ତାହାର ବି ଯାଞ୍ଚ କରାଯିବ ।
କଳାଧନ ବିରୋଧରେ ଲଢେ଼ଇ କରୁଥିବା ଭାରତ ସରକାରଙ୍କୁ ଏହି ସଦ୍ୟ ସ୍ୱିସ୍ ଆକାଉଣ୍ଟ ତଥ୍ୟ ଅନେକାଂଶରେ ସହାୟକ ହେବ । ବିଦେଶରେ ଭାରତୀୟମାନେ ବିପୁଳ କୋଟି ଟଙ୍କାର କଳାଧନ ଗଚ୍ଛିତ ରଖିଥିବା ନେଇ ସରକାର ଦାବି କରୁଥିବା ବେଳେ ଏହାକୁ ଫେରାଇ ଆଣିବା ପାଇଁ ବଦ୍ଧପରିକର ହୋଇଥିଲେ । ଏବେ ତଥ୍ୟ ହସ୍ତଗତ ହୋଇଥିବାରୁ ଏହାକୁ ବ୍ୟବହାର କରି ସରକାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଅଣ୍ଡାଳିବେ । ସ୍ୱୟଂକ୍ରିୟ ସୂଚନା ବିନିମୟ (ଏଇଓଆଇ) ଚୁକ୍ତି ଜରିଆରେ ସ୍ୱିସ୍ ସରକାର ଏହି ତଥ୍ୟ ଦେଇଛନ୍ତି ।
ପରବର୍ତ୍ତୀ କାର୍ଯ୍ୟପନ୍ଥା ଭାବେ ସରକାର ସ୍ୱିସ୍ ଆକାଉଣ୍ଟ ତାଲିକା ଟିକସ ଏଜେନ୍ସିଗୁଡ଼ିକୁ ହସ୍ତାନ୍ତର କରିବେ । ଏହି ତଥ୍ୟ ମଧ୍ୟରେ ଆକାଉଣ୍ଟ ନମ୍ବର, କ୍ରେଡିଟ୍ ବାଲାନ୍ସ ଏବଂ ପ୍ରତ୍ୟେକ ଆକାଉଣ୍ଟଧାରୀଙ୍କ ଆର୍ଥିକ ଆୟ ଅନ୍ତର୍ଭୁକ୍ତ । ତେଣୁ ଚେରକୁ ଯିବା ପାଇଁ ଏ ସବୁ ସହାୟକ ହୋଇପାରିବ । ତେବେ ଅତ୍ୟନ୍ତ ଗୋପନ ଭାବେ ଏହି ତଥ୍ୟ ଖୋଲାଯିବ ।
Comments are closed, but trackbacks and pingbacks are open.