ହାନୋଇ:ଭିଏତ୍ନାମର ବିଦେଶ ମନ୍ତ୍ରଣାଳୟ ରବିବାର କହିଛି କି ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଦୁଇଟି ଜାହାଜ ତା’ର ଏକ ମାଛଧରା ନୌକା ଉପରେ ଆକ୍ରମଣ କରିଥିଲେ । ଜାହାଜର କର୍ମଚାରୀମାନେ ଉକ୍ତ ନୌକାରୁ ସମସ୍ତ ମାଛ ଏବଂ ଉପକରଣ ବି ନେଇଯାଇଥିଲେ । ପାରାସେଲ ଦ୍ୱୀପପୁଞ୍ଜ ନିକଟରେ ଗତ ବୁଧବାର ଏହି ଘଟଣା ଘଟିଥିଲା । ପାରାସେଲ ଦ୍ୱୀପପୁଞ୍ଜ ଉପରେ ଚୀନ୍ ନିଜର ସାର୍ବଭୌମତ୍ୱ ଦାବି କରୁଛି । କିନ୍ତୁ ଭିଏତ୍ନାମ ଓ ଅନ୍ୟ ପଡୋଶୀ ଦେଶମାନେ ବି ସେଇ ଦ୍ୱୀପପୁଞ୍ଜ ଉପରେ ନିଜର ଅଧିକାର ଦାବି କରୁଛନ୍ତି । ଭିଏତ୍ନାମ ବିଦେଶ ମନ୍ତ୍ରଣାଳୟ କହିଛି ବୁଧବାର ଚୀନ୍ ଜାହାଜ କରିଥିବା ହରକତ ଯୋଗୁ ତା’ର ନୌକା ବୁଡିଯିବାର ଆଶଙ୍କା ଥିଲା । ତେଣୁ ଚୀନ୍ ଏହାର ଯାଞ୍ଚ କରୁ ।
ଗତ ଏପ୍ରିଲରେ ବି ପାରାସେଲ ଦ୍ୱୀପପୁଞ୍ଜ ନିକଟରେ ଚୀନ୍ର ସାମୁଦ୍ରିକ ଗୁଇନ୍ଦା ଜାହାଜ ଭିଏତ୍ନାମର ଏକ ନୌକା ସହିତ ଜାଣିଶୁଣି ଧକ୍କା ଲାଗିଥିଲା । ଏହାଯୋଗୁ ଭିଏତ୍ନାମର ନୌକାଟି ବୁଡି ଯାଇଥିଲା । ସେଇ ମାସରେ ବି ଚୀନ୍ ଘୋଷଣା କରିଥିଲା ଯେ ସିଏ ଦକ୍ଷିଣ ଚୀନ୍ ସାଗରରେ ଥିବା ପାରାସେଲ ଏବଂ ସ୍ପ୍ରାଟଲି ଦ୍ୱୀପପୁଞ୍ଜରେ ଦୁଇଟି ପ୍ରଶାସନିକ ଜିଲା ସ୍ଥାପନ କରିଛି । ସେତେବେଳେ ଭିଏତ୍ନାମ ଏହାର ବିରୋଧ କରିଥିଲା । କାରଣ ଭିଏତ୍ନାମ ସମେତ ଆଉ କିଛି ଦେଶ ଉଭୟ ଦ୍ୱୀପପୁଞ୍ଜ ଉପରେ ନିଜର ସାର୍ବଭୌମତ୍ୱ ଦାବି କରୁଛନ୍ତି ।
Comments are closed, but trackbacks and pingbacks are open.