ଭାରତ-ରୁଷ ସମ୍ପର୍କରେ ନୂଆ ଅଧ୍ୟାୟ

Get real time updates directly on you device, subscribe now.

ଭ୍ଲାଦିଭୋସ୍ତୋକ: ଦୁଇ ଦିନିଆ ରୁଷ ଗସ୍ତରେ ଯାଇଥିବା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରୁଷର ପୂର୍ବ ଭାଗରେ ଥିବା ଭ୍ଲାଦିଭୋସ୍ତୋକ୍ ସହରରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଥିଲେ । ଉଭୟ ନେତା ଏକ ଜାହାଜରେ ଦୁଇ ଘଣ୍ଟା ଯାତ୍ରା କରିବା ସହିତ ବିଭିନ୍ନ ପ୍ରସଙ୍ଗରେ ଏକାକୀ ଆଲୋଚନା କରିଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ହୋଇଥିଲା । ଦୁଇ ଦେଶ ଆଜି ପ୍ରତିରକ୍ଷା, ଶକ୍ତି, ବାଣିଜ୍ୟ ଏବଂ ଆଣବିକ ଶକ୍ତି ସମେତ ବିଭିନ୍ନ କ୍ଷେତ୍ରରେ ୧୫ଟି ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ପୁଟିନ କହିଛନ୍ତି ଯେ ଆଜି ଭାରତ ଓ ରୁଷ ଅନେକ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ରୁଷରେ ଭାରତୀୟ କଂପାନିଗୁଡ଼ିକୁ ସ୍ୱାଗତ କରିବାକୁ ଚାହୁଁଛୁ । ପ୍ରତିରକ୍ଷା କ୍ଷେତ୍ରରେ ଭାରତ ସହିତ ରୁଷର ନିବିଡ଼ ସହଯୋଗ ରହିଛି । ଭବିଷ୍ୟତରେ ଭାରତରେ ରାଇଫଲ ଏବଂ ମିସାଇଲ ସିଷ୍ଟମ ନିର୍ମାଣ କରିବାକୁ ରୁଷ ବିଚାର କରୁଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଭାରତରେ ରୁଷ ୨୦ଟି ଆଣବିକ ପ୍ଲାଣ୍ଟ କରିବାକୁ ମଧ୍ୟ ଯୋଜନା କରିଛି ।
ଏହି ଅବସରରେ ପୁଟିନ ମୋଦିଙ୍କ ପ୍ରଶଂସା କରି କହିଥିଲେ ଯେ ‘ଆପଣଙ୍କ ଭଳି ମିତ୍ରଙ୍କୁ ସ୍ୱାଗତ କରିବା ସବୁବେଳେ ଆମ ପାଇଁ ପ୍ରସନ୍ନତାର ବିଷୟ ପାଲଟିଥାଏ । ଭାରତ ଓ ରୁଷର ସମ୍ପର୍କ ହେଉଛି ବହୁତ୍ ଖାସ । ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ନିୟମିତ ସମ୍ପର୍କ ରକ୍ଷା କରୁଛି । ଆମେ ଦୁଇ ଜଣ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଛୁ । ମୁଁ ଆଶା କରୁଛି ଯେ ଅନ୍ୟାନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ବି ଆଲୋଚନା କରି ଦୁଇ ଦେଶ ଆଗକୁ ବଢ଼ିବା ପାଇଁ ଉଦ୍ୟମ କରିବେ ।’

ରୁଷକୁ ଭାରତକୁ ବିଶ୍ୱସ୍ତ ମିତ୍ର ବୋଲି ଆଖ୍ୟା ଦେଇ ମୋଦି କହିଛନ୍ତି ଯେ ଦୁଇ ଦେଶର ସମ୍ପର୍କକୁ ଏକ ନୂଆ ରୂପ ଦେବା ପାଇଁ ସମୟ ଆସିଛି । ରୁଷ ସବୁବେଳେ ଭାରତ ସହିତ ସ୍ୱତନ୍ତ୍ର ସମ୍ପର୍କର୍ ଏବଂ ସାମରିକ ଭାଗିଦାରୀକୁ ମଜଭୁତ କରିବାକୁ ପ୍ରୟାସ କରିଆସିଛି । ମୁଁ ପୁଟିନଙ୍କ ସହ ଅନେକ ପ୍ରସଙ୍ଗରେ ଖୋଲାଖୋଲି କଥା ହୋଇଛି ଏବଂ ତାଙ୍କ ସହ କଥା ହେଲାବେଳେ ମୁଁ ଆଦୌ ଦ୍ୱିଧା ଅନୁଭବ କରେନାହିଁ । ଇଷ୍ଟର୍ଣ୍ଣ ଇକୋନୋମିକ୍ ସମିଟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ତାଙ୍କୁ ନିମନ୍ତ୍ରଣ କରିଥିବାରୁ ସେ ରୁଷକୁ ଧନ୍ୟବାଦ ଦେଇଥିଲେ । ସେହିପରି ରୁଷ ସରକାର ତାଙ୍କୁ ନିଜ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବା ପାଇଁ ଚୟନ କରିଥିବାରୁ ସେ ନିଜର କୃତଜ୍ଞତା ଜାହିର କରିଥିଲେ ।
ପୁଟିନଙ୍କୁ ଭେଟିବା ପରେ ମୋଦି ଟ୍ୱିଟ୍ କରି ୧୮ ବର୍ଷ ତଳର ଏକ ଘଟଣାର ସ୍ମୃତିଚାରଣ କରିଛନ୍ତି । ୨୦୦୧ ମସିହାରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସହ ସେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ମୋଦି ରୁଷ ଗସ୍ତରେ ଯାଇଥିଲେ । ମୋଦି କହିଛନ୍ତି ଯେ ସେତେବେଳେ ବି ପୁଟିନ ତାଙ୍କୁ ଏକ ଛୋଟ ରାଜ୍ୟର ନେତା କିମ୍ବା ନୂଆ ନେତା ଭାବି ଏଡ଼ାଇଯାଇନଥିଲେ । ବରଂ ତାଙ୍କୁ ମିତ୍ର ଭଳି ବ୍ୟବହାର କରିଥିଲେ । ଏହାଯୋଗୁ ରୁଷ ଏବଂ ପୁଟିନଙ୍କ ସହ ତାଙ୍କର ମିତ୍ରତାର ଦ୍ୱାରା ଉନ୍ମୁକ୍ତ ହୋଇଯାଇଥିଲା ।

ଆଜି ମଧ୍ୟ ଭାରତ ଓ ରୁଷ ମିଳିତ ଭାବେ କହିଛନ୍ତି ଯେ ସେମାନେ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଅନ୍ୟ ଦେଶର ହସ୍ତକ୍ଷେପକୁ ବିରୋଧ କରିବେ । ପୁଟିନଙ୍କ ସହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୋଦି ଏହା ପ୍ରକାଶ କରିଛନ୍ତି । ଭାରତ ନିକଟରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦କୁ ପ୍ରତ୍ୟାହାର କରିବା ଏବଂ ଏହାକୁ ଦେଶର ଆଭ୍ୟନ୍ତରୀଣ ମାମଲା ବୋଲି ଦର୍ଶାଉଥିବାରୁ ସେଇ ପରିପ୍ରେକ୍ଷୀରେ ଉକ୍ତ ବୟାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons