ଭାରରେ ଭରା ନଦୀ ପାର ହେଲେ ଗର୍ଭବତୀ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ୍): ଜନନୀ ଯନ୍ତ୍ରଣାର ପୁଣି କରୁଣ ଦୃଶ୍ୟ । ଭାରରେ ଗର୍ଭବତୀଙ୍କୁ ବୋହି ନଦୀ ପାର୍ କରାଇ ନେଲେ ମେଡିକାଲ । ଗାଁକୁ ରାସ୍ତା ନଥିବାରୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତରେ ରବିବାର ଏହି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ପଞ୍ଚାୟତ ଅଧୀନ ଘାଟଗୁଡା ଗାଁର ଶୁକ୍ରୁ ମୁଦୁଲିଙ୍କ ପତ୍ନୀ ଧବେନ୍ ଗର୍ଭବତୀ ଥିଲେ । ପୂର୍ବାହ୍ନରେ ତାଙ୍କର ପ୍ରସବ ବେଦନ ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରଥମେ ୧୦୨ ଆମ୍ବୁଲାନ୍ସକୁ ଫୋନ୍୍ରେ ଯୋଗାଯୋଗ କରିଥିଲେ । ୧୦୨ ଆମ୍ବୁଲାନ୍ସ ନଥିବାରୁ ୧୦୮ ଆମ୍ବୁଲାନ୍ସ ସୂଚନା ପାଇ ଘାଟଗୁଡା ଗାଁ ଅଭିମୁଖେ ବାହାରିଥିଲା । ତେବେ ରାସ୍ତା ନଥିବାରୁ ଗାଡି ଗାଁରେ ପହଞ୍ଚି ପାରି ନଥିଲା । ସ୍ଥାନୀୟ ଠେଲାପଦର ଛକଠାରୁ ଘାଟଗୁଡା ୫ କିମି ଦୂର ହୋଇଥିବା ବେଳେ ୧୦୮ ଗାଡି ଲୁଲା ଦେଇ ପଡୁଗୁଡି ଗାଁ ନିକଟରେ ପହଞ୍ଚି ଥିଲା । ଏଣେ ଧବେନଙ୍କ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଥିଲା । ପରିବାର ଲୋକେ ବ୍ୟସ୍ତ ହୋଇ କ’ଣ କରିବେ କିଛି ଚିନ୍ତା କରି ପାରୁ ନଥିଲେ । ଶେଷରେ ଧବେନଙ୍କୁ ଭାରରେ ବୋହି ନଦୀ ପାର୍ କରାଇ ପଡୁଗୁଡି ନେବାକୁ ଶୁକ୍ରୁ ସ୍ଥିର କରିଥିଲେ । କେତେଜଣ ଗାଁ ଲୋକଙ୍କ ସହାୟତାରେ ଏଥିପାଇଁ ବ୍ୟବସ୍ଥା କରାଗଲା । ଏକ ଲମ୍ବା କାଠରେ ଭାର କରି ମହିଳାଙ୍କୁ ବସାଇ ବୋହିଥିଲେ । ଏକ କିମି ବାଟ ଯିବା ପରେ ପଡୁଥିବା ମୁରାନ ନଦୀରେ ପଶି ପାର୍ ହୋଇଥିଲେ । ଆଣ୍ଠୁଏ ଆଣ୍ଠୁଏ ପାଣି ଭିତରେ ପଶି ମହିଳାଙ୍କୁ ପରିବାର ଲୋକେ ବୋହି ଆଣିଥିଲେ । ପଡୁଗୁଡିରେ ପହଞ୍ଚିବା ପରେ ଏଠାରୁ ଆମ୍ବୁଲାନ୍ସ ଯୋଗେ ଧବେନଙ୍କୁ ଦଶମନ୍ତପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ମେଡିକାଲରେ ଧବେନ ଜଣେ ସୁସ୍ଥ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ଉଭୟ ମା ଓ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସମ୍ପୃକ୍ତ ଡାକ୍ତର କହିଛନ୍ତି ।
ସୂଚନାଯୋଗ୍ୟ, ମୁରାନ ନଦୀ ପାର ହୋଇ ଠେଲାପଦର ପର୍ଯ୍ୟନ୍ତ ଲୋକେ ପ୍ରତିଦିନ ୫ କିମି ବାଟ ଚାଲିଚାଲି ଯାଇଥାନ୍ତି । ଏହି ରାସ୍ତା ଉପରେ ଠେଲାପଦର, ବାଲିଘାଟ ଏବଂ ଘାଟଗୁଡା ବାସୀ ନିର୍ଭର କରନ୍ତି । ଏହି ୫ କିମି ରାସ୍ତା ଭଲ ନଥିବାରୁ ଲୋକେ ବର୍ଷ ତମାମ୍ ବଡ ହଇରାଣ ହେଉଛନ୍ତି । ମୁରାନ ନଦୀରେ ଜୀବନକୁ ବାଜି ଲଗାଇ ଯା ଆସ କରୁଛନ୍ତି । ଗର୍ଭବତୀଙ୍କଠାରୁ ଆରମ୍ଭ କରି ଗୁରୁତର ରୋଗୀଙ୍କୁ ଅନୁରୂପ ଭାବେ ଲୋକେ ଭାରରେ ବୋହି ବିଭିନ୍ନ ସମୟରେ ମେଡିକାଲ ନେବାଆଣିବା କରୁଛନ୍ତି । ରାସ୍ତା ପାଇଁ ଆଖପାଖ ୩ ଖଣ୍ଡ ଗାଁ ଲୋକେ ଅନେକ ଥର ପ୍ରଶାସନ ନିକଟରେ ଜଣାଇଛନ୍ତି । ତେବେ ଆଜିଯାଏ କିଛି ସୁଫଳ ମିଳିନି । ୨୦୧୧ ରେ ୨ ଜଣ ଯୁବତୀ ଏହି ନଦୀ ପାର୍ ହେଉଥିବା ବେଳେ ବୁଡିଯାଇ ପ୍ରାଣ ହରାଇଥିଲେ । ଏପରିସ୍ଥଳେ, ସରକାରଙ୍କ ମାଳମାଳ ଯୋଜନା କାହା ପାଇଁ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରଶ୍ନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons