ମାଲକାନଗିରି,(ବି.ବି.ନ୍ୟୁଜ୍): ଭାଲୁ ସହ ଲଢିଛନ୍ତି ଜଣେ ବଣ୍ଡା ମହିଳା । ଶେଷରେ ତଳି ପଡ଼ିଯିବାରୁ ଆକ୍ରମଣର ଶିକାର ହୋଇ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହତ ମହିଳା ଜଣଙ୍କ ହେଲେ ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ଚାଲାଣପଡା ଗାଁର ସମ୍ବାରୀ ଦୋରା ।
ସମ୍ବାରୀ ଓ ତାଙ୍କ ସ୍ୱାମୀ ସନିଆ ଦୋରା ଜଙ୍ଗଲ ନିକଟ ଚାଷ ଜମିରେ କାମ କରୁଥିଲେ । ହଠାତ୍ ଏକ ମାଈ ଭାଲୁ ଦୁଇଟି ଛୁଆଙ୍କୁ ଧରି ସେହି ଜମି ନିକଟକୁ ଚାଲି ଆସିଥିଲା । ଗୋଡାଇବାରୁ ମାଆ ଭାଲୁଟି ସମ୍ବାରୀଙ୍କୁ ଆକ୍ରମଣ କରିଥିଲା । ସମ୍ବାରୀ ମଧ୍ୟ ଭାଲୁ କବଳରୁ ରକ୍ଷା ପାଇବା ପାଇଁ କିଛି ସମୟ ପର୍ଯ୍ୟନ୍ତ ଲଢିଥିଲେ । ଶେଷରେ ତଳେ ପଡିଯିବାରୁ ଭାଲୁଟି ତାଙ୍କ ମୁହଁକୁ ରାମ୍ପୁଡି କ୍ଷତବିକ୍ଷତ କରି ପକାଇଥିଲା । ସମ୍ବାରୀଙ୍କ ଚି+ାର ଶୁଣି ନିକଟରେ କାମ କରୁଥିବା ସନିଆ ଦୌଡି ଆସି ଭାଲୁଗୁଡିକୁ ଘଉଡାଇଥିଲେ । ପରେ ପତ୍ନୀଙ୍କୁ ଉଦ୍ଧାର କରି ଘରକୁ ନେଇଥିଲେ । ମୁହଁରେ ହୋଇଥିବା କ୍ଷତରୁ ରକ୍ତସ୍ରାବ ନକମିବାରୁ ଖଇରପୁଟ ହସପିଟାଲକୁ ନେଇଥିଲେ । ସେଠାରେ ଡାକ୍ତରମାନେ ମହିଳାଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ । ପରେ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ହସପିଟାଲକୁ ପଠାଇ ଦେଇଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଡାକ୍ତର ସପନ କୁମାର ଧିଣ୍ଡା କହିଛନ୍ତି । ସନିଆ ଜଣେ ଗରିବ ବଣ୍ଡା ଆଦିବାସୀ ଯୁବକ ଓ ତାଙ୍କର ୫ ପିଲା ଅଛନ୍ତି । ବହୁ କଷ୍ଟ କରି ପରିବାର ପୋଷଣ କରୁଥିବାରୁ ଭାଲୁ ଆକ୍ରମଣରେ ଆହତ ହୋଇଥିବା ତାଙ୍କ ପତ୍ନୀଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦରଖାସ୍ତ ଦେଇଛନ୍ତି ।
Comments are closed, but trackbacks and pingbacks are open.