ଭାରତୀୟ ଅର୍ଥନୀତିରେ ମାନ୍ଦାବସ୍ଥା ଚକ୍ରାକାର:୧-୨ ବର୍ଷରେ ତ୍ୱରାନ୍ୱିତ ହେବ ଅଭିବୃଦ୍ଧି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ଦେଖାଦେଇଥିବା ମାନ୍ଦାବସ୍ଥା ଏକ ଚକ୍ରାକାର ମାନ୍ଦାବସ୍ଥା । ଆଗାମୀ ବର୍ଷେ କିମ୍ବା ୨ ବର୍ଷ ମଧ୍ୟରେ ଅଭିବୃଦ୍ଧି ପୁଣି ତ୍ୱରାନ୍ୱିତ ହେବ । ଭାରତୀୟ ଅର୍ଥନୀତି ପୁଣି ଦୌଡ଼ିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ପୂର୍ବତନ ଗଭର୍ଣ୍ଣର ବିମଲ ଜଲାନ୍ ରବିବାର ଏମିତି ମନ୍ତବ୍ୟ ଦେଇଛନ୍ତି ।
ଜଲାନ୍ କହିଛନ୍ତି, ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ କେନ୍ଦ୍ର ସରକାର ଅନେକଗୁଡ଼ିଏ ସଂସ୍କାର ଘୋଷଣା କରିଛନ୍ତି । କିନ୍ତୁ ଏଗୁଡ଼ିକର କାର୍ଯ୍ୟକାରିତା ଉପରେ ଅଭିବୃଦ୍ଧିର ବେଗ ନିର୍ଭର କରୁଛି । ମୁଖ୍ୟତଃ ପୁଞ୍ଜିନିବେଶ ଆକୃଷ୍ଟ କରିବାରେ ସରକାରଙ୍କ ସଫଳତା ଅଭିବୃଦ୍ଧିରେ ଇନ୍ଧନ ସଦୃଶ କାର୍ଯ୍ୟ କରିବ ।
ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି, ବୈଦେଶିକ କାରଣ ଯୋଗୁ ୧୯୯୧ରେ ଭାରତ ଏକ ଗୁରତର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲା । କିନ୍ତୁ ବର୍ତ୍ତମାନର ସ୍ଥିତି ସେତେବେଳର ସ୍ଥିତି ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଭାରତ ଏବେ ଏକ ସୁଦୃଢ଼ ସ୍ଥିତିରେ ରହିଛି । ଦେଶର ମୁଦ୍ରାସ୍ଫୀତି ବେଶ୍ କମ୍ ରହିଛି । ପର୍ଯ୍ୟାପ୍ତ ବୈଦେଶିକ ଭଣ୍ଡାର ରହିଛି । ଏଣୁ ଭାରତ ୧୯୯୧ ଭଳି ଆର୍ଥିକ ମାନ୍ଦାବସ୍ଥାର ସମ୍ମୁଖୀନ ହେବ ନାହିଁ ବୋଲି ସେ କହିଛନ୍ତି ।
ଘରୋଇ ନିବେଶକମାନେ କାହିଁକି ଦେଶରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହୀ ହେଉନାହାନ୍ତି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ଜଲାନ୍ କହିଛନ୍ତି, ନୋଟ୍ବନ୍ଦୀ ପରବର୍ତ୍ତୀ ପ୍ରଭାବ କିମ୍ବା ସାଧାରଣ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିଥିବା କାରଣରୁ ନିବେଶକମାନେ ଭାରତରେ ପୁଞ୍ଜି ଖଟାଉ ନ ଥିଲେ । କିନ୍ତୁ ଏବେ ସରକାର ଗ୍ରହଣ କରିଥିବା ଆର୍ଥିକ ସଂସ୍କାର ଆଗାମୀ ଦିନରେ ଦେଶରେ ପୁଞ୍ଜିନିବେଶ ବଢ଼ାଇବ ବୋଲି ପୂର୍ବତନ ଆର୍ବିଆଇ ଗଭର୍ଣ୍ଣର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons