ଗୁଣପୁର,(ବି.ବି.ନୁ୍ୟଜ୍): ଲଗାଣ ବର୍ଷାରେ ଭାସିଯାଇଛି ପଦ୍ମପୁର ବ୍ଲକ ଖମାପଦର ନାଳ ଉପରେ ତିଆରି ହୋଇଥିବା ୫୦ ଲକ୍ଷ ଟଙ୍କାର ଚେକଡ୍ୟାମ୍ । ଏଥିଯୋଗୁ ପ୍ରାୟ ହଜାରେ ଏକର ଧାନ ଫସଲ ପ୍ରଭାବିତ ହେବାର ଆଶଙ୍କା ରହିଛି । ଗର୍ଭ ଧରିଥିବା ଧାନ ଚାଷକୁ ନେଇ ଚାଷୀକୂଳ ଚିନ୍ତାରେ ପଡିଛନ୍ତି । ଅନୁଦାନ ନଥିବା କହି ପ୍ରକଳ୍ପ କରିଥିବା ଆଇଟିଡିଏ ଏବେ ହାତ ଟେକିଦେଇଛି । ଅନ୍ୟପକ୍ଷରେ କ୍ଷୁଦ୍ର ଜଳସେଚନ ବିଭାଗ କହୁଛି ପ୍ରକଳ୍ପ ତାଙ୍କର ନୁହେଁ । ତେଣୁ ଟଙ୍କାଟିଏ ହେଲେ ଖର୍ଚ୍ଚ କରିପାରିବ ନାହିଁ । ଏଭଳି ସ୍ଥିତିରେ ଜଳସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ବଡ଼ନାଳ ବୃହତ ଜଳସେଚନ ପ୍ରକଳ୍ପର ଆନିକଟ୍ ଅଞ୍ଚଳରେ ଅନ୍ୟ ବିଭାଗ କିଭଳି ଏତେ ଟଙ୍କା ଖର୍ଚ୍ଚ କଲା, ତାକୁ ନେଇ ଉଠିଛି ପ୍ରଶ୍ନବାଚୀ ।
ଆଇଟିଡିଏ ଦ୍ୱାରା ୨୦୧୪ ମସିହାରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏହାଦ୍ୱାରା ପଦ୍ମପୁର ଅଞ୍ଚଳର ଖିଲାପଦର, ମାରିଗୁଡା, ଡକାସୁକଳା ଓ ଗୁଣପୁର ବ୍ଲକର ସନ୍ନ୍ୟାସୀପୁର ଅଞ୍ଚଳର ଚାଷୀ ବିଶେଷ ଉପକୃତ ହେଉଥିଲେ । ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ଖିଲାପଦରଠାରେ ନିର୍ମାଣ ହୋଇଥିଲା ଏହି ଚେକଡ୍ୟାମ୍ । ଖମାପଦର ନାଳ ପାଣିକୁ ଆନିକଟ କରି ବାମ ଓ ଡାହାଣ ପାଶ୍ୱର୍ରେ ଲମ୍ବା କେନାଲ ମାଧ୍ୟମରେ ପ୍ରାୟ ଏକ ହଜାର ଏକର ଜମିକୁ ଜଳସେଚନ କରାଯାଉଥିଲା । ଚେକଡ୍ୟାମ୍ ଭରସାରେ ଏସବୁ ଅଞ୍ଚଳର ଚାଷୀମାନେ ରବି ଋତୁରେ ଧାନ, ପନିପରିବା, ସୂର୍ଯ୍ୟମୁଖୀ ଇତ୍ୟାଦି ଚାଷ କରୁଥିଲେ । ପଦ୍ମପୁର ବ୍ଲକରେ ଥିବା ଜଳସମ୍ପଦ ବିଭାଗର ବଡ଼ନାଳ ସେଚପ୍ରକଳ୍ପ ଭଳି ଏକ ବୃହତ ଜଳସେଚନ ବ୍ୟବସ୍ଥା ପରେ ଏହା ଥିଲା ଦ୍ୱିତୀୟ ବୃହତ ବ୍ୟବସ୍ଥା । ଯାହାକି ଶୁକ୍ରବାର ବନ୍ୟା ଜଳରେ ଭାସିଯାଇଛି । ପ୍ରକଳ୍ପ ଉପରେ ନିର୍ଭର କରି ଚାଷୀମାନେ ଏଥର ୧୫୦ରୁ ୧୬୦ ଦିନିଆ ଧାନଚାଷ କରିଥିଲେ । ଏବେ ଧାନ ଚାଷକୁ ପ୍ରାୟ ୧୨୦ ଦିନ ହୋଇଛି । କେଉଁ ଫସଲରେ ଫୁଲ ଛାଡିଛି ତ ଆଉ କେଉଁଥିରେ ଗର୍ଭ ଧରିଛି । ଏଭଳି ସମୟରେ ଚେକଡ୍ୟାମ୍ ଭାସିଯିବାରୁ ଚାଷୀ ମୁଣ୍ଡରେ ଚଡ଼କ ପଡିଛି ।
ସ୍ଥାନୀୟ ଅଞ୍ଚଳର ଦିଲେଶ୍ୱର ରାଓ, ରାଜୀବ ସାହୁ, ଏମ.ପ୍ରସାଦ ରାଓ, ସଦା ଶବର ପ୍ରମୁଖ ଚାଷୀ କହିଛନ୍ତି, ତତ୍କ୍ଷଣାତ କିଛି କରିବା ସମ୍ଭବ ନୁହେଁ । ଆଇଟିଡିଏ ଏବଂ କ୍ଷୁଦ୍ର ଜଳସେଚନ ବିଭାଗ ପରସ୍ପର ଭିତରେ ସମନ୍ୱୟ ରକ୍ଷା କରି ଏହାର ପୁନଃ ନିର୍ମାଣ ଦିଗରେ ପଦକ୍ଷେପ ନେବା ଦରକାର । ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ କହିଛନ୍ତି, ଏତେ ଟଙ୍କା ବ୍ୟୟରେ ପୂର୍ବରୁ କିଭଳି ଆଇଟିଡିଏ ଏହି ପ୍ରକଳ୍ପ ନିର୍ମାଣ କରିଥିଲା, ତାହା ଆଶ୍ଚର୍ଯ୍ୟର କଥା । ଏହାକୁ ଠିକ୍ରେ ସର୍ଭେ କରି ସ୍ୱତନ୍ତ୍ର ଭାବେ ଡିଜାଇନ କରିବା ପରେ କ୍ଷୁଦ୍ର ଜଳସେଚନ ବିଭାଗ କରିବା କଥା । ଏବେ ଏହାର ପୁନଃ ନିର୍ମାଣ ପାଇଁ ୭୦ରୁ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏତେ ଅନୁଦାନ ତାଙ୍କ ବିଭାଗ ପାଖରେ ନାହିଁ । ଅନ୍ୟପଟେ କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଜିତ ସାବତ କହିଛନ୍ତିି, ଏହା ତାଙ୍କ ବିଭାଗର ପ୍ରକଳ୍ପ ନଥିଲା । ତେଣୁ ଟଙ୍କାଟିଏ ହେଲେ ଖର୍ଚ୍ଚ କରିହେବନି । ଦୁଇ ବିଭାଗର ଏଭଳି ମନ୍ତବ୍ୟ ପରେ ଏବେ ପ୍ରକଳ୍ପ ଏବଂ ଏହା ଉପରେ ନିର୍ଭର କରୁଥିବା ଚାଷୀ ଓ ଚାଷର ଭବିଷ୍ୟତ କ’ଣ ହେବ ତାହା ଆଗାମୀ ଦିନ ହିଁ କହିବ ।


Comments are closed, but trackbacks and pingbacks are open.