ଦଶମନ୍ତପୁର,(ବି.ବି.ନୁ୍ୟଜ୍): କମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ୧କିମି ଦୂରରେ ରହିଗଲା ଆମ୍ବୁଲାନ୍ସ । ଯନ୍ତ୍ରଣାରେ ଛଟପଟ ଗର୍ଭବତୀଙ୍କୁ ଭାରରେ ବୁହାହୋଇ ଅଣାଯିବା ବାଟରେ ହେଲା ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ କିରାଆମ୍ବ ଗାଁରେ । ପରେ ଉଭୟ ନବଜାତ ଶିଶୁପୁତ୍ର ଓ ପ୍ରସୂତିଙ୍କୁ ଦଶମନ୍ତପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ଉଭୟ ମା’ଓ ଶିଶୁ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ଗାଁର ବିନୋଦ ମୁଦୁଲିଙ୍କ ସ୍ତ୍ରୀ ରେଣୁକା ମୁଦୁଲି ଗର୍ଭବତୀ ଥିଲେ । ଆଜି ସକାଳେ ତାଙ୍କ ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା । ତାଙ୍କ ସ୍ୱାମୀ ଗାଁର ଆଶାକର୍ମୀ ଦୀପ୍ତି ଚାଲାଣଙ୍କୁ ଅବଗତ କରାଇବା ପରେ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା । ଏହି ଉପଲବ୍ଧ ନଥିବାରୁ ୧୦୮କୁ ଫୋନ୍ କରାଗଲା । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସି କିରାଆମ୍ବ ଗାଁଠାରୁ ୧କିମି ଦୂର ଟିକ୍ରାପଡା ଗାଁ ଛକରେ ରହିଯାଇଥିଲା । ଏକ ଖଟିଆରେ ଗର୍ଭବତୀଙ୍କୁ ପରିବାର ଓ ଗ୍ରମବାସୀ ଗାଡି ପାଖକୁ ବୋହି ଆଣିବା ବେଳେ ଯନ୍ତ୍ରଣା ଅଧିକ ବଢିଯାଇଥିଲା । ଗାଁଠାରୁ ଅଧକିମି ଆସିବା ପରେ ମହିଳାଙ୍କ ପ୍ରସବ ହୋଇଥିଲା । ଏକ ଶିଶୁପୁତ୍ରକୁ ରାସ୍ତାରେ ଜନ୍ମ ଦେଇଥିଲେ । ଆଶାକର୍ମୀ ଓ ପରିବାରର ମହିଳାମାନେ ଗର୍ଭବତୀଙ୍କୁ ପ୍ରସବ କରାଇ ସାମାନ୍ୟ ସୁସ୍ଥ ହେବା ପରେ ପୁଣି ଖଟିଆରେ ଗାଡି ପାଖକୁ ବୋହି ନେଇଥିଲେ । ଶେଷରେ ଉଭୟ ମା’ଶିଶୁଙ୍କୁ ଦଶମନ୍ତପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ ବାରମ୍ବାର କହିବା ପରେ ମଧ୍ୟ ରାସ୍ତା ନିର୍ମାଣ ଉପରେ ଗୁରୁତ୍ୱ ଦେଉ ନାହାନ୍ତି । ସେଥିପାଇଁ ସମସ୍ତଙ୍କୁ ସରକାରୀ ଅବହେଳାର ଶିକାର ହେବାକୁ ପଡୁଛି ବୋଲି କ୍ଷୋଭର ସହ କହିଛନ୍ତି । ଆଗାମୀଦିନରେ ଭୋଟ ମାଗିବାକୁ ଆସିଲେ ଏହିର ଉଚିତ ଜବାବ୍ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ଗାଁର ବେନିଆ ମୁଦୁଲି, ରାମଦାଶ ମୁଦୁଲି, କାର୍ତ୍ତିକ ମୁଦୁଲି, ନରେନ୍ଦ୍ର ଚାଲାଣ, କବିର ମୁଦୁଲି ପ୍ରମୁଖ କହିଛନ୍ତି ଯେ, ସ୍ୱାଧୀନତାକୁ ସାତଦଶନ୍ଧି ବିତିଗଲାଣି । ହେଲେ ମଧ୍ୟ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଗାଁ ନିକଟରେ ଥିବା ନଦୀ ବାଟ ଓଗାଳିଛି । ବର୍ଷାଦିନେ ଜଳବନ୍ଦୀ ଜୀବନ ଯାପନ କରିବାକୁ ପଡୁଛି । ଗାଁରେ ୪୦ ଝୋଡିଆ ପରଜା ସମ୍ପ୍ରଦାୟର ୨ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ରାସ୍ତା ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେବାକୁ ପଡୁଛଇ । ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.